ରାଜଧାନୀରେ ଚାଞ୍ଚଲ୍ୟ: ମଲ୍‌ରୁ ୫୦ ହଜାର ଟଙ୍କାର ସାମଗ୍ରୀ ନେଇଗଲେ ମହିଳା

ଭୁବନେଶ୍ୱର, ୭ା୮(ବ୍ୟୁରୋ) – ଶପିଂ ମଲ୍‌ରେ ପଶି ମନଇଚ୍ଛା ୫୦ହଜାର ଟଙ୍କାର ସାମଗ୍ରୀ ବାଛିଲେ। ପେମେଣ୍ଟ ନ କରି ପଳାଉଥିବାବେଳେ କର୍ମଚାରୀମାନେ ଅଟକାଇଲେ। ହେଲେ ସେ କର୍ମଚାରୀଙ୍କୁ ଗାଳିଗୁଲଜ ସହ ନାଲିଆଖି ଦେଖାଇଲେ। ବଳାତ୍କାର ମାମଲାରେ ଫସାଇ ଦେବାକୁ ଧମକ ଦେଇ ପୁରୁଷ ବନ୍ଧୁଙ୍କ ସହ ଫେରାର ହୋଇଗଲେ। ଗୁରୁବାର ତମାଣ୍ଡୋ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ମଲ୍‌ ମ୍ୟାନେଜର ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ମଲ୍‌ରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ସିସିଟିଭି ଫୁଟେଜରେ ମହିଳା ଜଣକ କିପରି ଦାଦାଗିରି ଦେଖାଇଥିଲେ ତାହା ସ୍ପଷ୍ଟ ଦେଖାଯାଉଛି। ସେ ମଧ୍ୟ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକ ଦାମୀ କାର୍‌ରେ ଶପିଂ ମଲ୍‌କୁ ଆସିଥିବା ଜଣାପଡିଛି। ତେବେ ଥାନାରେ ମାମଲା ରୁଜୁ ହୋଇଥିବା ଖବର ପାଇ ମହିଳା ଜଣକ ଗିରଫ ଭୟରେ ତୁରନ୍ତ ଶପିଂ କରିଥିବା ସାମଗ୍ରୀକୁ ଧରି ପୁଣି ସେହି ମଲ୍‌କୁ ଆସି ଫେରାଇ ଥିବା ଜଣାପଡିଛି। ମହିଳାଙ୍କ ଏହି ଦାଦାଗିରିକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର୍‌ ଧରିଛି।