ଭୟରେ ଜଙ୍ଗଲରେ ଲୁଚିଲେ ଗ୍ରାମବାସୀ

ଯୋଡା, (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡା ବ୍ଲକର ବାମେବାରୀ ଥାନା ବଳଦା ପଞ୍ଚାୟତ ଅନ୍ତର୍ଗତ ଗୁରୁଡ଼ାଠାରେ ରବିବାର ରାତିରେ ନିର୍ବାଚନୀ ହିଂସାକାଣ୍ଡ ଘଟି ୪ ଆହତ ହୋଇଛନ୍ତି। ଆହତ ମାନେ ହେଲେ ସେହି ଗ୍ରାମର ଅନାମୀ ପାତ୍ର, ସାଜନ ହାଇବୁରୁ, ଟିନୁ ଗୋପ ଓ ରାଜେନ ହାଇବୁରୁ। ଟିନୁ ଗୋପ ଓ ରାଜେନ ହାଇବୁରୁଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ବଳଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବରୁଣ ନାଏକ ଓ ତାଙ୍କ ସମର୍ଥକ ମାନଙ୍କୁ ରାତିରେ ବିରୋଧୀ ଗୋଷ୍ଠୀ ପକ୍ଷରୁ ଆକ୍ରମଣ କରାଯାଇଛି। ଏନେଇ ବରୁଣ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ସମର୍ଥନରେ ନିର୍ବାଚନ ଲଢୁଥିବା ସରପଞ୍ଚ ପ୍ରାର୍ଥୀ ରଣଜୀତ ନାଏକ ରବିବାର ରାତିରେ ୩୦ଟି ବୋଲେରୋରେ କେତେକ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ଆଣି ଅତର୍କିତ ଭାବେ ପ୍ରଚାର ଗାଡି ଓ ସମର୍ଥକଙ୍କର ୧୦ ବାଇକ୍‌କୁ ଭଙ୍ଗାରୁଜା କରିବା ସହିତ ଘରେ ଘରେ ପଶି ମହିଳାଙ୍କୁ ମଧ୍ୟ ମାଡ ମାରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ହେଁ ତାହା ସମ୍ଭବପର ହୋଇ ନ ଥିଲା। ଆକ୍ରମଣକାରୀଙ୍କ ଭୟରେ ଗ୍ରାମବାସୀ ନିକଟସ୍ଥ ଜଙ୍ଗଲରେ ଯାଇ ଲୁଚି ରହିଥିଲେ। ଆକ୍ରମଣରେ ଶିକାର ହୋଇଥିବା ଗ୍ରାମବାସୀ କହିଛନ୍ତି ଯେ, ସରପଞ୍ଚ ପ୍ରାର୍ଥୀ ହୋଇଥିବା ରଣଜୀତ ନାଏକ ତାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ବାଧ୍ୟ କରୁଥିଲେ। ଅପରପକ୍ଷରେ ବିରୋଧୀ ସବୁବେଳେ ହିଂସା ପରାୟଣ ହୋଇପଡୁଛନ୍ତି ବୋଲି ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ କହିଛନ୍ତି। ଏନେଇ ବାମେବାରୀ ଆଇଆଇସି ମନୋରଞ୍ଜନ ବିଶିଙ୍କୁ ପଚାରିବାରୁ ଉକ୍ତ ହିଂସାକାଣ୍ଡ ଘଟିବା ପରେ ସମ୍ପୃକ୍ତ ଗାଁରେ ପୋଲିସ ମୁତୟନ କରାଯାଇଛି। ଅଭିଯୋଗ ଅନୁଯାୟୀ ତଦନ୍ତ କରାଯିବ। ସେହିପରି ଜଲହରୀ ପଞ୍ଚାୟତର ଖଣ୍ଡବନ୍ଧ ଠାରେ ମଧ୍ୟ ଟଙ୍କା ବଣ୍ଟା ସନ୍ଦେହରେ ଦୁଇଗୋଷ୍ଠୀର ପ୍ରାର୍ଥୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ପୋଲିସ କେତେକ ଲୋକଙ୍କୁ ଉଠାଇ ନେଇ ପଚରା ଉଚରା ଜାରି ରଖିଥିବା ଆଇଆଇସି ବିଶି କହିଛନ୍ତି।