ଇନ୍‌ଷ୍ଟାଗ୍ରାମରେ ଖଣ୍ଡା ବୁଲାଇବା ଭିଡିଓ କରି ଫସିଲେ ଯୁବତୀ

କଟକ ଅଫିସ,୧୧ା୧୧: କଟକ ମାଲଗୋଦାମ ଥାନା ଅଞ୍ଚଳରେ ଜଣେ ଯୁବତୀ ସୋସିଆଲ ମିଡିଆରେ ଭିଡିଓ କରିବା ପାଇଁ ଏକ ଖଣ୍ଡା ବୁଲାଇ ଶେଷରେ ଫସିଛନ୍ତି।

ଏହି ଅଞ୍ଚଳର ଏକ ଗ୍ରୁପ୍‌ରେ ଏପରି ଏକ ଭିଡିଓ ଭାଇରାଲ ହେବା ପରେ  ଗୁରୁବାର  ମାଲଗୋଦାମ ଥାନାକୁ ୩ ଜଣଙ୍କୁ ଡାକି ପଚରାଉଚରା କରିଛି ପୋଲିସ। ପରେ ସେମାନେ ଧରିଥିବା ଖଣ୍ଡା ଏବଂ ବନ୍ଧୁକ ଖେଳନା ବୋଲି ଜଣାପଡ଼ିଛି।

ହାତରେ ଖଣ୍ଡା ଓ ବନ୍ଧୁକ ଧରିଥିବା ଯୁବକଙ୍କର ଉଦ୍ଦେଶ୍ୟ ସେପରି ସାଂଘାତିକ ନ ଥିଲା। କେବଳ ଇନ୍‌ଷ୍ଟାଗ୍ରାମରେ ଶେୟାର ବଢ଼ାଇବା ସହ ଲୋକପ୍ରିୟତା ହାସଲ କରିବାକୁ ଏପରି କରିଥିବା କହିଛନ୍ତି।

ଏନେଇ ମାଲଗୋଦାମ ଥାନା ଆଇଆଇସି କହିଛନ୍ତି, ଇନ୍‌ଷ୍ଟାଗ୍ରାମ୍‌ରେ ଲାଇକ୍‌, କମେଣ୍ଟ, ଶେୟାର ବଢ଼ାଇବାକୁ ଉକ୍ତ ଯୁବକମାନେ ଏପରି କରିଛନ୍ତି। ସେମାନେ ଭିଡିଓରେ ଖେଳନା ବନ୍ଧୁକ, ପୁରୁଣା ଖଣ୍ଡା ବ୍ୟବହାର କରିଛନ୍ତି। ତେବେ ସେମାନଙ୍କର କିଛି ଅପରାଧିକ ରେକର୍ଡ ଅଛି କି ନାହିଁ ତାହା ଯାଞ୍ଚ ଚାଲିଛି।

ଏନେଇ ଭିଡିଓରେ ନଜର ଆସିଥିବା ଜଣେ ଯୁବତୀ କହିଛନ୍ତି, ମୁଁ ଦୀପାବଳି ଦିନ ଉକ୍ତ ପିଲାଙ୍କ ସହ ଭିଡିଓ କରିଥିଲି। ଆଉ କିଛି ଜାଣିନି। ଏଥିପାଇଁ ଆମେ ସୋସିଆଲ ମିଡିଆରେ ଭୁଲ୍‌ ସ୍ବୀକାର କରୁଛୁ। ୩ ମାସ ହେବ ମୁଁ ସୋସିଆଲ ମିଡିଆ ବ୍ୟବହାର କରୁଛି। ୧୫ ଦିନ ହେବ ସେମାନଙ୍କୁ ଚିହ୍ନିଛି। ସୋମାନେ ଯୋବ୍ରା ପିଲା ବୋଲି କହିବାରୁ ଭିଡିଓ କଲି।

ସୂଚନାଯୋଗ୍ୟ, ଭାଇରାଲ ଭିଡିଓଟି କଟକର ତାଳଦଣ୍ଡା କେନାଲ ନିକଟବର୍ତ୍ତୀ ଅଞ୍ଚଳରେ ଶୁଟିଂ କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି। ହାତରେ ଖଣ୍ଡା ଓ ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନରେ ଏହି ଯୁବକମାନେ ଭିଡିଓ କରିଛନ୍ତି। ଏନେଇ ଖବର ମିଳିବା ପରେ କଟକ କମିଶନରେଟ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରି ୩ ଜଣଙ୍କୁ ପଚରାଉଚରା କରୁଛି।