ଓ୍ବେବ୍‌ସାଇଟ୍‌ରେ ଶ୍ରୀମନ୍ଦିରର ଭୁଲ୍‌ ଚିତ୍ର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ସଚିବଙ୍କ ବିରୋଧରେ ଏତଲା

ପୁରୀ ଅଫିସ,୯ା୧୨: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ୱେବ୍‌ସାଇଟ୍‌ରେ ଶ୍ରୀମନ୍ଦିର ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିରକୁ ଏଥିରେ ଭୁଲ୍‌ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଚିତ୍ର ପରିବର୍ତ୍ତେ ଏଥିରେ ବାଲେଶ୍ୱରର ଇମାମୀ ଜଗନ୍ନାଥ ମନ୍ଦିରର ଫଟୋ ଦିଆଯାଇଛି। ଏ ନେଇ ମଙ୍ଗଳବାର ସିଂହଦ୍ୱାର ଥାନାରେ ଏତଲା ଦାଏର କରାଯାଇଛି। ପୁରୀ ଜିଲା ଯୁବ ଅଧିବକ୍ତା ସଂଘର ଅନିଲ କୁମାର ସାହୁ ଏହି ଏତଲା ଦାଏର କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନ ଇନ୍‌କ୍ରେଡିବଲ୍‌ ଇଣ୍ଡିଆରେ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଜ୍ଞାପନ ଦିଆଯାଇଥାଏ। ଏହାର ୟୁଟ୍ୟୁବ୍‌ରେ ବିଭିନ୍ନ ଐତିହାସିକ ସ୍ଥାନ ରହିଛି। ଏଥିରେ ଶ୍ରୀମନ୍ଦିରର ଭୁଲ୍‌ ଫଟୋ ସ୍ଥାନିତ ହୋଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବଙ୍କ ସମେତ ଇନ୍‌କ୍ରେଡିବଲ୍‌ ଇଣ୍ଡିଆ ସଂସ୍ଥା ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଏତଲାରେ ନିବେଦନ କରାଯାଇଛି।