କାଠଗୁଡ଼ା ଗଡ଼ିଗଲା

ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପୂର୍ଣ୍ଣ ଭାବେ କିଭଳି ଅନୁଭୂତ ହେଲାଣି ତା’ର ସଦ୍ୟ ଟ୍ରେଲର ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ଜମ୍ମୁ ଓ କଶ୍ମୀରରୁ ଦେଖିବାକୁ ମିଳିଛି। ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କେତେକ ସ୍ଥାନରେ ଗୋଟିଏ ଦିନରେ ଯେଭଳି ବର୍ଷା ହୋଇଛି, ତାହା ଗୋଟେ ମାସର ରେକର୍ଡ ସହ ସମାନ ବୋଲି କୁହାଗଲାଣି। ଚଳିତ ଋତୁରେ ହିମାଚଳ ପ୍ରଦେଶ ଓ ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟରେ ଯେଉଁଭଳି ବନ୍ୟା ସ୍ଥିତିର ଭିଡିଓ ଦେଖିବାକୁ ମିଳିଛି, ସେଥିରୁ ମନୁଷ୍ୟକୃତ ବିପର୍ଯ୍ୟୟ ଯୋଗୁ ପ୍ରକୃତିର ରୋଷ କିଭଳି ରୂପ ଧାରଣ କରିପାରେ ତାହା ଅନୁମେୟ। ନଦୀଜଳରେ ଅସଂଖ୍ୟ କାଠଗଣ୍ଡି ଭାସିଯିବାର ଦୃଶ୍ୟ ସୂଚାଇ ଦେଇଛି ଯେ କେତେ ମାତ୍ରାରେ ସେହି ସବୁ ଅଞ୍ଚଳରେ ଗଛ କଟାଯାଉଛି। ଏଥିରେ ସ୍ଥାନୀୟ ଅଧିବାସୀ ଓ ସରକାରୀ କର୍ମଚାରୀଙ୍କ ସହ କେଉଁ ଧରଣର ମଧୁର ସମ୍ପର୍କ କାଠ ମାଫିଆ ରଖିଛନ୍ତି, ତାହା ବୁଝି ହୋଇଯାଉଛି। ଗଛ କାଟି ତାହାକୁ ଗଦାଗଦା କରି ରଖିଥିବା ବେଳେ ସେଗୁଡ଼ିକ ବନ୍ୟା ଜଳରେ ଭାସିଯିବା ପରେ ସବୁ ବିଷୟ ପଦାକୁ ଆସିଛି। ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟଗୁଡ଼ିକରେ କ୍ରମାଗତ ଭୂସ୍ଖଳନ ଓ ବନ୍ୟା ପାଇଁ ବେଆଇନ ଗଛକଟା ଦାୟୀ ବୋଲି ୪ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିବା ସହ କେନ୍ଦ୍ର ସରକାର, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରଭାବିତ ରାଜ୍ୟଗୁଡ଼ିକୁ ଜବାବ ମାଗିଥିଲେ। ଏଥିସହିତ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ସମେତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ ଓ କଶ୍ମୀର ଏବଂ ପଞ୍ଜାବ ସରକାରଙ୍କୁ ଏ ନେଇ ନୋଟିସ ଜାରି କରିଛନ୍ତି। ଭିତ୍ତିଭୂମି ବିକାଶ ଓ ପରିବେଶ ସୁରକ୍ଷା ଦିଗରେ ଏମାନେ କ’ଣସବୁ ପଦକ୍ଷେପ ନେଉଛନ୍ତି ସେହି ବିଷୟରେ କୋର୍ଟ ଜାଣିବାକୁ ଚାହିଁବା ନିଶ୍ଚିତ ଭାବେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଆମ ସମସ୍ତଙ୍କ ସମ୍ମୁଖରେ ଦଣ୍ଡାୟମାନ।
ବିକାଶ ନାମରେ ପରିବେଶକୁ ଧ୍ୱଂସ କରାଗଲେ ତା’ର କୁଫଳ ଏହି ମଣିଷକୁ ଭୋଗ କରିବାକୁ ପଡ଼ୁଛି। ଅନାବଶ୍ୟକ ସ୍ଥଳେ ଓ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରା ନ ଯାଇ ଅବିଚାରିତ ଭାବେ ଗଛ କାଟି ଦିଆଯାଉଥିବାରୁ ତାହାର ସିଧାସଳଖ ପ୍ରଭାବ ପରିସଂସ୍ଥାନ ଉପରେ ପଡ଼ୁଛି। ହିମାଳୟ ସଂଲଗ୍ନ ରାଜ୍ୟଗୁଡ଼ିକରେ ବ୍ୟାପକ ଗଛକଟା, ନଦୀ ଅଞ୍ଚଳଗୁଡ଼ିକରେ ଅସଂଖ୍ୟ ଜଳବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ ଏବଂ ପର୍ଯ୍ୟଟନକୁ ବଢ଼ାଇବା ଲାଗି ହେଉଥିବା ନିର୍ମାଣ ଭୂସ୍ଖଳନ, ବାଦଲଫଟା ବର୍ଷା ଓ ବନ୍ୟା ସୃଷ୍ଟି କରୁଛି ବୋଲି ଅନେକ ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଉଛି। ହେଲେ କେହି ଏହାକୁ ଶୁଣିବା ସ୍ଥିତିରେ ଥିବା ଭଳି ମନେହେଉ ନାହିଁ। ମଣିଷର ଲୋଭ ଓ ସାମୟିକ ଲାଭ ପାଇଁ ସମ୍ପୃକ୍ତ ଅଞ୍ଚଳର ମାଟି ଦିନକୁ ଦିନ ଫପ୍‌ସା ହେବାରେ ଲାଗିଛି। ସମସ୍ତେ ଜାଣିଛେ ଯେ, ଗଛ ସଂଖ୍ୟା କମିଗଲେ ମାଟି ଧୋଇଯିବା ସହ ବର୍ଷା ଜଳ ନଦୀକୁ ଯାଇ ଅସମ୍ଭାଳ ବନ୍ୟାସ୍ଥିତି ସୃଷ୍ଟି କରିଥାଏ। ପୁଣି ବିକାଶ ନାମରେ ଯେଉଁଠାରେ ଗଛ କଟା ଚାଲୁଛି, ସେହି ସଂଖ୍ୟାକୁ ପୂରଣ କରିବା ଲାଗି ନିକଟ ଅଞ୍ଚଳରେ ବନୀକରଣକୁ ଗୁରୁତ୍ୱ ଦିଆଯିବା କଥା। ହେଲେ ସେହି ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉ ନ ଥିବାରୁ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏସବୁକୁ ଦେଖି ସ୍ପଷ୍ଟ ଭାବେ କହିହେବ ଯେ, ମନୁଷ୍ୟକୃତ ଭୁଲ କାର୍ଯ୍ୟ ଯୋଗୁ ଜଳବାୟୁ ପରିବର୍ତ୍ତନ ଓ ତତ୍‌ଜନିତ ବିପଦ ବଢ଼ିଚାଲିଛି। କେବଳ ହିମାଳୟ ଅଞ୍ଚଳ ନୁହେଁ, ଓଡ଼ିଶାରେ ଥିବା ପରିବେଶ ସମ୍ବେଦନଶୀଳ ଅଞ୍ଚଳ ସାତକୋଶିଆ, ଚିଲିକା, ଶିମିଳିପାଳ ଆଦି ମଣିଷର ଲୋଭାତୁର କାର୍ଯ୍ୟ ଯୋଗୁ ବିଗିଡ଼ି ଗଲାଣି। ଚିଲିକାରେ ସିପ୍ଲେନ୍‌ ଉଡ଼ିବା ନେଇ ନିକଟରେ ଆଲୋଚନା ହେବା ସହଜରେ ଭାଙ୍ଗିପାରୁଥିବା ପରିବେଶ ଭାରସାମ୍ୟ (ଫ୍ରାଜାଇଲ୍‌ ଇକୋଲୋଜିକାଲ ବାଲାନ୍ସ)କୁ କ୍ଷତି ପହଞ୍ଚାଇବା ଜଳ ଜଳ ଦିଶୁଛି। ଏମିତି ଦେଖିଲେ ଓଡ଼ିଶାର ଅନେକ ଇଲାକା ବନ୍ୟା ଓ ବାତ୍ୟା ପ୍ରବଣ ରହିଛି। ଯଦି ମଣିଷର ଗୋଟିଏ ଗୋଟିଏ ପ୍ରକୃତିବିଗିଡ଼ା କାମ ବଢ଼ି ଚାଲିବ, ତାହାର କୁପ୍ରଭାବ ଏହି ପ୍ରାଣୀଜଗତ ଭୋଗିବା ଥୟ।
ଏଠି ମନେପଡ଼େ ୨୦୨୨ ଫେବୃଆରୀରେ ପୃଥିବୀର ଫୁସ୍‌ଫୁସ୍‌ କୁହାଯାଉଥିବା ବ୍ରାଜିଲର ଆମାଜନ ଜଙ୍ଗଲରେ ବ୍ୟାପକ ଗଛ କଟାଯିବା ବିଷୟ। ଏଭଳି ଘଞ୍ଚ ଜଙ୍ଗଲ ଜଳବାୟୁ ସ୍ଥିର ରଖିବାରେ ସହାୟକ ହୋଇଥାଏ। ବିକାଶ ନାମରେ ଯେଉଁଭଳି ଭାବେ ଜଙ୍ଗଲ ଧ୍ୱଂସ କରାଗଲା ସେଥିଲାଗି ସେଠାକାର ତତ୍‌କାଳୀନ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଥିଲା। ଏପଟେ ଭାରତର ନଦୀରେ ଭାସି ଯାଉଥିବା କାଠଗଣ୍ଡିର ଦୃଶ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟଥିତ କରିବା କଥା। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ପ୍ରକୃତି ବିରୋଧୀ କାର୍ଯ୍ୟରେ ଜଡ଼ିତ ଲୋକଗୁଡ଼ାକୁ ଠାବ କରି ଦଣ୍ଡିତ କରିବାର ସମୟ ଆସିଲାଣି। ଏ ଦିଗରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ନିତାନ୍ତ ଆବଶ୍ୟକ। ସାମୟିକ ଲୋଭକୁ ଚରିତାର୍ଥ କରିବା ଲକ୍ଷ୍ୟରେ ବର୍ତ୍ତମାନ ଏସବୁ ପ୍ରତି ଆଖିବୁଜି ଦେଲେ ଆଗକୁ ସେହି ସବୁ ଅଞ୍ଚଳ ନଦୀଗର୍ଭକୁ ଚାଲିଯିବା ଡେରି ନୁହେଁ। ଗଦା ହୋଇଥିବା କାଠଗୁଡ଼ା ଗଡ଼ିଯାଉଥିବାର ଦୃଶ୍ୟ ଏବେ ସମସ୍ତଙ୍କ ପାଇଁ ସତର୍କଘଣ୍ଟି ବୋଲି ଭାବିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ, ୩୦ ଜିଲାରେ ବନ୍ଦ ରହିବ…

