ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ ଫାଇଲ ତଳେ ଚାପି ହୋଇଛି: ବର୍ଷାଦିନେ ଜଳବନ୍ଦୀ ସହରବାସୀ

କେନ୍ଦ୍ରାପଡ଼ା ଅଫିସ,୨୫ା୪: କେନ୍ଦ୍ରାପଡ଼ା ପୌର ପରିଷଦ ନିର୍ବାଚନ ଦୀର୍ଘ ୬ ବର୍ଷ ପରେ ଶେଷ ହୋଇଛି। ଏହି ପରିଷଦ ପାଇଁ ପୌରାଞ୍ଚଳ ଡ୍ରେନେଜ୍‌ ସିଷ୍ଟମର ପୁନରୁଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି। ପୌରପାଳିକା ପକ୍ଷରୁ ଡ୍ରେନ୍‌ ସଫେଇକୁ ଗୁରୁତ୍ୱ ଦିଆଯାଉଛି। ହେଲେ ରାଜ୍ୟ ସରକାରଙ୍କ ସହର ଉନ୍ନୟନ ବିଭାଗ ପକ୍ଷରୁ ୨ଟି ଡ୍ରେନେଜ୍‌, ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ ଫାଇଲ ତଳେ ଚାପି ହୋଇ ରହିଛି। ଆଗାମୀ ବର୍ଷାଋତୁ ପୂର୍ବରୁ ଏହି ପ୍ରକଳ୍ପ ଶେଷ ନ ହେଲେ ସହରର ଅର୍ଦ୍ଧାଧିକ ସ୍ଥାନ ଜଳବନ୍ଦୀ ହେବା ଆଶଙ୍କା ଦେଖାଦେଇଛି। ତୁରନ୍ତ ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସହରବାସୀ ମତ ଦେଇଛନ୍ତି। ୨୦୧୭ରେ ରାଜ୍ୟ ସ୍ବରେଜ ବୋର୍ଡ ଓ ଟିଟିଆଇ କନ୍‌ସୁଲେଟିଂ ଇଞ୍ଜିନିୟର୍ସ ସଂସ୍ଥା ପକ୍ଷରୁ ସହରର ଜଳ ନିଷ୍କାସନ ସହ ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିଲା। ଏହି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଇନ୍ଦୁପୁର ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିଲା। ସେହିପରି ନଗର ଉନ୍ନୟନ ବିଭାଗ ପକ୍ଷରୁ ଡ୍ରେନେଜ ବିଭାଗ ସହାୟତାରେ ୧୯ କୋଟି ୪୭ ଲକ୍ଷ ଟଙ୍କାର ଦ୍ୱିତୀୟ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ତେବେ ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରିତାରେ ବହୁ ବିଳମ୍ବ ହେଲାଣି।
ଏ ସମ୍ପର୍କରେ ପୂର୍ବତନ କାଉନ୍‌ସିଲର ହିରଣ୍ୟ କୁମାର ପଣ୍ଡା କୁହନ୍ତି, ପ୍ରଥମ ଡ୍ରେନେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ତତ୍କାଳୀନ ପୌର ପରିଷଦ ଉଦ୍ୟମ କରିଥିଲା। ଯୋଜନା ଅନୁଯାୟୀ, ସହରର ଡ୍ରେନ ଓ ବର୍ଷାଜଳକୁ ଗୋବରୀ ନଦୀ ଏବଂ କେନାଲକୁ ନ ଛାଡ଼ି ଏକ ସ୍ବତନ୍ତ୍ର ଡ୍ରେନ ମାଧ୍ୟମରେ ସହର ବାହାରେ ଏକ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ଲାଣ୍ଟରେ ମଇଳା ପାଣିକୁ ବିଶୋଧନ କରାଯାଇ ଗୋବରୀ ନଦୀ ଓ କେନାଲକୁ ଛଡାଯିବ ବୋଲି ସ୍ଥିର ହୋଇଥିଲା। ଫଳରେ ସହର ମଧ୍ୟଦେଇ ଯାଇଥିବା ନଦୀ ଓ କେନାଲ ପ୍ରଦୂଷଣ ମୁକ୍ତ ରହିବ। ଫକୀରାବାଦର ମୀର ଅବୁ ଓବେଦା କହିଛନ୍ତି, ସାମାନ୍ୟ ବର୍ଷାରେ ସହରର ବିଭିନ୍ନ ଡ୍ରେନ ଉଛୁଳି ପଡୁଛି। ଫଳରେ ପାଣି ସହ ଡ୍ରେନରେ ଥିବା ଅଳିଆ ଆବର୍ଜନା ବାହାରକୁ ଆସି ସମସ୍ୟା ସୃଷ୍ଟି କରୁଛି। ଏହି ସମସ୍ୟା ଦୀର୍ଘଦିନ ଧରି ରହିଥିବା ସତ୍ତ୍ୱେ ଏହାର ସମାଧାନ ପାଇଁ ପ୍ରଶାସନିକ ତତ୍ପରତା ନାହିଁ। ବର୍ଷାଋତୁ ପୂର୍ବରୁ ଏହାର ସମାଧାନ ହେଲେ ସହରବାସୀ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି। ୨୧ ନଂ. ୱାର୍ଡର ସାମାଜିକ କର୍ମୀ ଉମେଶ ଚନ୍ଦ୍ର ପାଢ଼ୀ କହିଛନ୍ତି, ବର୍ଷା ହେଲେ ସ୍ଥାନୀୟ ସହରବାସୀଙ୍କ ବିପତ୍ତି ବଢୁଛି। ୨୧ ନଂ. ୱାର୍ଡ ସହ ୧୨ ଓ ୧୩ ନଂ. ରେ ବର୍ଷାଜଳ ଭରି ରହୁଛି। ସହର ମଧ୍ୟରେ ଥିବା ଜଳପଥ ଓ ଡ୍ରେନ୍‌ଗୁଡିକ ଜବରଦଖଲକାରୀଙ୍କ କବଳକୁ ଚାଲିଯାଇଛି। ଫଳରେ ବର୍ଷାଜଳ ସମଗ୍ର ସହର ମଧ୍ୟରେ ସହଜ ଜୀବନଯାତ୍ରାରେ ବାଧା ସୃଷ୍ଟି କରୁଛି। ଜଳପଥ ଉପରେ ଗୃହ ନିର୍ମାଣ ପାଇଁ ଅନୁମତି ପ୍ରଦାନ ବନ୍ଦ ହେବା ସହ ଜବରଦଖଲକାରୀଙ୍କ ଉଚ୍ଛେଦ ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁଙ୍କୁ ପଚାରିବାରେ ଜଳ ନିଷ୍କାସନ ସମସ୍ୟା ସମ୍ପର୍କରେ ନିକଟରେ ସମୀକ୍ଷା ହୋଇଥିଲା। ଏଥିସହ ସହରବାସୀଙ୍କ ପାଇଁ ସୁସ୍ଥ ପରିବେଶ ଓ ଡ୍ରେନେଜ୍‌ ସିଷ୍ଟମର ଉନ୍ନତୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି।

Share