ବାଇକ୍‌ ସହ ଜଳିଥିବା ଯୁବକଙ୍କ ପରିଚୟ ମିଳିଲା

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଜୟଦେବବିହାର ନିକଟ ଓଭରବ୍ରିଜ୍‌ରେ ରବିବାର ରାତିରେ ଦୁର୍ଘଟଣା ଘଟିଥିଲା। ଖଣ୍ଡଗିରି ପଟୁ ବାଣୀବିହାର ଆଡ଼କୁ ଯାଉଥିବା ବେଳେ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ଏକ ବାଇକ୍‌ ହୁତୁହୁତୁ ହୋଇ ଜଳିଯାଇଥିଲା । ଘଟଣାସ୍ଥଳରେ ହିଁ ଜଳି ଯାଇଥିଲେ ଜଣେ ଯୁବକ। ସମ୍ପୃକ୍ତ ଯୁବକଙ୍କ ପରିଚୟ ମିଳିଛି। ସେ ହେଲେ ଜଗତସିଂହପୁର ଜିଲା ପୁରୋହିତପୁରର ଅମ୍ବିକା ପ୍ରସାଦ ପତି। ଅମ୍ବିକା କେସୁରାରେ ଭଡ଼ାରେ ରହୁଥିଲେ। ସେ ଏକ କମ୍ପାନୀରେ ମାର୍କେଟିଂ କାମ କରୁଥିଲେ। ରବିବାର ରାତିରେ ଚନ୍ଦ୍ରଶେଖରପୁରରେ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଅମ୍ବିକାଙ୍କ ପରିବାର ଲୋକଙ୍କୁ ପୋଲିସ ଯୋଗାଯୋଗ କରିଛି।

ଅନ୍ୟପକ୍ଷରେ ସେହି ସ୍ଥାନରେ ରସୁଲଗଡ଼ ପଟୁ ଖଣ୍ଡଗିରି ଆସୁଥିବା ବେଳେ ଏକ ହାଇଓ୍ବା ଟ୍ରକ୍‌ ସିରିଜ୍‌ ଦୁର୍ଘଟଣା ଘଟାଇଥିଲା । ଗୋଟିଏ କାର୍‌, ଗୋଟିଏ ପିକ୍‌ଅପ୍‌ ଭ୍ୟାନ ସହ ଆଉ ଦୁଇଟି ଗାଡ଼ିକୁ ଧକ୍କା ଦେଇ ଡିଭାଇଡର ଅନ୍ୟପଟ ରାସ୍ତାକୁ ଚାଲି ଆସିଥିଲା । ଏହି ଦୁର୍ଘଟଣାରେ ୩ରୁ ୪ଜଣ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।