ମେଡିକାଲ ବାରଣ୍ଡାରେ ପ୍ରସବ କଲେ ମହିଳା

ଟିକିରି,୩ା୧୧(ଡି.ଏନ୍‌.ଏ.): ଗର୍ଭବତୀ ମହିଳାଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ସେହି ଯୋଜନାରୁ ମଧ୍ୟ କିଛି ଗର୍ଭବତୀ ବଞ୍ଚିତ ହେଉଥିବା ବେଳେ ଆଉ କିଛି ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି ତ ଆଉ କେଉଁଠି ଚଉକିରେ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରରେ। ଟିକିରି ସ୍ବାସ୍ଥ୍ୟକେନ୍ଦ୍ର ବାରଣ୍ଡାରେ ଜଣେ ଗର୍ଭବତୀ ମହିଳା ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ସେ ହେଉଛନ୍ତି ପହଣ୍ଡି ଗ୍ରାମର ବେଲାସନ ବାଘଙ୍କ ସ୍ତ୍ରୀ ମୀନିତା। ଗୁରୁବାର ମୀନିତାଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଆଜି ସକାଳେ ସେ ଟିକିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ଅଧିକାରୀ ନ ଥିବାରୁ ଶେଷରେ ମୀନିତା ମେଡିକାଲ ବାରଣ୍ଡାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। କିଛିଦିନ ପୂର୍ବରୁ ଡାକ୍ତର ନ ଥିବା ନେଇ ‘ଧରିତ୍ରୀ’ ଖବରକାଗଜରେ ଏକ ଖବର ପ୍ରକାଶ ପାଇଥିଲା। ଏହା ପରେ ଏଠାରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି କିନ୍ତୁ ଡାକ୍ତର ମନଇଚ୍ଛା ମେଡିକାଲ ଆସନ୍ତି। ଟିକିରି ସାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକ ପାଖରେ ଲେଖାଯାଇଛି ଡାକ୍ତର ସକାଳ ୯ରୁ ଦିନ ୧୨ ଓ ଅପରାହ୍ନ ୪ରୁ ୬ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବେ। ଏନେଇ ଡାକ୍ତରଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଥିଲେ। ଏଥିପ୍ରତି ସାସ୍ଥ୍ୟ ଅଧିକାରୀ ଓ ଜିଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।