ଜିଲାପାଳଙ୍କ ଗାଡ଼ି ଅଟକାଇ ବିରୋଧ କଲେ ଗ୍ରାମବାସୀ

ଗୁଣପୁର,୧୯ା୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ବଂଶଧାରା ନଦୀ ବାଲିଶଯ୍ୟାରୁ ବାଲି ଉଠାଣକୁ କେନ୍ଦ୍ରକରି ଜିଲାପାଳ ସ୍ବଧାଦେବ ସିଂ ସୋମବାର କତୁରୁ ଗ୍ରାମବାସୀଙ୍କ ବିରୋଧର ଶିକାର ହୋଇଛନ୍ତି। ଅଭିଯୋଗ ଶୁଣାଣି ପାଇଁ ଜିଲାପାଳ ଗୁଣପୁର ଆସିଥିବାବେଳେ ଗ୍ରାମବାସୀଙ୍କ ବଲି ଉଠାଣ ବନ୍ଦ ଦାବି ଉପରେ ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ଫଳରେ ସେମାନେ ଜିଲାପାଳଙ୍କ ଗାଡ଼ି ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା, ଜିଲାପାଳ ଫେରିବା ସମୟରେ ଗାଡ଼ି ଛାଡ଼ି କିଛିଦୂର ଚାଲିଚାଲି ଯିବାକୁ ବାଧ୍ୟ ହୋଇଥିଲେ। ତଥାପି ଗ୍ରାମବାସୀ ଜିଲାପାଳଙ୍କ ପିଛା କରି ତାଙ୍କୁ ଯିବାକୁ ଦେଇ ନ ଥିଲେ। ଏସ୍‌ପି ବିବେକାନନ୍ଦ ଶର୍ମା ଏବଂ ସୁରକ୍ଷା କର୍ମୀ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜିଲାପାଳଙ୍କୁ ନେଇଥିଲେ। ପରେ ଜିଲାପାଳ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଗ୍ରାମବାସୀଙ୍କ ଅଭିଯୋଗ ହେଲା, ବାଲି ଖନନ ଦ୍ୱାରା ଗଁା ବୁଡ଼ିଯିବ। ସେହିପରି ନିୟମିତ ଗାଁ ଦେଇ ଗାଡ଼ିରେ ବାଲି ଚାଲାଣ ହେଉଥିବାରୁ ପିଲାମାନେ ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା ରହିଛି। ତେଣୁ ଗୁଣପୁର ବଂଶଧାରା ନଦୀ କତୁରୁ ବାଲିଶଯ୍ୟା-୧ ରୁ ବାଲି ଖନନ ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଥିଲେ। ରବିବାର ଗ୍ରାମର ମହିଳା ଓ ପୁରୁଷଙ୍କ ସମେତ ସ୍କୁଲ ଛାତ୍ରୀଛାତ୍ର ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଆସି ବାଲି ଉଠାଣ ବନ୍ଦ କରିବାକୁ ଦାବି ଜଣାଇଥିଲେ। ତେବେ ବାଲି ଉଠାଣ ନେଇ ସମସ୍ତ ପ୍ରକିୟା ସରିଥିବା ଜିଲାପାଳ କହିଥିଲେ। ଏଥିରୁ ରାଜସ୍ବ ମିଳୁଥିବାରୁ ବାଲି ଉଠାଣ ବନ୍ଦ କରାଯାଇପାରିବ ନାହିଁ ବୋଲି ସେ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗ୍ରାମବାସୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଜିଲାପାଳଙ୍କୁ ଅପେକ୍ଷା କରିଥିଲେ। କାର୍ଯ୍ୟକ୍ରମରୁ ଫେରିବା ପରେ ଜିଲାପାଳଙ୍କ ଗାଡ଼ି ସମ୍ମୁଖରେ ବିରୋଧ କରିଥିଲେ। ଏହି ସମୟରେ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଜିଲାପାଳ କତୁରୁ ଗ୍ରାମର ୫ ଜଣ ଲେଖାଏ ମହିଳା ଏବଂ ପୁରୁଷଙ୍କୁ ଡକାଇ ଆଲୋଚନା କରିଥିଲେ। ଗାଁକୁ ଯାଇ ସମସ୍ୟା ଦେଖିବାକୁ ଗ୍ରାମବାସୀ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ସମସ୍ୟା ଶୁଣିବା ପରେ ଲିଜ୍‌ ଅଞ୍ଚଳ ଏବଂ ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରାଯିବ ଏବଂ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ଥମିଥିଲା।