ଗାଁ ହେବ ପରିବାର,ଏକାଠି ଖାଇବେ ନୂଆଁ

ସମ୍ବଲପୁର,୩୧ା୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ଗୋଟିଏ ପରିବାର ଭିତରେ ପାଳନ ହୋଇଥାଏ। ପରିବାର ସଦସ୍ୟ ଏକାଠି ହୋଇ ନୂଅଁା (ନବାନ୍ନ) ଖାଇଥାନ୍ତି। ପରେ ଗୁରୁଜନଙ୍କଠାରୁ ଆଶୀର୍ବାଦ ଭିକ୍ଷା କରନ୍ତି। ହେଲେ ସ୍ଥାନୀୟ ଉତ୍ସବ ପରିବାର ପ୍ରଚେଷ୍ଟାରେ ସମ୍ବଲପୁର ଜିଲାର ମାଓପ୍ରବଣ ଯୁଯୁମୁରା ବ୍ଲକ ଡଙ୍ଗାପାଲ ଗ୍ରାମବାସୀ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିବାକୁ ଯାଉଛନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭେଦଭାବକୁ ଦୂର କରିବାକୁ ପ୍ରୟାସ କରିଛନ୍ତି। ସେପ୍ଟେମ୍ବର ୧ ତାରିଖ ଗୁରୁବାର ପୂରା ଗ୍ରାମ ଗୋଟିଏ ପରିବାର ହୋଇ ଏକାଠି ନୂଅଁା ଖାଇବାକୁ ସ୍ଥିର କରିଛନ୍ତି। ଏ ନେଇ ଏକ କମିଟି ଗଠନ କରି ପ୍ରସ୍ତୁତି ଶେଷ କରିଛନ୍ତି। ଧାର୍ଯ୍ୟ ସମୟରେ ଘରେ ନିଜ ଇଷ୍ଟଦେବୀଙ୍କୁ ପୂଜା କରିବେ। ପରେ ମନ୍ଦିରରେ ପୂଜା କରି ଗଁା ଦାଣ୍ଡରେ ଏକାଠି ନୂଅଁା ଖାଇବେ। ପରିବାର ବର୍ଗ ନିଜ ଘର ଭଳି ଗାଁ ଦାଣ୍ଡ ସଫାସୁତୁରା କରିଛନ୍ତି। ଭାତ, ଡାଲି ତରକାରୀ, ଖୀରି, ପିଠା ଆଦି ବ୍ୟଞ୍ଜନ ସହ ନବାନ୍ନ ତିଆରି କରିବା ପାଇଁ ପ୍ରସ୍ତୁତି କରିଛନ୍ତି। ପୂଜକ, ରୋଷେୟାଙ୍କୁ ସହଯୋଗ କରିବାକୁ ଗ୍ରାମର ଏସ୍‌ଏଚ୍‌ଜି ମହିଳା ଆଗେଇ ଆସିଛନ୍ତି। ଗ୍ରାମରେ ଥିବା ୫ଟି ଏସ୍‌ଏଚ୍‌ଜି ମହିଳାମାନେ ମଧ୍ୟ ଘରେ ପୂଜା କରି ଏକାଠି ନୂଅଁା ଖାଇବାକୁ ରାଜି ହୋଇଛନ୍ତି। ଗ୍ରାମର ପ୍ରତ୍ୟେକ ପରିବାର ନିଜ ସାମର୍ଥ୍ୟ ଅନୁସାରେ ଆର୍ଥତ୍କ ରାଶି ପ୍ରଦାନ କରୁଛନ୍ତି। ସେଥିପାଇଁ ଗୋଟିଏ ପାଣ୍ଠି କରାଯାଇଛି। ସମସ୍ତ କାର୍ଯ୍ୟ ପରିଚାଳନା କରିବାକୁ ଗ୍ରାମର ବରିଷ୍ଠ ସଦସ୍ୟ ପ୍ରମୋଦ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଜୋରସୋରରେ ଲାଗିପଡିଛନ୍ତି। ଉତ୍ସବ ପରିବାରର ଆବାହକ ତଥା ଯୁଯୁମୁରା ପଞ୍ଚାୟତ ସମିିତି ସଭ୍ୟ ଜୟନ୍ତ ପ୍ରଧାନ କହିଛନ୍ତି, ଡଙ୍ଗାପାଲ ଗ୍ରାମରେ ପୂର୍ବରୁ ଏକତା ରହିଆସିଛି। ଗ୍ରାମରେ ରାହାସ ଯାତ୍ରା ଓ ଅନ୍ୟ ପୂଜା ଏକାଠି ପାଳନ କରାଯାଇଥାଏ। ନୂଅଁାଖାଇ ପର୍ବ ପରିବାରକୁ ଏକ ସୂତ୍ରରେ ବାନ୍ଧିଥାଏ। ଗ୍ରାମକୁ ଗୋଟିଏ ରଜୁରେ ବାନ୍ଧିବାକୁ ଉତ୍ସବ ପରିବାର ପକ୍ଷରୁ ଏହା ଏକ ଛୋଟିଆ ପ୍ରୟାସ। ପ୍ରତ୍ୟେକ ପରିବାର ଏକାଠି ହୋଇ ନୂଅଁା ଖାଇବେ। ଗ୍ରାମରେ ପ୍ରାୟ ୧୫୦ ପରିବାରରେ ୭ ଶହରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। ଏହା ମଧ୍ୟରେ ବିଭିନ୍ନ ଜାତି ଓ ଧର୍ମର ଲୋକ ରହିଛନ୍ତି। ଗଁାରେ ଏକାଠି ନୂଅଁା ଖାଇବାରେ ବେଶ୍‌ ଆନନ୍ଦ ମିଳିବ ବୋଲି ଆଶା କରୁଛି। ସୂଚନାଯୋଗ୍ୟ, କୋଭିଡ୍‌ ସମୟରେ ଗ୍ରାମର ପ୍ରତ୍ୟେକ ପରିବାର ଯଥାସାଧ୍ୟ ଅର୍ଥ ଦାନ କରିଥିଲେ। ପରେ ଏହି ଟଙ୍କାକୁ ସେମାନେ ପିଏମ୍‌ କେୟାର ଫଣ୍ଡକୁ ଦାନ କରିଥିଲେ। ଏହାକୁ ନେଇ ଉକ୍ତ ଗ୍ରାମ ଚର୍ଚ୍ଚାକୁ ଆସିଥିଲା। ବିଭିନ୍ନ ସାମାଜିକ ଅନୁଷ୍ଠାନ, ରାଜନେତା ସାଧୁବାଦ ଜଣାଇଥିଲେ। ଏବେ ଗ୍ରାମବାସୀ ଗୋଟିଏ ପରିବାର ଭାବେ ଏକାଠି ନୂଅଁା ଖାଇବାକୁ ଯାଉଛନ୍ତି, ଯାହା ସାମାଜିକ ବୈଷମ୍ୟ ଦୂର କରିବାର ବାର୍ତ୍ତାବହ ହେବ ବୋଲି ଆଲୋଚନା ହେଉଛି।