ଶ୍ରମିକ କାର୍ଡ ହାତେଇଛନ୍ତି ଅଣଶ୍ରମିକ

ଭଦ୍ରକ,୭।୪ (ସନାତନ ରାଉତ)ଭଦ୍ରକ ଜିଲାରେ ଶ୍ରମିକ କାର୍ଡ ହାତେଇଛନ୍ତି ବହୁ ଅଣଶ୍ରମିକ। ଫଳରେ ପ୍ରକୃତ ଶ୍ରମିକ ଶ୍ରମକାର୍ଡରୁ ବଞ୍ଚତ୍ତ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଜିଲାରେ ଏବେ ନିର୍ମାଣ ଶ୍ରମିକ କାର୍ଡ ସଂଖ୍ୟା ଦେଢ଼ ଲକ୍ଷ ଟପିଥିବା ବେଳେ ବହୁ ଶ୍ରମିକ ଏଥିରୁ ବାଦ୍‌ ପଡ଼ିଛନ୍ତି। ଜିଲା ଶ୍ରମ କାର୍ଯ୍ୟାଳୟ ଦଲାଲଙ୍କ କବ୍‌ଜାରେ ରହିଛି। ଦଲାଲଙ୍କୁ ନ ଧରିଲେ ଗ୍ରାମାଞ୍ଚଳର ସାଧାରଣ ଶ୍ରମିକଟିଏ କାର୍ଡ ପାଇବା କଷ୍ଟକର ହୋଇପଡ଼ୁଛି। ଗୋଟିଏ ଶ୍ରମ କାର୍ଡ କରାଇ ଦେବାକୁ ୧୫ ଶହରୁ ଊର୍ଦ୍ଧ୍ୱ ଟଙ୍କା ଲାଞ୍ଚ ଦେବାକୁ ପଡ଼ୁଛି ବୋଲି ପଞ୍ଜୀକରଣ ପାଇଁ ଆସୁଥିବା ଶ୍ରମିକମାନେ ଅଭିଯୋଗ କରୁଛନ୍ତି। କିଛି ଅନାମଧ୍ୟେୟ ଶ୍ରମିକ ସଙ୍ଗଠନ କାର୍ଡ କରାଇ ଦେବାକୁ କହି ଦଲାଲ କାମ କରୁଛନ୍ତି। ଗଁା ଗଁାରେ ବୁଲି ନିର୍ମାଣ ଶ୍ରମିକମାନଙ୍କ ପାଖରୁ ଫର୍ମ ପୂରଣ କରି କାର୍ଡ କରାଇ ଦେବା ପର୍ଯ୍ୟନ୍ତ ସବୁକାମ କରାଇଦେବେ କହି ଟଙ୍କା ଆଦାୟ କରୁଛନ୍ତି। କିଛି ବର୍ଷ ତଳେ ମଧ୍ୟ ଭଦ୍ରକ ଶ୍ରମ କାର୍ଯ୍ୟାଳୟରେ କିଛି ନକଲି କାର୍ଡ଼ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା।
୨୦୨୩ ଶେଷ ସୁଦ୍ଧା ଶ୍ରମ କାର୍ଯ୍ୟାଳୟରେ ୧ ଲକ୍ଷ ୬୫ ହଜାର ୬୯୭ ଶ୍ରମିକଙ୍କ ନାମ ପଞ୍ଜୀକରଣ ହୋଇସାରିଛି। ଶ୍ରମିକ ହୁଅନ୍ତୁ କି ନ ହୁଅନ୍ତୁ ଶ୍ରମିକ ସଙ୍ଗଠନ ମଞ୍ଜୁରୀ ପତ୍ର ଦେବା ପରେ ଶ୍ରମିକ କାର୍ଡ ମିଳିପାରୁଛି। ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯନ୍ତ୍ରପାତି ଯୋଗାଇ ଦେବା, ସାଇକେଲ ଦେବା, ପିଲାମାନଙ୍କୁ ଶିକ୍ଷାବୃତ୍ତି ପ୍ରଦାନ, ଝିଅ ବାହାଘର ପାଇଁ ସହାୟତା ରାଶି ପ୍ରଦାନ ଆଦି ବହୁ କଲ୍ୟାଣକାରୀ ଯୋଜନା ପ୍ରଣୟନ ହୋଇଥିବାରୁ ଏହି ସୁବିଧା ହାତେଇବାକୁ ଅଣଶ୍ରମିକମାନେ ବିଭିନ୍ନ ଉପାୟରେ କାର୍ଡ ହାତେଇ ନେଉଛନ୍ତି। ଶ୍ରମିକ ନେତାଙ୍କଠାରୁ ଆରମ୍ଭ କରି ଶ୍ରମିକ ଓ ଅଣଶ୍ରମିକମାନଙ୍କ କାର୍ଡ ହାତେଇବା ପାଇଁ ପ୍ରତିଦିନ ଶ୍ରମ କାର୍ଯ୍ୟାଳୟ ଆଗରେ ଲମ୍ବା ଧାଡ଼ି ଲାଗୁଛି। ଏନେଇ ଜିଲା ଶ୍ରମ ଅଧିକାରୀ ପ୍ରେମ ମଞ୍ଜରୀ ନାୟକ କହିଛନ୍ତି, ନିୟମ ଅନୁସାରେ ଶ୍ରମ କାର୍ଡ ପ୍ରସ୍ତୁତ କରାଯାଉଛି, ଲାଞ୍ଚ ନିଆଯାଉଥିବା ନେଇ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।