ମଣିଷ ମୁଣ୍ଡର ମୂଲ୍ୟ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଜଧାନୀର ରାଜରାସ୍ତା ଉପରେ ହାତରେ ଖଣ୍ଡାଧରି ନିର୍ମମ ଭାବେ ଜଣେ ନିରୀହ ଲୋକକୁ ହାଣି ପକାଉଥିବା ସେଇ ଦୁର୍ଦ୍ଧର୍ଷ ଆତତାୟୀକୁ ଯେଉଁମାନେ ଟିଭି ପରଦାରେ ଅବା ସାମାଜିକ ଗଣମାଧ୍ୟମରେ ଦେଖିଛନ୍ତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାକୁ ସୁଦୂର ତୁମୁଡିବନ୍ଧରେ ଲୁଚିଥିବା ବେଳେ ସେଠାରୁ ଧରିଆଣି ପୋଲିସ ଜେରା କରିବା ଘଟଣା ଉପରେ ନଜର ରଖିଛନ୍ତି, ସେମାନେ ଜାଣିବେ ଜଣେ ମଣିଷ ମୁଣ୍ଡର ମୂଲ୍ୟ କେତେ! ପ୍ରଥମେ ଦଶ ହଜାର ଓ ମୁଣ୍ଡ କାଟି ସାରିଲା ପରେ ବାକି ଚାଳିଶ ହଜାର, ଏମିତି ସର୍ବମୋଟ ପଚାଶ ହଜାର ଟଙ୍କା ହେଉଛି ସେଇ ହତଭାଗ୍ୟ ମିଠା ଦୋକାନୀଟିର ମୁଣ୍ଡର ମୂଲ୍ୟ। ଅବଶ୍ୟ ଏ ପ୍ରକାର ଦର ନିର୍ଦ୍ଧାରଣ ସ୍ଥାନ, କାଳ ଓ ପାତ୍ର ବିଶେଷରେ ଭିନ୍ନ ଭିନ୍ନ ହୋଇଥିବ ବୋଲି ବିଶ୍ୱାସ କରାଯାଏ। ରାସ୍ତାକଡ଼ରେ ମିଠା ବିକୁଥିବା ମାମୁଲି ଲୋକଟିର ମୁଣ୍ଡ ଯଦି ପଚାଶ ହଜାର ହୁଏ ତେବେ ଶୀତତାପ ନିୟନ୍ତ୍ରିତ ସୁନା ଦୋକାନ ମାଲିକଙ୍କର ମୂଲ୍ୟ ନିଶ୍ଚୟ ସେହି ଅନୁସାରେ କେଇ ଲକ୍ଷ ହୋଇଥିବ !!
ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାଟି ଶେଷ ହୋଇଗଲା ସିନା ଜଣେ ଗରିବ ରାସ୍ତାକଡ ଦୋକାନୀର ମୁଣ୍ଡ ଗଡିବାରେ, ମାତ୍ର ଆରମ୍ଭ ହୋଇଥିଲା ଦୁଇ ପ୍ରକାର ମୁଣ୍ଡର ମୂଲ୍ୟ ନିର୍ଦ୍ଧାରଣରେ। ହତ୍ୟାର ଶିକାର ହୋଇଥିବା କଥିତ ଦୋକାନୀଟି ପ୍ରଥମେ ଥିଲା ଜଣେ ମିଠା କାରିଗର ଓ ମାସିକ ଦରମା ସୂତ୍ରରେ ଏକ ମିଠା ଦୋକାନରେ କାମ କରୁଥିଲା। କରୋନା କାଳର କଟକଣା ମଧ୍ୟରେ ଦୋକାନ ବନ୍ଦ ହୋଇଯିବାରୁ ରୋଜଗାର ହରାଇ ଘରେ ବସି ରହିଲା। ଅଭିଶପ୍ତ ଦାରିଦ୍ର୍ୟ ସହ ମୁକାବିଲା କରି ନ ପାରି ଅନ୍ୟ ଲକ୍ଷ ଲକ୍ଷ ପ୍ରବାସ ଫେରନ୍ତାଙ୍କ ପରି ଭୁବନେଶ୍ୱର ଛାଡି ସପରିବାର ଗଁାକୁ ପଳାଇଥିଲା। ମାତ୍ର ଯେତେବେଳେ ଜୀବନ ଓ ଜୀବିକାର ଦ୍ୱନ୍ଦ୍ୱ ମଧ୍ୟରେ ଉବୁଟୁବୁ ହୋଇ ସରକାର ଭୂତାଣୁର ଭୟଠାରୁ ଭୋକର ଜ୍ୱାଳାକୁ ବଡ ମନେକଲେ ଓ ସ୍ବାଭାବିକତା ଫେରାଇ ଆଣିବାକୁ ବନ୍ଦ ତାଲା ଖୋଲି ଦେଲେ ସେତେବେଳେ ପେଟ ପୋଷିବା ପାଇଁ ପୁଣି ଥରେ ରାଜଧାନୀକୁ ଫେରି ଆସିଲା ଶମ୍ଭୁ ନାମକ ସେଇ ମିଠାମିସ୍ତ୍ରି। କିନ୍ତୁ ସେ ଯେଉଁ ଦୋକାନରେ ଚାକିରି କରିଥିଲା, ସେଇ ଦୋକାନ ନ ଖୋଲିବାରୁ ଓ ବିନା ରୋଜଗାରରେ ପରିବାର ପ୍ରତିପୋଷଣ ଅସମ୍ଭବ ହୋଇ ପଡିବାରୁ ରାସ୍ତା କଡରେ ପାଲଟଣା ଦୋକାନଟିଏ ଦେଇ ମିଠା ବିକିବାକୁ ଆରମ୍ଭ କଲା। ନିଜ ଉତ୍ପାଦନର ଗୁଣବତ୍ତା ପାଇଁ ଅଳ୍ପ ଦିନରେ ତା’ ବେପାର ଜମିଗଲା।
ଏଇଠୁ ଆରମ୍ଭ ହେଲା ଶମ୍ଭୁ ମୁଣ୍ଡର ମୂଲ୍ୟ ନିର୍ଦ୍ଧାରଣ। ନିର୍ଦ୍ଧାରକ ହେଲେ ସେ ପୂର୍ବରୁ ଯେଉଁ ଦୋକାନରେ ଚାକିରି କରିଥିଲା, ସେହି ଦୋକାନର ମାଲିକ ଓ ତାଙ୍କର ପୁଅ ନାତିମାନେ। ସେମାନଙ୍କ ନଜର ଶମ୍ଭୁ ଥିଲା ଏକ ଶ୍ରମିକ ଓ ସେମାନେ ଥିଲେ ତା’ର ମାଲିକ। ଶ୍ରମିକରୁ ଅଚାନକ ମାଲିକ ହୋଇଯାଇ ଆସ୍ତେ ଆସ୍ତେ ସ୍ବଚ୍ଛଳ ହୋଇ ଉଠୁଥିବା ଶମ୍ଭୁର ଏହି ଉତ୍ତରଣକୁ ସେମାନେ ସହ୍ୟ କରିବାକୁ ପ୍ରସ୍ତୁତ ନ ଥିଲେ। ସେମାନେ ଶମ୍ଭୁକୁ ତା’ ଦୋକାନ ବନ୍ଦ କରି ପୂର୍ବ ପରି ସେମାନଙ୍କ ଦୋକାନରେ କାମ କରିବାକୁ ବାରମ୍ବାର ଚାପ ପ୍ରୟୋଗ କଲେ। ମାତ୍ର ଥରେ ସ୍ବାଧୀନତାର ସ୍ବାଦ ଚାଖିଥିବା ତଥା