ସେଲ୍‌ଫି ନେଲାବେଳେ ନଦୀରେ ଯୁବତୀ ଖସିପଡ଼ିବା ଭିଡିଓ ଭାଇରାଲ

ବାଲିଶଙ୍କରା୧୧।୧: ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ନଦୀର ଘୋଘର କନାକୁଣ୍ଡ ଘାଟରେ ଗତ ୩ ତାରିଖରେ ପିକ୍‌ନିକ୍‌ କରିବାକୁ ଯାଇଥିବା ଜଣେ ଯୁବତୀ ସେଲ୍‌ଫି ନେବାବେଳେ ନଦୀ ଭିତରେ ଖସିପଡ଼ିଥିଲେ। ସେହି ସମୟର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଯୁବତୀ ଜଣଙ୍କ ସେଲଫି ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେତିକିବେଳେ ନିକଟରେ ଛିଡ଼ା ହୋଇଥିବା ଜଣେ ଯୁବକ ପଡ଼ିଯିବାରୁ ଯୁବତୀଙ୍କ ଦେହରେ ତାଙ୍କ ହାତ ବାଜି ଯାଇଥିଲା। ପରେ ଯୁବତୀ ଜଣକ କିଭଳି ନଦୀ ଭିତରକୁ ଖସି ପଡ଼ିଥିଲେ ତାହା ଦେଖିବାକୁ ମିଳିଛି। ଘଟଣା ଦିନ ସ୍ଥାନୀୟ ଜଣେ ଯୁବକ ସେଠାରେ ନଦୀର ଦୃଶ୍ୟ ଭିଡ଼ିଓ କରୁଥିବାବେଳେ ଏହି ଦୃଶ୍ୟ ତାଙ୍କ ମୋବାଇଲରେ ରହିଯାଇଥିଲା। ଯାହା ୭ଦିନ ପରେ ଭାଇରାଲ ହେବାରେ ଲାଗିଛି। ପ୍ରକାଶ ଯେ, ଯୁବତୀ ଜଣକ ରାଜଗାଙ୍ଗପୁର କୁମ୍ଭାରପଡ଼ାର ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଆତ୍ମାରାମ ପ୍ରଜାପତିଙ୍କ କନ୍ୟା ଅନୁପମା (୨୪)। ମା’ କିରଣ ଦେବୀ, ଭାଉଜ ଆରତୀ, ସାଙ୍ଗଙ୍କ ସହ ଅନୁପମା ଘୋଘରଘାଟକୁ ପିକ୍‌ନିକ୍‌ ପାଇଁ ଯାଇଥିଲେ। ସେଠାରେ ଇବ୍‌ ନଦୀରେ ଖସିପଡ଼ିଥିଲେ। ୪ ତାରିଖରେ ତାଙ୍କର ମୃତଦେହ ନଦୀରୁ ଉଦ୍ଧାର କରାଯାଇଥିଲା।