ସଂଯମର ମାର୍ଗ

ଡା. ଗୋପାଳ ଚନ୍ଦ୍ର ଦାଶ

ଯୋଗ ଦର୍ଶନର ରଚୟିତା ମହର୍ଷି ପତଞ୍ଜଳି। ମନ ଉପରେ ବିଜୟ ପାଇବା ହେଉଛି ଏହି ଦର୍ଶନର ଏକମାତ୍ର ଲକ୍ଷ୍ୟ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ମନକୁ ସଞ୍ଜତ କରି ନିଜକୁ ଦିବ୍ୟ ଚେତନାମୟ ପରମାତ୍ମାଙ୍କ ସହିତ ସଂଯୋଜିତ କରିବା। ସେଥିପାଇଁ ଯୋଗ ଦର୍ଶନରେ ସମାଧି ପାଦର ଦ୍ୱିତୀୟ ସୂତ୍ରରେ କୁହାଯାଇଛି- ‘ଯୋଗ ଶ୍ଚିତ୍ତ ବୃତ୍ତି ନିରୋଧଃ’ ଅର୍ଥାତ୍‌ ଚିତ୍ତ ବୃତ୍ତିର ନିରୋଧକୁ ଯୋଗ ବା ଈଶ୍ୱର ସାକ୍ଷାତ୍‌କାର ବୋଲି ଦର୍ଶାଯାଇଛି। ପତଞ୍ଜଳି ଯୋଗ ଦର୍ଶନରେ ଯୋଗର ଅର୍ଥ ସମାଧି ବୋଲି ବର୍ଣ୍ଣନା କରାଯାଇଛି। ଏହି ଯୋଗ ଦର୍ଶନର ସୂତ୍ରସଂଖ୍ୟା ୧୯୫। ଏହା ଚାରି ପାଦ ବିଶିଷ୍ଟ- ସମାଧି ପାଦ, ସାଧନ ପାଦ, ବିଭୂତି ପାଦ ଓ କୈବଲ୍ୟ ପାଦ। ଯୋଗର ଆଠ ଅଙ୍ଗ, ଅବିଦ୍ୟାଦି ପଞ୍ଚ କ୍ଲେଶର ସ୍ବରୂପ ତଥା ତାହାର ନାଶର ଉପାୟ, ଯୋଗର ଫଳ ଓ ଈଶ୍ୱର, ଜୀବ ଓ ପ୍ରକୃତିର ସ୍ବରୂପ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ଯୋଗାଭ୍ୟାସରୁ ପ୍ରାପ୍ତ ବିବିଧ ସିଦ୍ଧି ଓ ଶକ୍ତି ସମ୍ବନ୍ଧରେ ବିଭୂତି ପାଦରେ ବର୍ଣ୍ଣନା କରାଯାଇଛି। ଚତୁର୍ଥ ପାଦରେ ମୋକ୍ଷ ବା କୈବଲ୍ୟର ଯଥାର୍ଥ ସ୍ବରୂପ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି।
ପତଞ୍ଜଳି ଯୋଗ ଦର୍ଶନରେ ଯୋଗର ଅର୍ଥ ସମାଧି ବୋଲି ବର୍ଣ୍ଣନା କରାଯାଇଛି। ସମାଧି ମୁଖ୍ୟତଃ ଦୁଇ ପ୍ରକାର- ସଂପ୍ରଜ୍ଞାତ ଓ ଅସଂପ୍ରଜ୍ଞାତ। ସ୍ଥୂଳତତ୍ତ୍ୱରୁ ମହାତତ୍ତ୍ୱ ପର୍ଯ୍ୟନ୍ତ ପ୍ରାକୃତିକ ପଦାର୍ଥ ତଥା ଚେତନ ଆତ୍ମା ସମ୍ବନ୍ଧରେ ଯଥାର୍ଥ ଜ୍ଞାନକୁ ଅସଂପ୍ରଜ୍ଞାତ ସମାଧି କୁହାଯାଏ। ଯୋଗର ଏହି ସମାଧି ଅବସ୍ଥାରେ ଅବିଦ୍ୟାଦି କ୍ଲେଶ ପର୍ଯ୍ୟାପ୍ତ ମାତ୍ରାରେ ନଷ୍ଟ ହୋଇଥିଲେ ମଧ୍ୟ ସାଧକଠାରେ ସୂକ୍ଷ୍ମ କ୍ଲେଶ ରହିଥାଏ। ଯେତେବେଳେ ଈଶ୍ୱର ପ୍ରଦତ୍ତ ଜ୍ଞାନ ଦ୍ୱାରା ଜୀବାତ୍ମାର ବ୍ରହ୍ମ ସାକ୍ଷାତ୍‌କାର ହୁଏ, ସେତେବେଳେ ଜୀବାତ୍ମା ନିଜ ସ୍ବରୂପରେ ଅବସ୍ଥାନ କରେ ଓ ତାହା ହେଉଛି ସଂପ୍ରଜ୍ଞାତ ସମାଧି ଅବସ୍ଥା। ତେଣୁ ନିର୍ଜୀବ ବା ସଂପ୍ରଜ୍ଞାତ ସମାଧି ହିଁ ଯୋଗର