ଓ୍ବାର୍କ ଅର୍ଡର ମିଳୁ ନ ଥିବାରୁ କାମ ଆରମ୍ଭ ହେଉନି

ଭୁବନେଶ୍ୱର,୧୭।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ଥିବା ୬୭ଟି ଓ୍ବାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରତି ଓ୍ବାର୍ଡକୁ ୧କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଓ୍ବାର୍ଡରେ କେଉଁଭଳି ଉନ୍ନୟନମୂଳକ କାର୍ଯ୍ୟ ହେବ, ସେନେଇ ପ୍ରସ୍ତାବ ଦିଆଯାଇଥିବା ବେଳେ ତାହା ପାରିତ ହୋଇଛି। ମାତ୍ର ଓ୍ବାର୍କ ଅର୍ଡର ମିଳି ନ ଥିବାରୁ କାମ ଆରମ୍ଭ ହୋଇପାରୁ ନାହିଁ। ଫଳରେ ଅଧିକାଂଶ କାମ ଅଟକି ପଡିଥିବାରୁ ମେୟର ସୁଲୋଚନା ଦାସ କ୍ଷୋଭ ପ୍ରକାଶ କରିଥିଲେ। ତୁରନ୍ତ ପାରିତ ହୋଇଥିବା ସମସ୍ତ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଓ୍ବାର୍କ ଅର୍ଡର ଜାରି ହେବା ନେଇ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଯେଉଁ କଣ୍ଟ୍ରାକ୍ଟରମାନେ କାମ ଖରାପ କରୁଛନ୍ତି, ସେନେଇ ସମ୍ପୃକ୍ତ ଓ୍ବାର୍ଡର କର୍ପୋରେଟର କମିଟିକୁ ଅବଗତ କରାଇବେ। ଏହାଦ୍ୱାରା କମିଟି ତାହା ତଦାରଖ କରି ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କୁ କଳା ତାଲିକାଭୁକ୍ତ କରାଇବ ବୋଲି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ବିଏମ୍‌ସି ମୁଖ୍ୟାଳୟରେ ବିଏମ୍‌ସିର ଓ୍ବାର୍କ୍ସ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମେୟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କମିଟି ଚେୟାରମ୍ୟାନ ଅମରେଶ ଜେନା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ସେହିପରି କର୍ପୋରେଟରମାନେ ନିଜ ନିଜ ଅଞ୍ଚଳ ବୁଲି ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ମେୟର ତାଗିଦ୍‌ କରିଥିଲେ। ଅପରପକ୍ଷେ ମହାନଗର ନିଗମର ୬୭ଟି ଓ୍ବାର୍ଡ ପାଇଁ ଆବଶ୍ୟକ ସଂଖ୍ୟକ ଇଞ୍ଜିନିୟର ନାହାନ୍ତି। ଜଣେ ଇଞ୍ଜିନିୟରଙ୍କ ଦାୟିତ୍ୱରେ ୪/୫ଟି ଓ୍ବାର୍ଡ ରହିଛି। ଫଳରେ ଉନ୍ନୟନ୍ନମୂଳକ କାର୍ଯ୍ୟ ଠିକ୍‌ ଭାବେ ଆଗେଇପାରୁ ନାହିଁ। ତେଣୁ ସମସ୍ତ ଓ୍ବାର୍ଡରେ ଇଞ୍ଜିନିୟର ନିଯୁକ୍ତ କରିବା ପାଇଁ ସରକାରଙ୍କୁ ଅବଗତ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଏମ୍‌ସିର ନିଜସ୍ବ ଗୋଟିଏ ବି ଓ୍ବାର୍ଡ ଅଫିସ ନାହିଁ। ଯେଉଁ କେତୋଟି ହାତଗଣତି ଓ୍ବାର୍ଡରେ ଓ୍ବାର୍ଡ ଅଫିସ ରହିଛି ସେଗୁଡିକ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର କିମ୍ବା କର୍ପୋରେଟରଙ୍କ ନିଜ ପ୍ରଚେଷ୍ଟାରେ ଚାଲିଛି। ତେଣୁ ସମସ୍ତ ଓ୍ବାର୍ଡରେ ଓ୍ବାର୍ଡ ଅଫିସ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ତେବେ ୬୭ଟି ଓ୍ବାର୍ଡ ଅଫିସ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ହୋଇଥିବାବେଳେ ସେଥିରୁ ୩୦ଟି ଓ୍ବାର୍ଡ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଛି। ସେହିପରି ଜିଏ ବିଭାଗ ଚିହ୍ନଟ କରିଥିବା ଜାଗା ମଧ୍ୟରୁ ପ୍ରାୟ ୧୪ଟି ଓ୍ବାର୍ଡରେ ଅଫିସ୍‌ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ଛୋଟ ରହିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସମସ୍ତ କାର୍ଯ୍ୟ ଆରମ୍ଭ କରିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ କମିଟିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।