ଆର୍ଥିକ ସ୍ବଚ୍ଛଳତା ଦିଗରେ ଧାବମାନ ହେଉଥିବା ଶମ୍ଭୁ ଇତି ମଧ୍ୟରେ ନିଜ ମୁଣ୍ଡର ମୂଲ୍ୟ ବୃଦ୍ଧି ସମ୍ପର୍କରେ ସଚେତନ ହୋଇଥିବାରୁ ତା’ ନିଜ ଢଙ୍ଗରେ ଏ ପ୍ରକାର ଚାପକୁ ପ୍ରତିହତ କରି ଚାଲିଲା। ଏକପକ୍ଷରେ ଶମ୍ଭୁର ଅବର୍ତ୍ତମାନରେ ସେମାନଙ୍କ ବେପାରରେ ବ୍ୟାପକ ହ୍ରାସ ଓ ଅନ୍ୟପକ୍ଷରେ କାଲିର ଶ୍ରମିକ ଆଜି ସେମାନଙ୍କ ସମାସ୍କନ୍ଦ ହେବା ଭଳି ଅସହ୍ୟ ଅତୃପ୍ତି। ଶେଷରେ ଶମ୍ଭୁର ମୁଣ୍ଡ କାଟିବାକୁ ନିଷ୍ପତ୍ତି ନେଲେ ସେମାନେ। ସୁପାରି ଦିଆଗଲା ପେସାଦାର ହତ୍ୟାକାରୀକୁ। ଦର ଛିଡିଲା ପଚାଶ ହଜାର।
ଏ ତ ଆମ ରାଜଧାନୀର ଛାତି ଉପରେ ଦିନ ଦ୍ୱିପ୍ରହରରେ ଲୋକଙ୍କ ଭିଡ ଓ କୋଳାହଳ ମଧ୍ୟରେ ସଙ୍ଗଠିତ ହୋଇଥିବା ଏକ ଦୁଃସାହସିକ ମୁଣ୍ଡକାଟର ଦୁର୍ଭାଗ୍ୟପୂର୍ଣ୍ଣ ଦୃଶ୍ୟପଟ। ମାତ୍ର ଆମ ଜ୍ଞାନ ପରିସର ବାହାରେ ସମଗ୍ର ବିଶ୍ୱରେ ଏମିତି ବେଶ୍‌ କିଛି ମୁଣ୍ଡ ଗଡି ଚାଲିଛି, ଭିନ୍ନ ଭିନ୍ନ ଦରରେ ସେସବୁ ମୁଣ୍ଡର ମୂଲ୍ୟ ନିର୍ଦ୍ଧାରିତ ହୋଇ। ଦୂର ଗାଁର ଜମିଜମା ଝଗଡାଠୁଁ ନେଇ ମୁମ୍ବାଇ ମହାନଗରୀର ବ୍ୟବସାୟ ପ୍ରତିଦ୍ୱନ୍ଦ୍ୱିତା ଯାଏଁ, ପୁଣି ଭୁବନେଶ୍ୱର ଶ୍ରୀଜିପ ଠାରୁ ଆରମ୍ଭ କରି କେତେବେଳେ ଦୁବାଇ ତ କେତେବେଳେ ପାକିସ୍ତାନରେ ରହି ଭାରତର ବହୁ ହସ୍ତୀଙ୍କ ମୁଣ୍ଡର ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଦାଉଦ ଇବ୍ରାହିମ ପର୍ଯ୍ୟନ୍ତ ା
ବହୁ ମୁଣ୍ଡ ବେପାରୀ ଏହି ବେପାର ପରିଚାଳନା କରି ଚାଲିଛନ୍ତି ବହୁଦିନ ଧରି, ବିନା ବାଧାବିଘ୍ନରେ।
