ଆଜି ସ୍ପଷ୍ଟ ହେବ ବାତ୍ୟା ଗତିପଥ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଗୁରୁବାର ଅବପାତରେ ପରିଣତ ହେବ। ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗୁରୁବାର ଅବପାତର ରୂପ ନେବ। ଅବପାତରେ ପରିଣତ ହେଲା ପରେ ବାତ୍ୟା କେଉଁଠି ମାଡ଼ ହେବ ତାହା ସ୍ପଷ୍ଟ ହେବ ବୋଲି ବୁଧବାର ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ,ଏହାର ତୀବ୍ରତା କେତେ ରହିବ ଗୁରୁବାର ସ୍ପଷ୍ଟ ହେବାର ଥିଲେ ସୁଦ୍ଧା ୪ତାରିଖ ସକାଳେ ଉତ୍ତର ଆନ୍ଧ୍ର, ଓଡ଼ିଶା ଉପକୂଳରେ ପହଞ୍ଚତ୍ବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩ତାରିଖଠାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ୪ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହା ପ୍ରଭାବରେ ପବନ ମଧ୍ୟ ବହିବ। ସେ ଆହୁରି ମଧ୍ୟ କହିଛନ୍ତି, ୪ରେ ବାତ୍ୟା ଉପକୂଳ ପାଖାପାଖି ହେଲେ ବି ଅତିକ୍ରମ କରି ନ ପାରେ। ବାତ୍ୟା ସ୍ଥଳଭାଗ ନ ଛୁଇଁ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩ରୁ ୫ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ହେବ।
ସେପଟେ ମଙ୍ଗଳବାର ଦକ୍ଷିଣ ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଥିଲା। ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବା ପରେ ବୁଧବାର କେନ୍ଦ୍ରୀୟ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ୩ ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ କରି ଉପକୁଳ ଓଡ଼ିଶାରେ ବର୍ଷିବ। ୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ ଏବଂ ଏ ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। କିନ୍ତୁ ୪ ତାରିଖରେ ଗଞ୍ଜାମ, ଗଜପତି, ପୁରୀ ଓ ଜଗତ୍‌ସିଂହପୁର ଜିଲାରେ ପ୍ରବଳରୁ ଅତ୍ୟଧିକ ପ୍ରବଳ ବର୍ଷା ହେବ। ୨୦ସେମିରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏହି ୪ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି ହୋଇଛି। ସେହିଦିନ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ଏସବୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୪ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରିରେ ପ୍ରବଳ ବର୍ଷା ହେବ ଏବଂ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୫ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, କଟକ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ସବୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିଦିନ କେନ୍ଦୁଝର, ଅନୁଗୋଳ,ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତିରେ ବର୍ଷା ହେବା ସମ୍ଭାବନା ରହିଥିବାରୁ ଏ ସବୁ ଜିଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି।