ଲାଇଭ ଭିଡିଓ କରି ଜୀବନ ହାରିଲେ ଯୁବକ

ଖୋର୍ଦ୍ଧା ଅଫିସ,୨୧ା୫: ପୁଣି ପ୍ରେମ ନେଲା ଏକ ଜୀବନ। ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ଲାଇଭ ଭିଡିଓ କରି ଧାରୁଆ ଅସ୍ତ୍ରରେ ନିଜ ହାତକୁ କାଟିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ଏହି ଲାଇଭ ଶୁଟ୍‌ କରିଥିବା ଭିଡିଓ ନିଜ ହ୍ବାଟ୍ସଆପ୍‌ ଷ୍ଟାଟସରେ ଅପ୍‌ଲୋଡ୍‌ କରିଛନ୍ତି। ଶୁକ୍ରବାର ଧଉଳିମୁହଁ ଷ୍ଟେଶନ ଓ ଅଣ୍ଡା ଗ୍ରାମ ମଧ୍ୟବର୍ତ୍ତୀ ରେଳଧାରଣାରୁ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଖୋର୍ଦ୍ଧାରୋଡ୍‌ ଜିଆର୍‌ପି ପୋଲିସ ଜବତ କରି ବ୍ୟବଚ୍ଛେଦ ଲାଗି ଖୋର୍ଦ୍ଧା ମେଡିକାଲ ପଠାଇଛି। ମୃତକ ହେଲେ ଧଉଳିମୁହଁ ଅଞ୍ଚଳର ସୌମ୍ୟରଞ୍ଜନ ପରିଡା(୨୮)। ଏନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।
ସୂଚନା ମୁତାବକ, ସୌମ୍ୟରଞ୍ଜନ ବାହାର ରାଜ୍ୟରେ ରହୁଥିବା ବେଳେ କିଛି ଦିନ ହେବ ଗଁାକୁ ଆସିଥିଲେ। ଗୁରୁବାର ସେ ଘରୁ କେଉଁଆଡେ ପଳାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଏନେଇ ପରିବାର ଲୋକେ ବ୍ୟସ୍ତ ହୋଇ ପଡିଥିଲେ। ଏହି ସମୟରେ ଅନ୍ୟ ସମ୍ପର୍କୀୟମାନଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ, ସୌମ୍ୟ ନିଜ ହାତକୁ କାଟି ଲାଇଭ ଭିଡିଓ କରି ହ୍ବାଟସଆପ୍‌ ଷ୍ଟାଟସରେ ରଖିଛନ୍ତି। ଏନେଇ ପରିବାର ଲୋକେ ସୌମ୍ୟଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ପର୍କ ହୋଇପାରି ନ ଥିଲା। ସୌମ୍ୟ ଗୁରୁବାର ମୋବାଇଲ ଷ୍ଟାଟସରେ ଇମୋଶନାଲ ଭିଡିଓ, ସାୟରୀ ସବୁ ମଧ୍ୟ ପୋଷ୍ଟ କରିଥିଲେ। ରାତି ପ୍ରାୟ ସାଢେ ୧୦ଟାରେ ସେ ନିଜ ହାତ କାଟି ଦେଇଥିବା ଏବଂ ରକ୍ତ ବାହାରି ତଳେ ପଡୁଥିବା ପ୍ରଥମ ଭିଡିଓ ଷ୍ଟାଟସ ଦେଇଥିଲେ। ପରେ ପରେ ସେ ୭ଟି ଭିଡିଓ ପୋଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ସେ କହିଛନ୍ତି, ମୁଁ ମା’ବାପାକୁ ବହୁତ ଭଲପାଏ। କିନ୍ତୁ ମୁଁ ଆଜି ଜାଣିପାରୁନି, କ’ଣ କରୁଛି, କ’ଣ ନ କରୁଛି, ଆଉ କିଛି ସମୟ ବଞ୍ଚିବି… ମୋ ମା’ବାପା କେବେ କଷ୍ଟ ନ ପାଆନ୍ତୁ, ମୁଁ ଯାହାକୁ ଭଲ ପାଇଥିଲି, ସେ ମୋତେ ଧୋକା ଦେଲା। ଭାଇ ତୁ ସାନ ଭାଇଟେ ହେବୁ, ମା’ ବାପାଙ୍କୁ ଖୁସିରେ ରଖିବୁ, ମୁଁ ତୋ ପାଇଁ କିଛି କରିପାରିଲି ନାହିଁ ବୋଲି କହୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ରେଳଧାରଣା କଡରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ଖବରପାଇ ଖୋର୍ଦ୍ଧା ସଦର ଥାନା ପୋଲିସ ପହଞ୍ଚିଥିଲା। ସଦର ପୋଲିସ ଠାରୁ ସୂଚନାପାଇ ଖୋର୍ଦ୍ଧା ରୋଡ୍‌ ଜିଆରପି ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହଟି ସୌମ୍ୟରଞ୍ଜନଙ୍କର ଏବଂ ସେ ପ୍ରେମରେ ବିଫଳ ହେବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏନେଇ ଜିଆର୍‌ପି ଥାନା ଓଆଇସି ଧରଣୀଧର ପ୍ରଧାନ କହିଛନ୍ତି, ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।