ଖଡ଼ଇଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଲଟିଛି ଭୂତକୋଠି

ପଟ୍ଟାମୁଣ୍ଡାଇ,୮ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ ହୋଇ ରହିଯାଉଥିବା ଅଭିଯୋଗ ହେଉଛି। ଏପରି ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡିଅଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର କ୍ଷେତ୍ରରେ ଦେଖିବାକୁ ମିଳିଛି। ଏଠାରେ ୪ ଲକ୍ଷ ଟଙ୍କାରେ ନିର୍ମିତ ଗୃହଟି ବ୍ୟବହାର ହେଉ ନ ଥିବାରୁ ଚାରି ପାଖରେ ଅନାବନା ଗଛ ଉଠିଗଲାଣି। ଏବେ ଏହା ଭୂତକୋଠିରେ ପରିଣତ ହୋଇଛି।
୨୦୧୨ ମସିହାରେ ତତ୍କାଳୀନ ବିଧାୟକ ଖଡିଅଣ୍ଟାଠାରେ ଏକ ପ୍ରାଣୀ ଚିକିତ୍ସାକେନ୍ଦ୍ରର ଉଦ୍‌ଘାଟନ କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟରେ ଲାଗି ପାରିଲା ନାହଁି। ସାମାଜିକ କର୍ମୀ ପ୍ରତାପ ପାଢୀ କହିଛନ୍ତି, ଖଡିଅଣ୍ଟା ପଞ୍ଚାୟତରେ ଏକ ପ୍ରାଣୀ ଚିକିତ୍ସା କେନ୍ଦ୍ର ୧୦ବର୍ଷ ପୂର୍ବରୁ ୪ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିଲା। ସେବେଠାରୁ ଏହି ଚିକିତ୍ସା କେନ୍ଦ୍ରରେ ପ୍ରାଣୀ ସମ୍ପଦଙ୍କ ଚିକିତ୍ସା କରାଯାଇନାହିଁ। ଆଜି ଯାଏ କୌଣସି ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତି ଏଠାରେ ପରିଲକ୍ଷିତ ହୋଇନାହିଁ। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକକ ବୋଲି ମନେହୁଏ। ଏହି ପଞ୍ଚାୟତରେ ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀ ରହିଥିବାବେଳେ ଡାକ୍ତର ନ ଥିବାରୁ ସେମାନଙ୍କ ଚିକିତ୍ସା ଲାଗି ଗୋପାଳକମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଅଦିନିଆ ରୋଗ କିମ୍ବା ପ୍ରାଣୀଙ୍କର ହଠାତ୍‌ କିଛି ହେଲେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ନଚେତ୍‌ ବଡପଡାରୁ ଡାକ୍ତର ଡାକିବାକୁ ପଡୁଛି। ଯାହାଦ୍ୱାରା ସେମାନେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ବେଳେ ଠିକ୍‌ ସମୟରେ ସେବା ପାଇ ପାରୁନାହାନ୍ତି। ଚିକିତ୍ସା ଅଭାବରୁ ଅନେକ ସମୟରେ ପ୍ରାଣୀଙ୍କ ପ୍ରାଣହାନି ଘଟୁଥିବା ମଧ୍ୟ ନଜିର ରହିଛି ବୋଲି ସେ କହିଥିଲେ। ସେହିପରି ସାମାଜିକ କର୍ମୀ ସୁଶାନ୍ତ ସାମଲ, ପୂର୍ବତନ ସରପଞ୍ଚ କଳାକାର ପ୍ରଧାନ, ଅଜୟ ନାୟକ, ଅଶୋକ ମହାନ୍ତି, ପ୍ରଶାନ୍ତ ନାୟକ, ନରେଶ ଜେନା, ଭରତ ବଳ ପ୍ରମୁଖ କହିଛନ୍ତି, ଆଜକୁ ପ୍ରାୟ ୧୦ବର୍ଷ ହେବ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ପୂର୍ଣ୍ଣାଙ୍ଗ ହୋଇଥିଲେ ବି କାର୍ଯ୍ୟକ୍ଷମ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାରୁ ତାହା ଏବେ ପରିତ୍ୟକ୍ତ ଅବସ୍ଥାକୁ ଆସି ବର୍ତ୍ତମାନ ଭୂତକୋଠିରେ ପରିଣତ ହୋଇଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଖଡିଅଣ୍ଟା ପଞ୍ଚାୟତରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚାଲୁ କରିବାକୁ ଡାକ୍ତର ନିଯୁକ୍ତି ସହ ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ସୁବିଧା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।