ଘର ଲୋକଙ୍କୁ କୋଠରିରେ ବନ୍ଦ କରି ଚୋରି, ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍:ଫ୍ରିଜ୍‌ରୁ କ୍ଷୀର ବାହାର କରି ଚା’ କରି ପିଇଲେ…

ଭଞ୍ଜନଗର, ୨୩/୧୧ (ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା  ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଘରର ସଦସ୍ୟମାନଙ୍କୁ କୋଠରି ଭିତରେ ବନ୍ଦ କରି ସୁନା ଓ ରୂପା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଚୋରି କରିବା ପରେ ଦୁର୍ବୃତ୍ତମାନେ ଫ୍ରିଜ୍‌ରୁ କ୍ଷୀର ବାହାର କରି ଚା’ ତିଆରି କରି ପିଇବା ପରେ ଆରାମରେ ଫେରାର ହୋଇଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, କୁଲାଡ଼ ଗ୍ରାମର ଶିବ ସାହୁଙ୍କ ଘରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପ୍ରବେଶ କରିଥିଲେ। ଘରର ପଛପଟ କବାଟ ଭାଙ୍ଗି ଭିତରକୁ ପଶିବା ପରେ ଶିବ ସାହୁ ଓ ତାଙ୍କ ପୁଅ ଶୋଇଥିବା ଶୟନକକ୍ଷର କବାଟକୁ ବାହାର ପଟୁ ଗେଡ଼ା ଦେଇ ବନ୍ଦ କରିଦେଇଥିଲେ। ଏହାପରେ ଅନ୍ୟ କୋଠରିରେ ରଖାଯାଇଥିବା ସୁନା ଓ ରୂପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିଲେ।

ସୋମବାର ଭୋର୍ ପ୍ରାୟ ୪ଟାରେ ଶିବ ସାହୁଙ୍କ ନିଦ ଭାଙ୍ଗିବା ପରେ ସେ କବାଟ ଖୋଲିବାକୁ ଉଦ୍ୟମ କରିଥିଲେ। ମାତ୍ର ବାହାର ପଟୁ ଗେଡ଼ା ଦିଆଯାଇଥିବାରୁ କବାଟ ଖୋଲି ପାରିନଥିଲେ। ଏହାପରେ ଅନ୍ୟ ଏକ କୋଠରିରେ ଶୋଇଥିବା ପୁଅକୁ ଫୋନ୍ କରିଥିଲେ। ପୁଅ ମଧ୍ୟ ତାଙ୍କ କୋଠରିର କବାଟ ବାହାର ପଟୁ ବନ୍ଦ ଥିବା କହିଥିଲେ। ଶେଷରେ ଶିବ ତାଙ୍କ ପୁତୁରାଙ୍କୁ ଫୋନ୍ କରି ଡାକିଥିଲେ। ପୁତୁରା ଘରେ ପହଞ୍ଚି କବାଟ ଖୋଲିବା ପରେ ଘରେ ଚୋରି ହୋଇଥିବା ଜଣାପଡ଼ିଥିଲା।

ଏ ସମ୍ପର୍କରେ ଭଞ୍ଜନଗର ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି। ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

Share