ହେଲମେଣ୍ଟ, ମାସ୍କ ଚେକିଂ ବେଳେ ପୋଲିସ ମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା; କନଷ୍ଟେବଳ ନିଲମ୍ବିତ, ଡ୍ରାଇଭର କାର୍ଯ୍ୟରୁ ପ୍ରତ୍ୟାହାର

ଠାକୁରମୁଣ୍ଡା, ୩୦।୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ପୋଲିସର ଏକ ଅମାନୁଷିକତା ଘଟଣା ପଦାକୁ ଆସିଛି। ହେଲମେଣ୍ଟ ଓ ମାକ୍ସ ଚେକିଂ ସମୟରେ ପୋଲିସର ଲାଠି ମାଡରେ ଜଣେ ବାଇକ ଚାଳକଙ୍କ ମୁଣ୍ଡ ଫାଟି ଲହୁଲୁହାଣ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଈ କରଞ୍ଜିଆ ଥାନାକୁ ଘେରାଉ କରିବା ପରେ ଏସ୍‌ପି ଏହି ଘଟଣାରେ ସମ୍ପୃକ୍ତ ୨ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
କରଞ୍ଜିଆରେ ଥିବା ସାହାରପଡା ବାଇପାସ ଛକ ନିକଟରେ କରଞ୍ଜିଆ ଥାନା ପୋଲିସ ପକ୍ଷରୁ ସୋମବାର ସନ୍ଧ୍ୟାରେ ହେଲମେଣ୍ଟ ଓ ମାକ୍ସ ଚେକିଂ ଚାଲିଥିଲା। ଏହି ସମୟରେ କରଞ୍ଜିଆର ଏସ୍‌.କେ. ଆଲତମାସ ନାମକ ବାଇକ ଚାଳକଙ୍କୁ ପୋଲିସ ଲାଠିରେ ପିଟିବାରୁ ତାଙ୍କର ମୁଣ୍ଡ ଫାଟି ଯାଇଥିଲା। ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଘଟଣାରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିକରି କରଞ୍ଜିଆ ଥାନାକୁ ଘେରାଉ କରିଥିଲେ। ସଙ୍ଗେ ସଙ୍ଗେ ଏହି ଘଟଣାରେ ମୟୂରଭଞ୍ଜ ଏସ୍‌ପି କନେଷ୍ଟବଳ ଆର.କେ ସିଂଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ବେଳେ ଡ୍ରାଇଭର ମାନସ ସ୍ବାଇଁଙ୍କୁ ପ୍ରତ୍ୟାହାର କରିଥିଲେ। ଏନେଇ ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟବିକାଶ ଭୂୟାଁ ସୂଚନା ଦେବା ପରେ ଥାନା ଘେରାଉ କରିଥିବା ଲୋକେ ଶାନ୍ତ ପଡ଼ିଥିଲେ।