Categories: ଗଞ୍ଜାମ

ଥାନାରୁ ମାଲିକଙ୍କୁ ଦିଆଗଲା ଜବତ ଗାଡ଼ି

ଜଗନ୍ନାଥପ୍ରସାଦ,୯ା୬(ଡି.ଏନ୍‌.ଏ.): ଜଗନ୍ନାଥପ୍ରସାଦ ପୋଲିସ ପକ୍ଷରୁ ଜବତ ହୋଇଥିବା ଯାନବାହନ ଗୁଡିକ ବର୍ଷ ବର୍ଷ ଧରି ଥାନା ପରିସରରେ ପଡି ରହିଥିଲା। ସେଗୁଡିକୁ ଗାଡ଼ି ମାଲିକଙ୍କୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଥାନା ପରିସରରେ ବର୍ତ୍ତମାନ ସୁଦ୍ଧା ୧୦୩ ଗାଡି ପଡି ରହିଥିବା ବେଳେ ମଙ୍ଗଳବାର ଓ ବୁଧବାର ଦୁଇଦିନରେ ୩୫ଟି ଗାଡିକୁ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଅବଶିଷ୍ଟ ଗାଡି ଶୀଘ୍ର ଫେରାଇ ଦିଆଯିବାକୁ ପ୍ରକ୍ରିୟା ଜାରିଥିବା ଥାନାଧିକାରୀ ଦିଲୀପ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ମଙ୍ଗଳବାର ୩୨ଟି ଗାଡ଼ି ଦିଆଯାଇଥିଲା। ସେଥିମଧ୍ୟରେ ୩ଟି ଅଟୋ, ୨ଟି ଟାଟା ମ୍ୟାଜିକ ୨୭ଟି ବାଇକ ରହିଛି। ବୁଧବାର ଗୋଟିଏ ଟାଟା ମ୍ୟାଜିକ ଓ ୨ଟି ବାଇକ୍‌ ପ୍ରଦାନ କରାଯାଇଛି। କେବଳ ଜଗନ୍ନାଥପ୍ରସାଦ ଅଞ୍ଚଳର ନୁହେଁ ରାଜ୍ୟର ବିଭିନ୍ନ ଜିଲାର ଜବତ ଯାନବାହନକୁ ମାଲିକମାନେ ଫେରି ପାଇଛନ୍ତି। ସବଇନ୍ସପେକ୍ଟର ପ୍ରଭାତୀ ବେହେରା, ସୁଶାନ୍ତ ପ୍ରଧାନ, ନିରଞ୍ଜନ ଦାସ, ଚନ୍ଦ୍ର ଶେଖର ବେହେରା, ରଞ୍ଜନ କୁମାର ଆଚାର୍ଯ୍ୟ ଓ ଅନ୍ୟାନ୍ୟ କର୍ମଚାରୀ ଗାଡ଼ି ଦେବା କାର୍ଯ୍ୟରେ ସହଯୋଗ କରିଥିଲେ।