ନିଆଁରେ ପୋଡ଼ି ଯୁବତୀଙ୍କ ଜୀବନ ଗଲା

ରାଉରକେଲା ଅଫିସ,୧୧ା୨: ସୁନ୍ଦରଗଡ଼ ଜିଲା ଲାଠିକଟା ଥାନା ଅର୍ନ୍ତଗତ ନୂଆବସ୍ତିର ଜଣେ ଯୁବତୀ ଗୁରୁବାର ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଆଫ୍ରିନ ଖାତୁନ(୧୯)। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସୂଚନା ଅନୁସାରେ, ଆଫ୍ରିନ ନୂଆବସ୍ତିରେ ପରିବାର ସହ ବାସ କରନ୍ତି। ଗତ ୨୬ ତାରିଖରେ ତାଙ୍କ ମା’ ଷ୍ଟୋଭ୍‌ରେ ଭାତ ବସାଇ ନଦୀକୁ ଗାଧୋଇ ଯାଇଥିଲେ। ଏହି ସମୟରେ ଭାତ ଉତୁରିବାରୁ ଆଫ୍ରିନ ଷ୍ଟୋଭ ନିଆଁକୁ କମ୍‌ କରୁଥିବା ବେଳେ ତାଙ୍କ ପୋଷାକରେ ନିଆଁ ଲାଗିଯାଇଥିଲା। ସେ ଚିତ୍କାର କରିବାରୁ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଶରୀରର ୮୦ ପ୍ରତିଶତ ପୋଡିଯାଇଥିବା ଜଣାପଡ଼ିଥିଲା। ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।