ଟ୍ରକ୍‌ ଧକ୍କାରେ ଯୁବତୀଙ୍କ ଜୀବନଗଲା: ରାସ୍ତାରୋକୋ, ଉତ୍ତେଜନା

ବେଲପାହାଡ଼,୩୦।୧୦(ଡ଼ି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୁମାଡ଼େରା ମୁଖ୍ୟ ରାସ୍ତାରେ ବୁଧବାର ଏକ୍‌ ଟ୍ରକ୍‌ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟିଆର୍‌ଏଲ୍‌ କଲୋନୀରେ ରହୁଥିବା ଶ୍ରେୟା ଆଇଚ୍‌(୨୧)।
ସୂଚନା ମୁତାବକ, ବାପା ଦେବାଶିଷ ଆଇଚ୍‌ ଏବଂ ଶ୍ରେୟା ଏକ ସ୍କୁଟି(ନଂ.ଓଡ଼ି଼ି୨୩-୪୬୦୧) ଯୋଗେ ଗୁମାଡ଼େରାରୁ ଟିଆର୍‌ଏଲ୍‌ କଲୋନୀ ଆସୁଥିଲେ। ସେତିକିବେଳେ ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକ୍‌(ନଂ.ଓଆର୍‌୦୫ଏକେ-୪୯୩୦) ସ୍କୁଟିକୁ ଧକ୍କା ଦେଇଥିଲା। ଶ୍ରେୟା ତଳେ ପଡ଼ିଯିବାରୁ ଟ୍ରକ୍‌ ଚକ ମୁଣ୍ଡ ଉପରେ ଚଢିଯାଇଥିଲା ା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ଦିନରେ ବଜାର ମୁଖ୍ୟ ରାସ୍ତାରେ ଭାରି ଯାନ ଚଳାଚଳକୁ ବନ୍ଦ କରିବାକୁ ଦାବି କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଏନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା ପରେ ରାସ୍ତା ଅବରୋଧ ହଟିଥିଲା। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଫେରାର ଥିବା ଜଣାପଡିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ବେଲପାହାଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।