ଯୁବଗୋଷ୍ଠୀ ଦେଶ ଓ ବିଶ୍ୱର ଭବିଷ୍ୟତ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ବିଶ୍ୱ ଓଡ଼ିଆ ମହାସଂଘ ପକ୍ଷରୁ ବୁଧବାର ବିଶ୍ୱ ଯୁବଦିବସ ଭିଡିଓ କନଫରେନ୍ସ ମାଧ୍ୟମରେ ପାଳିତ ହୋଇଯାଇଛି। ବିଶ୍ୱ ଓଡ଼ିଆ ମହାସଂଘର ସଭାପତି ସୁରେନ୍ଦ୍ର ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୃଷିମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଯୁବତୀଯୁବକମାନେ ଆମ ଦେଶ ଓ ବିଶ୍ୱର ଭବିଷ୍ୟତ। ଯୁବଗୋଷ୍ଠୀଙ୍କୁ କାର୍ଯ୍ୟଦକ୍ଷ କରିବା ପାଇଁ ସରକାର ବିଶେଷଭାବେ ଧ୍ୟାନ ଦେଉଛନ୍ତି। ଯୁବ ଗୋଷ୍ଠୀ ଏହାର ଫାଇଦା ନେବା ଉଚିତ ବୋଲି ସାହୁ କହିଥିଲେ।
ସମ୍ମାନିତ ଅତିଥି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଯୁବତୀଯୁବକ ମାନେ କିପରି ଆଗକୁ ବଢିବେ ସେନେଇ ଅନେକ ଉପଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଚୈାଦ୍ୱାର-କଟକ ବିଧାୟକ ସାୈଭିକ ବିଶ୍ୱାଳ, ମୋ ପରିବାର ସଦସ୍ୟା ଡେଜାଲିନ ମହାପାତ୍ର ଯୋଗଦେଇ ଯୁବଗୋଷ୍ଠୀଙ୍କୁ ଅନେକ ଉପଦେଶ ଦେଇଥିଲେ। ବିଶ୍ୱ ଓଡ଼ିଆ ମହାସଂଘର ସଭାପତି ମହାପାତ୍ର କହିଥିଲେ ଯେ, ଯୁବତୀଯୁବକ ହେଉଛନ୍ତି ଭାରତର ପ୍ରଦୀପ ସଦୃଶ। ଗୋଟିଏ ପ୍ରଦୀପ ଅନେକ ପ୍ରଦୀପକୁ ଆଲୋକିତ କରି ଘନ ଅନ୍ଧକାରକୁ ଦୂର କରିପାରିବ। ଯୁବଶକ୍ତି ଜାଗରଣ ହେଲେ ଦେଶ ଦୁନିଆ ବିଶ୍ୱର କଲ୍ୟାଣ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ବିଶ୍ୱ ଓଡ଼ିଆ ମହାସଂଘର ସାଧାରଣ ସମ୍ପାଦକ ସଞ୍ଜୟ ମହାକୁଡ଼, ରାମକୃଷ୍ଣ ପାଢ଼ୀ, ରୁଦ୍ରନାରାୟଣ ଦାଶ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।