ବରୀ, ୧୬।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଶିକ୍ଷାମଣ୍ଡଳ ଅନ୍ତର୍ଗତ ଅରଙ୍ଗାବାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ ନେଇ ସେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ପରିବାର ଲୋକେ ତାଙ୍କୁ ରଶିରେ ଝୁଲୁଥିବା ଅବସ୍ଥାରେ ଦେଖି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ତାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦୁଃଖଦ ଖବର ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ବରୀ ଅଞ୍ଚଳର ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ।
ଖବର ପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା।
ତାଙ୍କ ମୃତ୍ୟୁ ଖବର ପାଇ କଳାମାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭେଷଜ ଅଧିକାରୀ ରାଜେଶ କୁମାର ଦାଶ, ବରୀ ବ୍ୟବସାୟୀ ସଂଘର ସଭାପତି ଧୀରେଶ ଚନ୍ଦ୍ର ଦ୍ୱିବେଦୀ, ଅଶିମ ଅମିତାଭ ଜେନା, ମନୋଜ କୁମାର ସାହୁ, ସମାଜସେବୀ ଉମେଶ ଦାସ, ରଞ୍ଜିତ କୁମାର ଜେନା, ପୂର୍ବତନ ସରପଞ୍ଚ ଅଜିତ ଜେନା, ରାମଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବଶଙ୍କର ଜେନା, ସମରେନ୍ଦ୍ର ମହାନ୍ତି ଓ ଶିକ୍ଷୟିତ୍ରୀ ସ୍ମୃତିରେଖା ବେହେରା ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।