ଯୁବତୀଙ୍କ ନାକ କାଟିଦେଲେ ପ୍ରେମୀଯୁଗଳ

ଭୁବନେଶ୍ୱର,୨୭।୯ (ବ୍ୟୁରୋ): ପ୍ରେମ ବ୍ୟାପାରରେ ଗୋଇନ୍ଦାଗିରି କରିବା ସହ ବାଧକ ସାଜିବା ଜଣେ ଯୁବତୀଙ୍କ ପାଇଁ ମହଙ୍ଗାପଡିଛି। ପ୍ରେମୀଯୁଗଳ ତାଙ୍କୁ ଆକ୍ରମଣ କରିବା ପରେ ନାକ କାଟି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ନୟାପଲ୍ଲୀ ଥାନା ଅନ୍ତର୍ଗତ ତ୍ରିନାଥ ସାହିରେ ଦେଖିବାକୁ ମିଳିଛି। ଆହତ ଯୁବତୀ ଜଣକ ହେଲେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ସୁମିତ୍ରା ନାୟକ। ସେ ପରିବାର ଲୋକଙ୍କ ସହ ଥାନାକୁ ଆସି ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତ ଯୁବକ ରାନୁ ଦିଗଲ ଓ ତାଙ୍କ ପ୍ରେମିକାଙ୍କ ନାମରେ ଏକ ମାମଲା ରୁଜୁ କରି ସେମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବା ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ରାନୁ ସାଲିଆ ସାହିରେ ରୁହନ୍ତି। ସେ ଉକ୍ତ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଭଲ ପାଇଥିଲେ। ପରବର୍ତ୍ତୀ ସମୟରେ ଯୁବକ ଜଣକ ଅନ୍ୟଜଣେ ଝିଅ ସହିତ କଥା ହେଉଥିବାରୁ ଯୁବତୀଙ୍କ ସନ୍ଦେହ ହୋଇଥିଲା। ଏଥିପାଇଁ ସେ ତାଙ୍କ ସାଙ୍ଗ ସୁମିତ୍ରାଙ୍କୁ ଜଣାଇବା ସହ ପ୍ରେମିକ ରାନୁଙ୍କ ଉପରେ ନଜର ରଖି ସୂଚନା ଦେବାକୁ କହିଥିଲେ। ଏହାକୁ ନେଇ ରାନୁ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ମିଳାମିଶା ହୋଇଥିଲା। ତେବେ ଉଭୟଙ୍କ ସମ୍ପର୍କ ଭାଙ୍ଗୁଥିବା ନେଇ ସନ୍ଦେହ କରି ଖବର ଦେଉଥିବା ସୁମିତ୍ରାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ପ୍ରେମୀ ଯୁଗଳ। ରକ୍ତାକ୍ତ ଅବସ୍ଥାରେ ପିସିଆର ପୋଲିସ ତାଙ୍କୁ ଉଦ୍ଧାର କରିଥିଲା।