ଅନ୍ତିମ ଲକ୍ଷ୍ୟ। ଯୋଗ ସୂତ୍ରରେ ଈଶ୍ୱର, ଜୀବ ଓ ପ୍ରକୃତିର ସ୍ବରୂପ ଏବଂ ସେମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଈଶ୍ୱର ଚେତନ ସ୍ବରୂପ। ସେ ଅବିଦ୍ୟାଦି ପଞ୍ଚକ୍ଲେଶ, ତ୍ରିବିଧ କର୍ମ, ସୁଖ-ଦୁଃଖ ଆଦି କର୍ମଫଳ, କର୍ମଫଳରୁ ଉତ୍ପନ୍ନ ସଂସ୍କାର ବାସନାରୁ ଊର୍ଦ୍ଧ୍ୱରେ ଅଟନ୍ତି। ସୃଷ୍ଟି ତତ୍ତ୍ୱକୁ ବିଚାରକୁ ନେଲେ ସାଂଖ୍ୟଦର୍ଶନ ଓ ଯୋଗ ଦର୍ଶନ ସହିତ ସାମଞ୍ଜସ୍ୟ ମିଳିଥାଏ। ସାଂଖ୍ୟ ଦର୍ଶନରେ ବର୍ଣ୍ଣନା କରାଯାଇଥିବା ପ୍ରକୃତିର ୨୪ ତତ୍ତ୍ୱକୁ ଯୋଗ ଦର୍ଶନରେ ସୂକ୍ଷ୍ମରୁ ସ୍ଥୂଳ କ୍ରମରେ ୪ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଅଲିଙ୍ଗ (ମୂଳ ପ୍ରକୃତି), ଲିଙ୍ଗମାତ୍ର (ମହାତତ୍ତ୍ୱ), ଅବିଶେଷ (ଅହଂକାର ଓ ପଞ୍ଚ ତତ୍ମାତ୍ରା) ଏବଂ ବିଶେଷ (ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚଭୂତ ଓ ମନ)। ଯୋଗ ସୂତ୍ର ଅନୁସାରେ ଜୀବାତ୍ମା ଏକ ଚେତନ ତତ୍ତ୍ୱ, ଯାହା ପରମାତ୍ମାଙ୍କଠାରୁ ଭିନ୍ନ। ପତଞ୍ଜଳି ଯୋଗସିଦ୍ଧି ପାଇଁ କ୍ରମାନ୍ବୟରେ ଆଠଗୋଟି ସୋପାନ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ। ସେଗୁଡ଼ିକ ହେଲା- ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି।
ଧ୍ୟାନ ଓ ପ୍ରାଣାୟାମ ସାଧନ ପାଇଁ ଆସନର ଆବଶ୍ୟକତା ପଡ଼ିଥାଏ। ସାଧକ ଯେଉଁ ଅବସ୍ଥାରେ ସ୍ଥିର ଭାବରେ ବିନା କଷ୍ଟରେ ସୁଖର ସହିତ ବସି ପରମାତ୍ମାକୁ ଉପାସନା କରେ ତାହାକୁ ଆସନ କୁହାଯାଏ। ଯୋଗଦର୍ଶନରେ ଆସନର ଆବଶ୍ୟକତା ମାନସିକ ଶାନ୍ତି ଓ ଇନ୍ଦ୍ରିୟ ସଂଯମ ପାଇଁ ପ୍ରୟୋଗ କରାଯାଇଥାଏ। ମାତ୍ର ଅନ୍ୟ ସମସ୍ତ ଆସନକୁ ବ୍ୟାୟାମ ବା ହତଯୋଗ କୁହାଯାଏ। ଏହା ଶାରୀରିକ ପୁଷ୍ଟି ସାଧନ ପାଇଁ କରାଯାଇଥାଏ। ସାଧକ ଯୋଗାସନରେ ବସି ନିଜର ଶ୍ୱାସ ପ୍ରଶ୍ୱାସର ଗତି ଉପରେ ଯେଉଁ ନିୟନ୍ତ୍ରଣ ଆଣେ ତାହାକୁ ପ୍ରାଣାୟାମ କୁହାଯାଏ। ପ୍ରାଣାୟାମ ଦ୍ୱାରା ଏକାଗ୍ରତା ସୃଷ୍ଟି ଓ ଇନ୍ଦ୍ରିୟ ବଶୀକରଣ ହୋଇଥାଏ; ଯାହାକୁ ପ୍ରତ୍ୟାହାର କୁହାଯାଏ। ଧାରଣା, ଧ୍ୟାନ ଓ ସମାଧିକୁ ଏକତ୍ର ଅଭ୍ୟାସ କରାଯାଇଥାଏ; ଯାହାକୁ ଯୋଗୀ ଭାଷାରେ ସଂଯମ କୁହାଯାଏ। ଯୋଗୀ ସଂଯମରେ ଅଭ୍ୟସ୍ତ ହେଲେ ସମାଧି-ଜନ୍ୟ ପ୍ରଜ୍ଞା ପ୍ରକଟିତ ହୋଇଥାଏ ଓ ଯୋଗୀକୁ ଈଶ୍ୱର କୃପା ପ୍ରାପ୍ତ ହୁଏ; ଯାହା ମୋକ୍ଷ ପ୍ରାପ୍ତିର ମାର୍ଗକୁ ସୁଗମ କରିଥାଏ। ଅନ୍ତରଙ୍ଗ ସାଧନରୁ ପ୍ରାପ୍ତ ବିଭୂତିକୁ ସଂପ୍ରଜ୍ଞାତ ସମାଧି କୁହାଯାଏ। ସମାଧି ଅବସ୍ଥାରେ ଯୋଗୀର ଚିତ୍ତ-ବୃତ୍ତି ନିରୋଧ ହୋଇ ଈଶ୍ୱର ସାକ୍ଷାତ୍‌କାର ହୋଇଥାଏ।
ପତଞ୍ଜଳି ଯୋଗ ଦର୍ଶନରେ ଚିତ୍ତ ବା ମନର ୫ ଗୋଟି ଅବସ୍ଥା (କ୍ଷିପ୍ର, ମୂଢ଼, ବିକ୍ଷିପ୍ତ, ଏକାଗ୍ର, ନିରୁଦ୍ଧ) ଓ ବୃତ୍ତିର ୫ ଗୋଟି ସ୍ବରୂପ (ପ୍ରମାଣ, ବିପର୍ଯ୍ୟୟ, ବିକଳ୍ପ, ଚିନ୍ତା, ସ୍ମୃତି) ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ବୃତ୍ତି ସମ୍ବନ୍ଧରେ ଜ୍ଞାନ ତଥା ମନ ଉପରେ ବିଜୟ ପାଇଁ ପରାମର୍ଶ ଦିଆଯାଇଛି। ମନକୁ ନିୟନ୍ତ୍ରଣ କରି ବାହ୍ୟ ଜଗତରୁ ଅପସାରିତ କରି ଅନ୍ତର୍ମୁଖୀ କଲେ ସାଧକର ସତ୍ତ୍ୱଗୁଣ ବୃଦ୍ଧି ହୋଇଥାଏ ଓ ଆତ୍ମା ସାକ୍ଷାତ୍‌କାର ହୁଏ। ମନକୁ ନିୟନ୍ତ୍ରଣ ପାଇଁ ଯୋଗ ଶାସ୍ତ୍ରରେ ୩ ଗୋଟି ମାର୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। ସେଗୁଡ଼ିକ ହେଲା- ବିବେକ, ବୈରାଗ୍ୟ ଓ ଅଭ୍ୟାସ। ବିବେକ ଅର୍ଥ- ଈଶ୍ୱର, ଜୀବ ଓ ପ୍ରକୃତି ସମ୍ବନ୍ଧରେ ଜ୍ଞାନ। ନୈଶ୍ୱର ସଂସାର ପ୍ରତି ବୀତସ୍ପୃହ ହେବା ବୈରାଗ୍ୟ ତଥା ମନ, ବାଣୀ ଓ ଶରୀର ଦ୍ୱାରା ଏକାଗ୍ର ଓ ନିରୋଧ କରିବାର ପ୍ରଯତ୍ନକୁ ଅଭ୍ୟାସ କୁହାଯାଏ। ସାଧନାର ପଥକୁ ସୁଗମ କରିବା ପାଇଁ ଅଭ୍ୟାସ ନିୟମିତ, ଅବିରତ, ଦୀର୍ଘକାଳ, ଶ୍ରଦ୍ଧାପୂର୍ବକ, ଜ୍ଞାନର ସହିତ ବ୍ରହ୍ମଚର୍ଯ୍ୟ ଓ ତିତୀକ୍ଷାର ସହ ପାଳନ କରିବା ଆବଶ୍ୟକ। ଯୋଗ ମନୁଷ୍ୟ ଜୀବନର ଅଭିନ୍ନ ଅଙ୍ଗ। ବେଦ ଗର୍ଭର ସ୍ବାଧ୍ୟାୟରୁ ମହର୍ଷି ପତଞ୍ଜଳି ଲୁପ୍ତପ୍ରାୟ ଯୋଗ ରହସ୍ୟକୁ ଉଜ୍ଜୀବିତ କରିଛନ୍ତି। ସେ ଆତ୍ମ ସାକ୍ଷାତ୍‌କାରକୁ ଯୋଗ ବା ସମାଧି ବୋଲି ଦର୍ଶାଇଛନ୍ତି। ।
ସେବାନିବୃତ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ,
ପୂର୍ବତଟ ରେଲ୍‌ଓ୍ବେ, ଭୁବନେଶ୍ୱର
ମୋ: ୦୬୭୪୩୫୫୩୬୬୭


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri