ଗର୍ଭବତୀଙ୍କୁ କିରୋସିନ ଢାଳି ନିଆଁ ଲଗାଇଦେଲେ ପୂଜକ

ଭୁବନେଶ୍ୱର,୧୫।୫ (ବ୍ୟୁରୋ): ମନ୍ଦିର ପୂଜକଙ୍କ ଅମାନବୀୟ କାଣ୍ଡ। ଜଣେ ବିବାହିତା ଗର୍ଭବତୀ ମହିଳାଙ୍କୁ ପ୍ରେମରେ ଫସାଇ ପାଖରେ ରଖିଲେ। ଏବେ କୌଣସି କାରଣରୁ ତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ। ମହିଳା ଜଣକ ଗର୍ଭବତୀ ଥିବାବେଳେ ସେ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ବଞ୍ଚତ୍ବାକୁ ସଂଘର୍ଷ କରୁଛନ୍ତି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହଙ୍ଗ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏନେଇ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ ଆଧାରରେ ପୋଲିସ ହତ୍ୟା ଉଦ୍ୟମ ଦଫାରେ ମାମଲା (ନଂ.୨୦୩/୨୩) ରୁଜୁ କରି ଅଭିଯୁକ୍ତ ପୂଜକଙ୍କୁ ଗିରଫ କରିଛି। ସେ ହେଲେ କଳାରାହାଙ୍ଗ ଅଞ୍ଚଳର ବିଜୁ ପଣ୍ଡା ଓରଫ ବାଙ୍କ। ଗିରଫ ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। ଏଥିସହ ତାଙ୍କଠାରୁ ପୋଲିସ ଏକ କିରୋସିନ ଷ୍ଟୋଭ୍‌ ଓ ପୀଡିତାଙ୍କ ମୋବାଇଲ ଫୋନ ଜବତ କରି ଅଧିକ ତଦନ୍ତ ଚଳାଇଛି।
ସୂଚନାନୁସାରେ, ପୀଡିତା ମହିଳା ଗତ ୧୨ବର୍ଷ ପୂର୍ବେ ବିବାହ କରିଥିଲେ। ହେଲେ କୌଣସି ସନ୍ତାନ ସନ୍ତତି ହେଉ ନ ଥିବାରୁ ସ୍ବାମୀସ୍ତ୍ରୀ ଦୁହେଁ କଳାରାହାଙ୍ଗ ଗ୍ରାମସ୍ଥିତ ଜଳେଶ୍ୱର ମନ୍ଦିରକୁ ପୂଜା କରିବା ପାଇଁ ନିୟମିତ ଯାଉଥିଲେ। ଏହି ସମୟରେ ସମ୍ପୃକ୍ତ ମହିଳାଙ୍କ ଉପରେ ମନ୍ଦିର ପୂଜକ ବିଜୁଙ୍କର ଲୋଲୁପ ଦୃଷ୍ଟି ପଡିଥିଲା। ତେଣୁ ସେ ଶିଶୁ ଜନ୍ମ ପାଇଁ ଆଶୀର୍ବାଦ ଦେବା ସହ ଆଶ୍ୱାସନା ଦେଇ ନିକଟତ ହେଉଥିଲେ। ବାରମ୍ବାର ଯିବାଆସିବା ଭିତରେ ଅଭିଯୁକ୍ତ ବିଜୁ ଓ ଉକ୍ତ ମହିଳାଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ଏନେଇ ସ୍ବାମୀ ଜାଣିବା ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ସେ ୧୦ମାସର ଗର୍ଭବତୀ ହୋଇଯାଇଥିଲେ। ଶେଷରେ ମହିଳା ଜଣକ ସ୍ବାମୀଙ୍କୁ ଛାଡ଼ି ଗତ ୧୫ଦିନ ହେବ ପୂଜକଙ୍କ ପାଖକୁ ଚାଲି ଆସି ତାଙ୍କ ଘରେ ରହୁଥିଲେ। ଗତ ୧୧ ତାରିଖରେ ପୂଜକ ବିଜୁ ଓ ମହିଳାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ବିଜେ ମହିଳାଙ୍କଠାରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇ ପାଖରେ ରଖିବା ସହ ନିଜ ହାତକୁ ଏକ ବ୍ଲେଡରେ କାଟିଦେଇଥିଲେ। ପୁନର୍ବାର ପରଦିନ ରାତିରେ ପୁଣି ସେମାନଙ୍କ ମଧ୍ୟରେ ଝଗଡା ହେବାରୁ ଅଭିଯୁକ୍ତ ବିଜୁ ଉତ୍ତ୍ୟକ୍ତ ହୋଇ ଷ୍ଟୋଭ୍‌ରୁ କିରୋସିନ ଆଣି ଗର୍ଭବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଫଳରେ ମହିଳା ଜଣକ ପୋଡ଼ିଯାଇ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣାକୁ ନେଇ ମହିଳାଙ୍କ ସ୍ବାମୀ ଗତ ୧୩ ତାରିଖରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ କରି ଅଭିଯୁକ୍ତ ପୂଜକ ବିଜୁଙ୍କୁ ଗିରଫ କରିଥିଲା।