Categories: ରାଜ୍ୟ

ପାଣି ଖସୁନି, ଦୁର୍ଦ୍ଦଶା ବଢୁଛି

ଭୁବନେଶ୍ୱର,୨ା୯(ବ୍ୟୁରୋ): ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ନଦୀରେ ଆଉ ବନ୍ୟା ବିପଦ ନାହିଁ। ତେବେ ବନ୍ୟା ଛାଡିବା ପରେ ମଧ୍ୟ ଦୁର୍ଦ୍ଦଶା କମିନାହିଁ। ଧାନଜମିରେ ପାଣି ବୁଡି ରହିଥିବା ବେଳେ ଏବେ ବି କେତେକ ଅଞ୍ଚଳରେ ବନ୍ୟାପାଣି ଜମି ରହିଛି। ଗତ ଦୁଇଦିନ ହେବ ମହାନଦୀ ଫୁଲି ରହିଛି। ମହାନଦୀରେ ଯଦିଓ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ତେବେ ଧୀରେ ଧୀରେ ବନ୍ୟା ଜଳ ହ୍ରାସ ପାଇବାରେ ଲାଗିଛି। ଜଳ ସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମହାନଦୀର ନରାଜ ଠାରେ ବିପଦ ସଙ୍କେତସ୍ତର ୨୬.୪୧ ମିଟର ଥିବା ବେଳେ ୨୬.୬୨ ମିଟର ଉପରେ ପ୍ରବାହିତ ହେଉଛି। ଉପରମୁଣ୍ଡରେ ବର୍ଷା ନାହିଁ। ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଥିବା ବେଳେ ଅଧିକ ବନ୍ୟାର ଆଶଙ୍କା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ହୀରାକୁଦ ଜଳଭଣ୍ଡାକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୬ ହଜାର ୬୬୩ କ୍ୟୁସେକ ଜଳ ପ୍ରବେଶ କରୁଛି। ୨୪ଟି ଗେଟ ଦେଇ ୪ ଲକ୍ଷ ୪ ହାଜର ୭୮୨ କ୍ୟୁସେକ ଜଳ ଛଡାଯାଉଛି। ଖଇରାମାଳ ୬ ଲକ୍ଷ ୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳ ଠାରେ ୭ ଲକ୍ଷ ୩ ହଜାର ୭୫୦ ଏବଂ ମୁଣ୍ଡଳୀ ଠାରେ ୯ ଲକ୍ଷ ୨୫ ହଜାର ୯୪୨ କ୍ୟୁସେକ ଜଳ ପ୍ରବାହିତ ହେଉଛି। ପୂର୍ଣ୍ଣିମା ଥିବାରୁ ମହାନଦୀ ଓ ଏହାର ଶାଖା ନଦୀରୁ ଜଳ ଧୀରେ ଧୀରେ ହ୍ରାସ ପାଉଛି। ପାଣି ଛାଡିବାକୁ ଆହୁରି ଦୁଇରୁ ତିନି ଦିନ ଲାଗିବ ବୋଲି ଅନୁମାନ କରାଯାଇଛି।

ସପ୍ତାହ ଯାଏ କାଁ ଭାଁ ବର୍ଷା

ଆସନ୍ତା ୭ ତାରିଖ ଯାଏ ରାଜ୍ୟରେ ବଡ ବର୍ଷା ନାହିଁ। କେଉଁଠି କେମିତି କାଁ ଭାଁ ଅସରାଏ କିମ୍ବା ଦି ଅସରା ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ , କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ଅନୁଗୋଳ ଏବଂ ବାଲେଶ୍ୱର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଯାଜପୁର ଭଦ୍ରକ, କେନ୍ଦ୍ରାପଡା, ଗଜପତି, ସମ୍ବଲପୁର, ବରଗଡ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ବାଲେଶ୍ୱରରେ ୨୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୧୪.୪, ଛତ୍ରପୁର ୧୩.୬ ଏବଂ କେନ୍ଦୁଝରରେ ୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।