ଉଦଳା,୧୪।୪(ସନ୍ତୋଷ କୁମାର ବାଚ୍ଛିନୀ): ଆଜିର ସମାଜରେ ଉପକାର କରିଥିବା ଆପଣାର ଲୋକଙ୍କୁ ମଣିଷ ଠକି ଦେଉଛି । ମାତ୍ର ମଣିଷ ପାଖରୁ ପାଇଥିବା ସ୍ନେହ ମମତା ଓ ଭଲ ପାଇବାର ପ୍ରତିଦାନ ସ୍ବରୂପ ନିଜ ଜୀବନ ବଳିଦାନ ଦେଇଛି ଏକ ବୁଲା କୁକୁର ‘କାଳୀ’। ସାପ ମୁହଁରୁ ୩୦ କୁନି ପିଲାଙ୍କ ଜୀବନ ବଞ୍ଚାଇ ନିଜେ ଆଖିବୁଜିଛି। ପ୍ରାଣୀଟିଏ ହେଲେ ବି ତା’ର ତ୍ୟାଗକୁ ଝୁରି ହେଉଛନ୍ତି ଲୋକେ। ଲୁହ ଝରାଇ ତା’ କଥା ମନେ ପକାଉଛନ୍ତି। ମଣିଷଙ୍କ ଅନ୍ତିମ ସଂସ୍କାର ଭଳି ରୀତିନୀତିରେ କାଳୀର ଅନ୍ତିମ ସଂସ୍କାର କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଉଦଳା ବ୍ଲକ୍ ଅଧୀନ ଡିହିରାକୁଳ ଗ୍ରାମରେ।
ସୂଚନା ଅନୁଯାୟୀ, ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ଶିଶୁ ବିଦ୍ୟାମନ୍ଦିରର ୩୦ରୁ ଅଧିକ କୁନି କୁନି ଛାତ୍ରୀଛାତ୍ର ସୋମବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ବିଦ୍ୟାଳୟ ପରିସର ବାହାରେ ବସି ପାଠ ପଢୁଥିଲେ। ସବୁଦିନ ପରି ଗ୍ରାମର ସମସ୍ତଙ୍କ ପ୍ରିୟ ମାଈ କୁକୁର ‘କାଳୀ’ ମଧ୍ୟ ସେଠାରେ ଉପସ୍ଥିତ ଥିଲା। ଏହି ସମୟରେ ଏକ ବିଷାକ୍ତ ସାପ ଛାତ୍ରୀଛାତ୍ରମାନଙ୍କ ଆଡ଼କୁ ମାଡ଼ି ଆସୁଥିବା ଦେଖିଥିଲା କାଳୀ। ସାପଟି ପିଲାମାନଙ୍କର କିଛି କ୍ଷତି କରିବା ପୂର୍ବରୁ ତା’ ପାଖକୁ ଝପଟି ଯାଇଥିଲା କାଳୀ। ସାପଟିକୁ ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚତ୍ବାକୁ ଦେଇ ନ ଥିଲା ସେ। ବେଶ୍ କିଛି ସମୟ ସାପ- କୁକୁର ଲଢ଼େଇ ଚାଲିଥିଲା। ସାପଟିକୁ ମାରିବା ପାଇଁ କାଳୀ ତାକୁ କାମୁଡ଼ିଥିବା ବେଳେ ସାପଟି କୁକୁରର ପାଟିକୁ ଦଂଶନ କରିଥିଲା। ଫଳରେ ସାପର ବିଷକ୍ରିୟାରେ କାଳୀର ମୃତ୍ୟୁ ଘଟିଥିଲା।
ଏହି ଖବର ଜଣାପଡ଼ିବା ପରେ ଗ୍ରାମବାସୀ ଦୁଃଖରେ ମର୍ମାହତ ହୋଇଥିଲେ। ରୀତିନୀତି ଅନୁସାରେ ‘କାଳୀ’ର ଅନ୍ତିମ ସଂସ୍କାର କରିଥିଲେ। ମଣିଷର ମୃତ୍ୟୁ ପରେ ଯେପରି ଅନ୍ତେଷ୍ଟ୍ରିକ୍ରିୟା କରାଯାଏ ସେହିପରି ‘କାଳୀ’ର ମୃତଦେହକୁ ଏକ ଟ୍ରଲିରେ ଫୁଲମାଳ, ଧଳା ଲୁଗା ଢାଙ୍କି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଗାତଖୋଳି ସେଠାରେ ତାକୁ ପୋତି ଦେଇଥିଲେ। କୁକୁର ‘କାଳୀ’ ଗ୍ରାମବାସୀଙ୍କ ଅତିପ୍ରିୟ ହୋଇଥିବାରୁ ସମସ୍ତେ ଦୁଃଖରେ ଭାଙ୍ଗିପଡିଛନ୍ତି। ୩୦ ଛାତ୍ରୀଛାତ୍ରଙ୍କୁ ବିପଦରୁ ରକ୍ଷା କରିଥିବାରୁ ସବୁଦିନ ପାଇଁ ‘କାଳୀ’ ଗ୍ରାମବାସୀଙ୍କ ପାଇଁ ଅମର ହୋଇରହିବ ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମର ରମେଶ ଚନ୍ଦ୍ର ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ଅନ୍ତେଷ୍ଟିକ୍ରିୟା ହୋଇଥିବା ବେଳେ ଭଗୀରଥ ସାହୁ, ଦନାର୍ଦ୍ଦନ ପୃଷ୍ଟି, କମଳାକାନ୍ତ ହାତୀ, ସର୍ବେଶ୍ୱର ହାତୀ, ହିମାଂଶୁ ହାତୀ, କ୍ରିଷ୍ଣା ଦାସ, ବାଇଧର ସିଂ ଓ ପ୍ରମୋଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।