ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଗୋଟିଏ ବର୍ଷ ପୂର୍ବରୁ କାଉଣ୍ଟଡାଉନ (ସମୟ ଗଣନା) ଆରମ୍ଭର ସୂଚକ ଅଟେ।
ଏହି ସମୟରେ ମ୍ୟାଚଗୁଡ଼ିକ ପାଇଁ ଟିକେଟ ମଧ୍ୟ ଜାରି କରାଯିବ। ବିଶ୍ୱକପ ଆସନ୍ତା ବର୍ଷ ଅକ୍ଟୋବର ୨ ତାରିଖଗାନ୍ଧୀ ଜୟନ୍ତୀଦିନ ଆରମ୍ଭ ହେବ ଏବଂ ୨୦୨୭ ନଭେମ୍ବର ୨୧ ରେ ଶେଷ ହେବ।
ଅଂଶଗ୍ରହଣ କରୁଥିବା ୧୪ଟି ଦଳ ମଧ୍ୟରୁ ୧୦ଟି ଦଳର ନାମ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା (ଯୋଗ୍ୟତା ନିର୍ଦ୍ଧାରଣର ଶେଷ ତାରିଖ) ଚୂଡ଼ାନ୍ତ ହେବ। ଏଥିରେ ଦୁଇ ଆୟୋଜକ ଦେଶ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେଅନ୍ତର୍ଭୁକ୍ତ ଥିବାବେଳେ, ବାକି ୮ଟି ଦଳ ICC ODI ମାନ୍ୟତା ଆଧାରରେ ଯୋଗ୍ୟତା ଅର୍ଜନ କରିବେ।
ଅନ୍ତିମ ୪ଟି ଦଳ ‘କ୍ୱାଲିଫାୟର୍’ (ଯୋଗ୍ୟତା ପର୍ଯ୍ୟାୟ) ମାଧ୍ୟମରେ ଆସିବେ ଏବଂ କାର୍ଯ୍ୟସୂଚୀରେ ସେମାନଙ୍କୁ ‘କ୍ୱାଲିଫାୟର୍ ୧, ୨, ୩ ଏବଂ ୪’ ଭାବରେ ତାଲିକାଭୁକ୍ତ କରାଯିବ। ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେ ସହିତ ନାମ୍ବିଆ ମଧ୍ୟ ଏକ ଆୟୋଜକ ଦେଶ ଅଟେ, କିନ୍ତୁ ଏହାର ଯୋଗ୍ୟତା ଏପର୍ଯ୍ୟନ୍ତ ସୁନିଶ୍ଚିତ ହୋଇନାହିଁ।
ବର୍ତ୍ତମାନ, ରାଙ୍କିଙ୍ଗ ଆଧାରରେ ଭାରତ (୧ମ), ନ୍ୟୁଜିଲ୍ୟାଣ୍ଡ (୨ୟ), ପାକିସ୍ତାନ (୪ର୍ଥ), ଅଷ୍ଟ୍ରେଲିଆ (୫ମ), ଇଂଲଣ୍ଡ (୬ଷ୍ଠ), ଶ୍ରୀଲଙ୍କା (୭ମ), ଆଫଗାନିସ୍ତାନ (୮ମ) ଏବଂ ବାଂଲାଦେଶ (୯ମ) ଯୋଗ୍ୟତା ଅର୍ଜନ କରିବା ସ୍ଥିତିରେ ଅଛନ୍ତି।
ନବମ ସ୍ଥାନରେ ଥିବା ସତ୍ତ୍ୱେ ବାଂଲାଦେଶ ଯୋଗ୍ୟତା ଅର୍ଜନ କରିବ, କାରଣ ବର୍ତ୍ତମାନ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଆୟୋଜକ ଭାବରେ ନିଜର ସ୍ଥାନ ସୁନିଶ୍ଚିତ କରିବ।

