ଅନୁରାଗ ପାଇଁ ଯୁବପିଢ଼ିଙ୍କ କ୍ରେଜ୍‌

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ୟୁଟୁବର୍‌ ତଥା ବାଇକର୍‌ ଅନୁରାଗ ଦୋଭଲଙ୍କୁ ରବିବାର ଅପରାହ୍ନ ୪.୩୦ରେ ଭୁବନେଶ୍ୱର ଏସ୍‌ପ୍ଲାନେଡ୍‌ ମଲ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ସେ ତାଙ୍କ ଆକର୍ଷଣୀୟ ବାଇକ୍‌ ନେଇ ଏଠାରେ ପହଞ୍ଚିବା ପରେ ପ୍ରଶଂସକମାନେ ଭିଡ଼ ଜମାଇଥିଲେ। ଏପରିକି ଅନ୍ୟ ବାଇକରମାନେ ମଧ୍ୟ ଆସି ସେମାନଙ୍କ କ୍ରେଜ ଦେଖାଇଥିଲେ। ତେବେ ଓଡ଼ିଶା ବାଇକର ଅନମୋଲ୍‌ ଦାସଙ୍କ ଲାମ୍ବରଗିନି କାର୍‌କୁ ଦେଖି ମଧ୍ୟ ଯୁବବର୍ଗ ବେଶ ଖୁସି ହେଉଥବା ଦେଖିବାକୁ ମିଳିଥିଲା। ସମସ୍ତେ ବାଇକରଙ୍କ ସହ ସେଲ୍‌ଫି ନେଇଥିଲେ। ସେଠାରେ ଭିଡ଼ ବଢ଼ିବାରୁ ଏସ୍‌ପ୍ଲାନେଡ୍‌ ସାମ୍ନା ରାସ୍ତା ଗହଳି ହୋଇଯାଇଥିଲା। ଏପରିକି ରାସ୍ତାର ଦୁଇ ପାର୍ଶ୍ୱ ଏବଂ ଓଭର ବ୍ରିଜ୍‌ରେ ଶହ ଶହ ଗାଡ଼ି ଅପେକ୍ଷା କରି ରହିଥିଲା। ଭିଡ଼ ଏତେ ଅଧିକ ହୋଇଯାଇଥିଲା ଯେ, ଅନୁରାଗ କାର୍ଯ୍ୟକ୍ରମ ଅଧାରୁ ପଳାଇ ଯାଇଥିଲେ। ଅନୁରାଗ ବାଇକ ରାଇଡ୍‌ ପାଇଁ ସାମାଜିକ ଗଣମାଧ୍ୟମରେ ବେଶ୍‌ ଲୋକପ୍ରିୟ। ସେ ଓଡ଼ିଶା ଆସିବା ନେଇ ଗୋଟିଏ ଦିନ ପୂର୍ବରୁ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଜଣାଇଥିଲେ। ତାଙ୍କୁ ପସନ୍ଦ କରୁଥିବା ଯୁବପିଢ଼ୀମାନେ ତାଙ୍କୁ ଅପେକ୍ଷା କରିଥିଲେ। ତାଙ୍କୁ ଓଡ଼ିଶା ବାଇକରମାନେ ଏସ୍‌ପ୍ଲାନେଡ୍‌ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି ସ୍ବାଗତ କରିଥିଲେ।