ଛାତରୁ ଗଳୁଛି ପାଣି, ରୋଗୀ ହନ୍ତସନ୍ତ

ଖୁଣ୍ଟୁଣୀ,୨୫ା୭(ଡି.ଏନ୍‌.ଏ.): ୫୫ ନମ୍ବର ଜାତୀୟ ରାଜପଥ ଶିଳ୍ପାଞ୍ଚଳ ପାର୍ଶ୍ୱରେ ଥିବା ଖୁଣ୍ଟୁଣୀ ସରକାରୀ ଡାକ୍ତରଖାନା ଛାତ ଫାଟି ପାଣି ଗଳୁଛି। ଏଥିସହ ଷ୍ଟୋରରୁମ୍‌ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ରଡ଼ ପଦାକୁ ଦେଖାଯିବା ସହ କିଛି ସ୍ଥାନ ଦବିଯାଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବର୍ଷା ହେଲେ ଡାକ୍ତରଖାନା ପରିସରରେ ପାଣି ଜମି ଅବସ୍ଥା ଶୋଚନୀୟ ହୋଇପଡୁଛି। ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ରିଟିଶ ଅମଳରୁ ଏହି ଡାକ୍ତରଖାନା ରହିଛି। ୧୯୮୩ ମସିହାରେ ଡାକ୍ତରଖାନାର ଉଭୟ ପାର୍ଶ୍ୱକୁ ଲାଗି ନୂତନ ଶଯ୍ୟା ଗୃହ ନିର୍ମାଣ ହୋଇଥିଲା। ଏହ ଉପରେ ଖୁଣ୍ଟଣୀ-ରମ୍ପେଇ, କଣ୍ଡରେଇ, ରଧାକିଶୋରପୁର, ଭୋଗରା, ଡ଼ାଳଭାଗ, ରାଧାକୃଷ୍ଣପୁର, ଘଣ୍ଟିଖାଲ, କୁଲାଇଲୋ, ଓରନ୍ଦା ଆଦି ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି। ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଲେ ଆହତଙ୍କ ଚିକିତ୍ସା ପାଇଁ ଏହି ଡାକ୍ତରଖାନାକୁ ନିଆଯାଇଥାଏ। ହେଲେ ଇତିମଧ୍ୟରେ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଡାକ୍ତରଖାନା ଗୃହ ମରାମତି କରାଯାଇନାହିଁ। କାନ୍ଥ ଫାଟି ବିପଦସଙ୍କୁଳ ଅବସ୍ଥାରେ ରହିଛି। ବର୍ଷା ହେଲେ ସେଠାରୁ ପାଣି ଗଳୁଛି। ଫଳରେ ଚିକିତ୍ସା ପାଇଁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ତୁରନ୍ତ ଏହାର ମରାମତି ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଆଠଗଡ଼ ବିଡିଓ ଅରୁଣ କୁମାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଅବ୍ୟବସ୍ଥା ସମ୍ପର୍କରେ ଅବଗତ ନ ଥିଲି। ସୋମବାର ବ୍ଲକର କନିଷ୍ଠଯନ୍ତ୍ରୀ ସେଠାକାର ସ୍ଥିତି ଯାଞ୍ଚ କରିବା ପରେ ମରାମତି କରାଯିବ।