Posted inଜାତୀୟ

ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ବିଜୟ

ନୂଆଦିଲ୍ଲୀ,୪।୬: ପୁରୀର ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଚାରିପଟେ ଚାଲିଥିବା ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ୱରେ କରାଯାଉଥିବା ଖନନ ଓ ନିର୍ମାଣ କାର୍ଯ୍ୟ ବିରୋଧରେ ଆଗତ ଦୁଇଟି ପିଟିଶନକୁ ତୁଚ୍ଛ ଏବଂ ଜନହିତରେ ନ ଥିବା ଦର୍ଶାଇ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ଏଥିସହ କୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଆବେଦନକାରୀ ଅର୍ଦ୍ଧେନ୍ଦୁ କୁମାର ଦାସ ଓ ସୁମନ୍ତ କୁମାର ଘଡ଼େଇଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ଆଦେଶ ଦିଆଯାଇଛି।
ଜଷ୍ଟିସ୍‌ ବି.ଆର୍‌. ଗବାଇ ଏବଂ ହିମା କୋହିଲଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ନିର୍ମାଣକୁ ବିରୋଧ କରି ଦାଖଲ ପିଟିଶନଗୁଡ଼ିକୁ ଖାରଜ କରି କହିଛନ୍ତି, ମନ୍ଦିରକୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଆସିଥାଆନ୍ତି। ସେମାନଙ୍କୁ ଶୌଚାଳୟ ଭଳି ମୌଳିକ ସୁବିଧା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ଆବଶ୍ୟକ ବନ୍ଦୋବସ୍ତ କରୁଛନ୍ତି। ତେଣୁ ନିର୍ମାଣ କାର୍ଯ୍ୟରୁ ସରକାରଙ୍କୁ ବାରଣ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟରେ ମୃଣାଳିନୀ ପାଢ଼ୀଙ୍କ ମାମଲାରେ ୩ ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶକ୍ରମେ ମହିଳା ଓ ପୁରୁଷମାନଙ୍କ ପାଇଁ ଟଏଲେଟ୍‌ ଓ ଇଲେକ୍ଟ୍ରିସିଟି ରୁମ୍‌ ନିର୍ମାଣ କରାଯାଉଛି। ଏହା ପ୍ରାଚୀନ ସ୍ମାରକ ଓ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଏବଂ ଅବଶେଷ (ଏଏମ୍‌ଏଏସ୍‌ଆର୍‌) ଆଇନ, ୧୯୫୮ର ବିରୁଦ୍ଧାଚରଣ କରୁନାହିଁ। ଉକ୍ତ ନିର୍ମାଣ କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଉଦ୍ଦିଷ୍ଟ ପୂର୍ବ ନିର୍ଦ୍ଦେଶନାମାର ଅନୁରୂପ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଖଣ୍ଡପୀଠ ଆହୁରି କହିଛନ୍ତି, ଆମେ ଏହି ଯୁକ୍ତି ଉପରେ ବିଚାର କରିଛୁ ଯେ, କେବଳ ଜଣେ ବ୍ୟକ୍ତିଙ୍କୁ ଶୌଚାଳୟ ନିର୍ମାଣ ପାଇଁ ମନା କରାଯାଇପାରିବ। କିନ୍ତୁ ଭକ୍ତମାନଙ୍କ ବୃହତ୍‌ ସ୍ବାର୍ଥରେ ରାଜ୍ୟ ସରକାର ସେମାନଙ୍କୁ ମୌଳିକ ସୁବିଧା ପ୍ରଦାନ ପାଇଁ ଏହି ନିର୍ମାଣ କରୁଥିବାରୁ ବାରଣ କରାଯାଇପାରିବ ନାହିଁ। ନିକଟ ଅତୀତରେ ଛତୁ ଫୁଟିଲା ଭଳି ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଥିବା ଦେଖିବାକୁ ମିଳିଛି। ଏଭଳି ଅନେକ ପିଟିଶନ ପ୍ରଚାର ହିତରେ କିମ୍ବା ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ବୋଲି ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ଆବେଦନଗୁଡ଼ିକୁ ମୂଳରୁ ଖାରଜ ନ କଲେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଜଷ୍ଟିସ୍‌ ଗବାଇ ରାୟ ଶୁଣାଇ କହିଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି, ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଇନ୍ସପେକ୍ସନ ରିପୋର୍ଟକୁ ଅବଜ୍ଞା କରି ନିର୍ମାଣ କାର୍ଯ୍ୟ ଚାଲିଥିବା ନେଇ ଅନେକ ବିବାଦ ହୋଇଛି। ତେବେ ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କ ବିବରଣୀ ସମସ୍ତ ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରିଛି। କୌଣସି ପ୍ରତ୍ନତାତ୍ତ୍ୱିକ ଅବଶେଷକୁ ନଷ୍ଟ କରାଯାଇ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲଙ୍କ ମତାମତକୁ ଓଡ଼ିଶା ହାଇକୋର୍ଟ ରେକର୍ଡ କରିଥିଲେ। ଉକ୍ତ ଦୁଇ ଆବେଦନ ନିରାଧାର ବୋଲି ସ୍ପଷ୍ଟ ହୋଇଥିବାରୁ ଏହାକୁ ଖାରଜ କରାଯାଉଛି। ଏଥିସହ ସୁପ୍ରିମକୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଆବେଦନକାରୀ ଦ୍ୱୟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ଆଦେଶ ଦିଆଯାଉଛି। ରାୟର ୪ ସପ୍ତାହ ମଧ୍ୟରେ ଆବେଦନକାରୀମାନେ ଜରିମାନା ରାଶି ପଇଠ କରିବେ।
ପ୍ରକାଶ ଯେ, ଶ୍ରୀମନ୍ଦିର ଚାରିପଟେ ହେଉଥିବା ନିର୍ମାଣ ଉପରେ ସ୍ଥଗିତାଦେଶ ଜାରି ପାଇଁ ନିର୍ଦ୍ଦେଶ ଦେବାକୁ ଗତ ୯ରେ ଓଡ଼ିଶା ହାଇକୋର୍ଟ ମନା କରିଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ୨୩ ତାରିଖରେ ଅର୍ଦ୍ଧେନ୍ଦୁ କୁମାର ଦାସ ଏବଂ ୨୭ ତାରିଖରେ ସୁମନ୍ତ କୁମାର ଘଡ଼େଇ ସୁପ୍ରିମକୋର୍ଟରେ ୨ଟି ପୃଥକ୍‌ ସ୍ପେଶାଲ ଲିଭ୍‌ ପିଟିଶନ (ଏସ୍‌ଏଲ୍‌ପି) ଦାଖଲ କରିଥିଲେ। ରାଜ୍ୟ ସରକାର ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କଠାରୁ ଏନ୍‌ଓସି ନ ନେଇ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚଳାଇଥିବାରୁ ଏହି ପ୍ରାଚୀନ ମନ୍ଦିରର ଢାଞ୍ଚା ପ୍ରତି ବିପଦ ସୃଷ୍ଟି ହୋଇଛି। ପରିକ୍ରମା ପ୍ରକଳ୍ପ ଅଧୀନରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପ୍ରାଚୀନ ସ୍ମାରକ ଓ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଏବଂ ଅବଶେଷ (ଏଏମ୍‌ଏଏସ୍‌ଆର୍‌) ଆଇନ, ୧୯୫୮କୁ ଉଲ୍ଲଂଘନ କରୁଥିବାରୁ ଏହା ଉପରେ ସ୍ଥଗିତାଦେଶ ଜାରି କରାଯାଉ ବୋଲି ଗୁରୁବାର ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନି ଖଣ୍ଡପୀଠରେ ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ଯୁକ୍ତି ଉପସ୍ଥାପନ କରି କହିଥିଲେ, ଏଏମ୍‌ଏଏସ୍‌ଆର ଆଇନ ଅନୁସାରେ ନ୍ୟାଶନାଲ ମନୁମେଣ୍ଟ୍‌ସ ଅଥରିଟି (ଏନ୍‌ଏମ୍‌ଏ) ହେଉଛନ୍ତି ଉପଯୁକ୍ତ କର୍ତ୍ତୃପକ୍ଷ। ଏନ୍‌ଏମ୍‌ଏ ଦ୍ୱାରା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ଉପଯୁକ୍ତ ଯୋଗ୍ୟ କର୍ତ୍ତୃପକ୍ଷ ବୋଲି ଘୋଷଣା କରାଯାଇଛି। ତେଣୁ ନିର୍ମାଣ କାର୍ଯ୍ୟ ଆଇନ ଅନୁସାରେ ଚାଲିଥିବା ପରିଜା କହିଥିଲେ। ସମସ୍ତ ପକ୍ଷଙ୍କ ଯୁକ୍ତି ଉପସ୍ଥାପନ ପରେ ଖଣ୍ଡପୀଠ ଗୁରୁବାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ, ଯାହା ଶୁକ୍ରବାର ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri