ନାବାଳିକା ପ୍ରେମିକାଙ୍କୁ ପାଇବା ପାଇଁ ଥାନାରେ ଆତ୍ମାହୁତି ଉଦ୍ୟମ କଲେ ଯୁବକ, କାବୁ କଲା…

ଭୁବନେଶ୍ୱର,୧୩।୩(ବ୍ୟୁରୋ): ମୁଁ ତାଙ୍କୁ ଜୀବନଠାରୁ ବି ଅଧିକ ଭଲ ପାଉଛି। ହେଲେ ତାଙ୍କ ପରିବାର ଲୋକେ ତାଙ୍କୁ ରାଜସ୍ଥାନରେ ଲୁଚାଇ ରଖିଛନ୍ତି। ତମେ ତାଙ୍କୁ ଫେରାଇ ଆଣି ମୋତେ ଦିଅ। ଏମିତି କହି ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ନୟାପଲ୍ଲୀ ଥାନାରେ ପହଞ୍ଚି ଥିଲେ। ପୋଲିସ ଘଟଣା ବୁଝିବାରୁ ଯୁବକ ଜଣଙ୍କ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିବା ଜାଣିବାକୁ ପାଇଥିଲେ। ଝିଅ ନାବାଳିକା ଥିବାରୁ ପୋଲିସ କିଛି କରିପାରିବ ନାହିଁ ବୋଲି ଥାନା ପକ୍ଷରୁ କୁହାଯାଇଥିଲା। ହେଲେ ଯୁବକ ଜଣକ ପ୍ରେମିକାଙ୍କୁ ଆଣିଦେବାକୁ ଜିଦ୍‌ଧରିଥିଲେ। ପୋଲିସ ମନାକରିବାରୁ ସେ ବାହାରକୁ ଯାଇ ଏକ ବୋତଲରେ ପେଟ୍ରୋଲ କିଣି ଥାନାକୁ ଫେରିଥିଲେ। ଥାନା ସାମ୍ନାରେ ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଯୁବକଙ୍କ ଏପରି ଉନ୍ମତ୍ତକାଣ୍ଡ ଦେଖି ପୋଲିସ ତୁରନ୍ତ ତାଙ୍କୁ କାବୁ କରିଥିଲା। ଏହି ସମୟରେ ଯୁବକ ଜଣଙ୍କ ପୋଲିସକୁ ଗାଲିଗୁଲଜ କରିଥିଲେ। ପୋଲିସ ଅଭିଯୁକ୍ତ ବିଫଳ ପ୍ରେମିକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେହେଲେ ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ଅଜୟ ଦୋରା(୨୦)।

ସୂଚନା ଅନୁଯାୟୀ, ଅଜୟ ନୟାପଲ୍ଳୀ ଥାନା ଅନ୍ତର୍ଗତ ଗଣପତି ବସ୍ତିରେ ରହି ରଙ୍ଗମିସ୍ତ୍ରି ଭାବେ କାମ କରୁଥିଲେ। ଅଜୟ ସେହି ବସ୍ତିର ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ। ଅଜୟ ପୂର୍ବରୁ ପ୍ରେମିକାଙ୍କ ଘରକୁ ଯାଇ ଅନେକଥର ବିଭ୍ରାଟ ସୃଷ୍ଟି କରୁଥିଲେ। କିଛିଦିନ ତଳେ ନାବାଳିକା ଜଣକ ରାଜସ୍ଥାନ ଚାଲିଯାଇଥିଲେ। ପ୍ରେମିକାଙ୍କୁ ନ ପାଇ ଅଜୟ ଥାନାରେ ଅଭିଯୋଗ କରିବା ସହ ରାଜସ୍ଥାନରୁ ଆଣିବା ପାଇଁ ଜିଦ୍‌ ଧରିଥିଲେ।