ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ସମଗ୍ର ରାଜ୍ୟ ହାଡ଼ଭଙ୍ଗା ଶୀତରେ କମ୍ପୁଛି। ସଞ୍ଜ ହେବା ମାତ୍ରେ ମାଡ଼ିଆସୁଛି ପ୍ରଚଣ୍ଡ ଶୀତ। ଦେହ ହାତ କୋଲ ମାରିଯାଉଛି। ଗାଁଠୁ ସହର ସବୁଠି ଶୀତର ପ୍ରକୋପ ବଢ଼ିଯାଇଛି। ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। କେତେକ ସ୍ଥାନରେ ଶୀତ ସାଙ୍ଗକୁ କୁହୁଡ଼ିଆ ପାଗ ପରିବେଶକୁ ଆହୁରି କାଲୁଆ କରି ପକାଇଛି। ରାଜ୍ୟର ୬ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସି ଯାଇଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୭.୫, ଝାରସୁଗୁଡ଼ା ୯.୬, କେନ୍ଦୁଝର ୯.୬, କୋରାପୁଟ ୯ ଏବଂ ଟିଟିଲାଗଡ଼ରେ ସର୍ବନିମ୍ନ ତାପମାତ୍ରା ୯.୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ସର୍ବନିମ୍ନ ତାପମାତ୍ରା ୧୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ୧୨.୩, କଟକ ୧୨, ପାରାଦୀପ ୧୪, ଭୁବନେଶ୍ୱର ୧୨.୨, ଗୋପାଳପୁର ୧୪.୨, ଅନୁଗୋଳ ୧୧.୬, ବାରିପଦା ୧୨, ସମ୍ବଲପୁର ୧୨.୨, ସୁନ୍ଦରଗଡ଼ ୧୦, ବଲାଙ୍ଗୀର ୧୧.୫, ମାଲକାନଗିରି ୧୩.୫, ସୋନପୁର ୧୩.୨, ନୟାଗଡ଼ ୧୨, ବୌଦ୍ଧ ୧୫ ଏବଂ ଛତ୍ରପୁରରେ ସର୍ବନିମ୍ନ ୧୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।
ଆସନ୍ତା ୧୯ ତାରିଖରୁ ରାଜ୍ୟରେ ଥଣ୍ଡାର ପ୍ରକୋପ ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ପୂର୍ବ ଆଣ୍ଡାମାନ ନିକଟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡାବାୟୁ ପ୍ରବାହିତ ହେବ। ଫଳରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀକୁ ଖସିବ। ବଣପାହାଡ଼ ଘେରା ଜିଲାଗୁଡ଼ିକରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଯିବ। ଡିସେମ୍ବର ଶେଷ ଯାଏ ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।