ମରି ପଡ଼ିଥିଲେ ମହିଳା, କୁନିଝିଅ କହିବା ପରେ ଜଣାପଡ଼ିଲା ପୂରା ଘଟଣା

ବଲାଙ୍ଗୀର ଅଫିସ,୨୭ା୧୨: ବଲାଙ୍ଗୀର ସହର ସାଗରପଡ଼ାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାଗରପଡ଼ା ଶିବ ମନ୍ଦିର ନିକଟ ଘର ଭିତରୁ ଜଣେ ବିଧବା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଲେ କୁନି ନାଏକ। ଇନ୍ଦିରାନଗରପଡ଼ାର କୁନିଙ୍କ ପ୍ରାୟ ୪ବର୍ଷ ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପ୍ରାୟ ୫ବର୍ଷର ଝିଅ ଆର୍ଯ୍ୟା ସହ ସାଗରପଡ଼ାର ଜଣେ ବ୍ୟକ୍ତିଙ୍କ ଗ୍ୟାରେଜ ଘରେ ରହି ଆଖପାଖ ଅଞ୍ଚଳରେ କାମଧନ୍ଦା କରି ଗୁଜୁରାଣ ମେଣ୍ଟାଉଥିଲେ। ସୋମବାର ସକାଳେ ଝିଅ ଆର୍ଯ୍ୟା ପାଖପଡ଼ୋଶୀଙ୍କ ପାଖକୁ ଯାଇ ତାଙ୍କ ମା’ଙ୍କ ମୁହଁରୁ ପୋକ ବାହାରୁଥିବା କହିଥିଲା। ସ୍ଥାନୀୟ ଲୋକେ ଘରଭିତରକୁ ଯିବାରୁ ଘର ଭିତରେ ପ୍ରବଳ ଗନ୍ଧ ହେଉଥିବା ବେଳେ କୁନିଙ୍କ ଗଳିତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବଲାଙ୍ଗୀର ଏସ୍‌ଡିପିଓ ତୋଫାନ ବାଗ୍‌ଙ୍କ ନେତୃତ୍ୱରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ଚାଇଲ୍ଡଲାଇନ୍‌ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଝିଅ ଆର୍ଯ୍ୟାଙ୍କୁ ନେଇଥିବା ସୂଚନା ମିଳିଛି। କେତେ ଦିନ ପୂର୍ବରୁ କୁନିଙ୍କ ମୃତ୍ୟୁ ଘଟିଥିଲା ଜଣାପଡ଼ିନାହିଁ। ଘଟଣାଟି ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।