୬ଷ୍ଠ ଦିନରେ ଶ୍ରମିକ ସଙ୍ଗଠନର ଗଣଧାରଣା

ତାଳଚେର,୧୭।୭(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ନୂତନ ସାଇଲୋ ଘରୋଇକରଣର ପ୍ରତିବାଦରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ଶନିବାର ୬ଷ୍ଠ ଦିନରେ ପହଞ୍ଚିଛି। ସକାଳେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ଶ୍ରମିକମାନେ ଧାରଣାରୁ ଉଠି ନ ଥିଲେ। ତେବେ ଧାରଣା ଜାରି ରହିଥିଲେ ମଧ୍ୟ ଏହି ସମୟରେ ଶ୍ରମିକମାନେ ରେଳ ଯୋଗେ ସର୍ବାଧିକ କୋଇଲା ପଠାଇ ନିଜ କାର୍ଯ୍ୟଦକ୍ଷତାର ପରିଚୟ ଦେଇଛନ୍ତି। ନିଜ ଅଧିକାର ପାଇଁ ଲଢେଇ ଚାଲିଥିଲେ ବି ଦେଶର ପ୍ରଗତି ତଥା ଏମ୍‌ସିଏଲର ଉନ୍ନତି ଦିଗରେ ଶ୍ରମିକମାନେ ଅଧିକ କୋଇଲା ଉତ୍ପାଦନ କରିବା ଆବଶ୍ୟକ ବୋଲି ଉପସ୍ଥିତ ଶ୍ରମିକନେତାମାନେ ଧାରଣାସ୍ଥଳରେ ଉଦ୍‌ବୋଧନ ଦେଇଥିଲେ। ଏହି ଧାରଣାରେ ଶ୍ରମିକ ସଙ୍ଗଠନ ଆଇଏନ୍‌ଟିୟୁସି,ବିଏମ୍‌ଏସ୍‌, ଏଚ୍‌ଏମ୍‌ଏସ୍‌ ଓ ଏଆଇଟିୟୁସିର ନେତୃମଣ୍ଡଳୀ ଯୋଗ ଦେଇଥିଲେ। ବରିଷ୍ଠ ଶ୍ରମିକନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ଶଙ୍କର ବେହେରା, ସଞ୍ଜୟ ମାଝି, ସୁରେନ୍ଦ୍ର ଶର୍ମା, ବାବୁଲାଲ ଖଣ୍ଡୁଆଳ, ଛବିନ୍ଦ୍ର ଖିଲାର, ଶମ୍ବୁନାଥ ନାହାକ, ତ୍ରିବେଣୀ ବିଶ୍ୱାଳ, ରଣଜିତ ସାମଲ ପ୍ରମୁଖ ଯୋଗ ଦେଇଥିଲେ।