ଭୁବନେଶ୍ୱର,୨୮ା୧(ସୁନିତ୍‌ ମିଶ୍ର): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର…

ଅଡୁଆରେ କର୍ଣ୍ଣାଟକ ସରକାର: ୬,୦୦୦ କୋଟିର ମଦ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ,୨୭।୧: କର୍ଣ୍ଣାଟକର କଂଗ୍ରେସ ସରକାର ଏକ ବଡ଼ ଧରଣର ଦୁର୍ନୀତି ଅଭିଯୋଗର ଘେରକୁ ଆସିଛନ୍ତି। ରାଜ୍ୟ ଅବକାରୀ ବିଭାଗରେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୬,୦୦୦…

ଭାରତ-EU ମୁକ୍ତ ବାଣିଜ୍ୟ ଚୁକ୍ତି: କେଉଁ ରାଜ୍ୟକୁ ମିଳିବ କେତେ ଫାଇଦା? ଜାଣନ୍ତୁ

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA)। ଏହି ଚୁକ୍ତି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଏକ…

ବଦଳିବ କ୍ୟାପିଟାଲ ହସ୍ପିଟାଲର କାୟାକଳ୍ପ: ୪୦କୁ ବୃଦ୍ଧି ପାଇବ ଆଇସିୟୁ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର,୨୭।୧: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ମଙ୍ଗଳବାର ଅନୁଷ୍ଠିତ ରୋଗୀ…

ଆଉ ଶୁଭିବନି ଅରିଜିତଙ୍କ ସ୍ୱର: ଅବସର ଘୋଷଣା କରି ସମସ୍ତଙ୍କୁ ଚମକାଇଲେ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟକ ଅରିଜିତ୍ ସିଂ ମଙ୍ଗଳବାର ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ଚଳଚ୍ଚିତ୍ର ପାଇଁ କଣ୍ଠଦାନ ବା…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri