ଦାରିଙ୍ଗବାଡ଼ିରେ ବଢ଼ିଲା ଶୀତ, ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ

ଦାରିଙ୍ଗବାଡ଼ି,୨୪।୧୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ଶୀତ ଅନୁଭୁତ ହୋଇଛି। ମଙ୍ଗଳବାର ସକାଳ ୮ଟାରେ ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀ ରହିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ଦିନ ହେଲା ପାଗ ମେଘୁଆ ରହିବା ସହ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଥିଲା। କନ୍ତୁ ମଙ୍ଗଳବାର ସକାଳୁ ପାଗ ଶୁଖିଲା ରହିବା ସହ ଘନ କୁହୁଡ଼ି ସହ ଶୀତ ବୃଦ୍ଧି ପାଇଛି । ଘନ କୁହୁଡ଼ିରେ ଦାରିଙ୍ଗବାଡ଼ିର ପର୍ଯ୍ୟଟନକେନ୍ଦ୍ର କଫି ବଗିଚା ସମେତ ପାଇନ ବଣ, ମିଡ଼ିୟୁବାନ୍ଦା ଜଳପ୍ରପାତ, ଲଭର୍ସ ପଏଣ୍ଟ, ନେଚରପାର୍କ, ସାଇଲେଣ୍ଟ ଭ୍ୟାଲି ଆଦି ସ୍ଥାନ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି । ତେବେ ପାର୍କ ସମେତ ସମସ୍ତ ପର୍ଯ୍ୟଟନକେନ୍ଦ୍ରକୁ ପର୍ଯ୍ୟଟକଙ୍କୁ କରୋନା କଟକଣା ଯୋଗୁ ବାରଣ ରହିଥିବାରୁ ପର୍ଯ୍ୟଟକ ଏହି ସୌନ୍ଦର୍ଯ୍ୟ ଉପଭୋଗ କରିବାରୁ ବଞ୍ଚିତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଦାରିଙ୍ଗବାଡ଼ିରେ ଶୀତ ଆସିବା ବିଳମ୍ବ ହେବା ସହ ତାପମାତ୍ରା ୧୫ ଡିଗ୍ରୀରୁ ଖସୁ ନଥିଲା । ସୋମବାର ୧୨.୫ ଡିଗ୍ରୀ ସହ ଏହା ମଙ୍ଗଳବାର ଆହୁରି ହ୍ରାସ ପାଇ ୧୦ଡିଗ୍ରୀ ତଳକୁ ପାରଦ ଖସିଛି ।