କେଉଁଠି କେଇ ହଜାର ତ ଅନ୍ୟ କେଉଁଠି କେଇ ଲକ୍ଷଟଙ୍କା ବିନିମୟରେ ଅତି ସହଜରେ କାହାର ଜୀବନ ନେଇ ଯାଉଥିବା ‘ସୁପାରି କିଲର’ ଭାବେ ପରିଚିତ ଏଇ ଗୁଣ୍ଡାମାନଙ୍କ ମଧ୍ୟରୁ ଜଣେ ଥିଲା କାନପୁରର ରାଜୁ ଶ୍ରୀବାସ୍ତବ। ବହୁ ବର୍ଷ ତଳର କଥା। ଏମିତି ସେ କେତେ ଜୀବନ ନେଇଥିଲା ତା’ ଜୀବନକାଳ ମଧ୍ୟରେ। ଅଜସ୍ର ଅର୍ଥ ଉପାର୍ଜନ କରିଥିଲା ଛୁରି ଓ ବନ୍ଧୁକ ଚଳାଇ। ଦିନେ ସେ ଡାକରା ପାଇଲା ଜଣେ ଧନବାନ ସେଠଙ୍କଠାରୁ। ପ୍ରତିପକ୍ଷର ଜଣେ ବ୍ୟବସାୟୀର ମୁଣ୍ଡ ନେବା ପାଇଁ ତାକୁ ମିଳିବ ଦୁଇ ଲକ୍ଷ ଟଙ୍କା। ତା’ ପାଇଁ କଥାଟି କିଛି ବଡ଼ କାମ ନ ଥିଲା। ତଥାପି ସେ ଦର ବଢ଼ାଇ ତିନିଲକ୍ଷରେ ପହଞ୍ଚିଗଲା ଓ ସବୁ ଟଙ୍କା ଅଗ୍ରିମ ଭାବେ ହାତେଇ ନିଜ ମିଶନ୍‌ରେ ବାହାରିଗଲା। ଯାହାଙ୍କର ସେ ଜୀବନ ନେବ, କିଛିଦିନ ତାଙ୍କର ଗତିବିଧି ଲକ୍ଷ୍ୟ କଲା କୁଖ୍ୟାତ ରାଜୁ ଶ୍ରୀବାସ୍ତବ। ଦେଖିଲା, ଲୋକ ଜଣକ ଅତି ସାଦାସିଧା। ସ୍ବର୍ଗର ଶାନ୍ତି ବିରାଜୁଥିବା ସୁନ୍ଦର ଏକ ପରିବାର ତାଙ୍କର। ସେ ହସିଲେ ତାଙ୍କର ପରିବାରରେ ଆନନ୍ଦର ଲହରି। ସେ ବିଷଣ୍ଣ ହେଲେ ସଭିଙ୍କ ମନରେ ବିଷାଦ। ଏ ପ୍ରକାର ଆବେଗରେ ଆଦୌ ଦୁର୍ବଳ ହେବାକୁ ଶିଖି ନ ଥିବା ରାଜୁ ନିଜକୁ ନିଜେ ବୁଝାଇ ଦେଲା, ତଥାପି ତାଙ୍କୁ ମରିବାକୁ ପଡ଼ିବ। କେବଳ ଏଥିପାଇଁ ଯେ ତାଙ୍କ ପ୍ରତିପକ୍ଷ ନିଜ ଇଚ୍ଛାରେ ଜୀବନଙ୍କୁ ମୃତ୍ୟୁରେ ରୂପାନ୍ତରିତ କରିଥିବାଭଳି ପରାକ୍ରମର ଅଧିକାରୀ। ଗୋଟିଏ ମୁଣ୍ଡ ପାଇଁ ତିନିଲକ୍ଷ ଖର୍ଚ୍ଚ କରିପାରୁଥିବା ଭଳି ଧନପତି।
କାହିଁକି କେଜାଣି, ସବୁବେଳେ ଜୀବନଠୁ ଅର୍ଥକୁ ବଡ଼ ବିଚାରୁଥିବା ସେହି ହତ୍ୟାକାରୀ ପ୍ରଥମ କରି ଅର୍ଥର ଅସାରତା ଅନୁଭବ କରି ଜୀବନର ଜୟଗାନ କରିବାକୁ ଲାଗିଲା। ପରଦିନ ଯାହାଙ୍କୁ ସେ ମାରିବା ପାଇଁ ତିନିଲକ୍ଷ ଟଙ୍କା ପାଇଥିଲା, ତାଙ୍କ ଆଗରେ ଉପସ୍ଥିତ ହୋଇ ସେ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲା ଓ ଗର୍ଜନ କରି କହିଲା ”ପ୍ରଚୁର ଟଙ୍କା ଅଛି ବୋଲି ଜଣେ କ’ଣ ଦୁଇଜଣଙ୍କ ମୁଣ୍ଡ କିଣିନେବ? ଜଣଙ୍କୁ ହତ୍ୟା କରିବା ପାଇଁ ଓ ଅନ୍ୟ ଜଣଙ୍କୁ ହତ୍ୟା କରାଇବା ପାଇଁ? ଟଙ୍କା ଥିବା ଲୋକମାନେ କ’ଣ କାଳେ କାଳେ ଜୀବନର ସୌଦାଗର ସାଜି ଆମକୁ ପୋକମାଛି ପରି ଜ୍ଞାନ କରୁଥିବେ? ନା ବହୁତ ହୋଇଗଲା। ଏଣିକି ଆଉ ନୁହେଁ।“
ମୋ ଜୀବନ ନେବା ପାଇଁ ପାଇଥିବା ସେଇ ତିନିଲକ୍ଷ ଟଙ୍କା ତୁମେ କ’ଣ ଫେରାଇ ଦେବ ସେଇ ସେଠଙ୍କୁ? ପଚାରିଲେ ସେଇ ଲୋକ, ଯିଏ ସେତେବେଳକୁ ରାଜୁ ହାତରେ ପରଲୋକ ପ୍ରାପ୍ତ ହୋଇ ସାରିଥାନ୍ତେ। ମାତ୍ର ଏମିତି ଏକ ପ୍ରଶ୍ନରେ ହସି ଉଠିଲା ରାଜୁ ଓ କହିଲା,”ସାଧୁତାର ଶୀର୍ଷତମ ସୋପାନକୁ ଏତେ ସହସା ଉଠିଯିବି ବୋଲି କାହିଁକି ଆଶା କରୁଛୁ। ମୁଁ ଏବେ ବି ସଇତାନଟାଏ। ଯେଉଁ ଲୋକ ଗୋଟିଏ ମଣିଷ ମାରିବା ପାଇଁ ଅକାତରେ ତିନିଲକ୍ଷ ଖଚ୍ଚର୍ର୍ କରିପାରେ, ସେଭଳି ସଇତାନର ବିଶ୍ୱସ୍ତ ହେଲା ଭଳି ସାଧୁ ପୁରୁଷ ମୁଁ ନୁହେଁ। ମୁଁ ଜାଣେ ସେ ମୋତେ ଟଙ୍କା ମାଗିପାରିବ ନାହିଁ କି ଆଇନ ଆଗରେ ଫେରାଦ ହୋଇପାରିବ ନାହିଁ। କେବଳ ଗୋଟାଏ ଭୁଲ୍‌ ଲୋକ ହାବୁଡ଼ରେ ପଡ଼ି ତିନିଲକ୍ଷ ବରବାଦ ହୋଇଗଲା। ଭାବି ପୁଳାଏ ଅବସୋସ ପ୍ରକଟ କରିବା।
କେଇକ୍ଷଣ ମଧ୍ୟରେ ଯେଉଁ ହତ୍ୟାକାରୀ ହାତରେ ନିର୍ବାପିତ ହୋଇଥାନ୍ତା ତାଙ୍କର ଜୀବନର ଦୀପ, ତା’ ମୁହଁରୁ ଏ ସବୁ ଶୁଣି ସେଇ ଲୋକ ଜଣଙ୍କୁ ଲାଗୁଥିଲା ସଇତାନ ମୁହଁରୁ ବେଦପାଠ ଶୁଣିଲା ପରି। ସେ ତାକୁୁ ଅତି ଆବେଗରେ କୁଣ୍ଢାଇ ପକାଇଲେ। ତାଙ୍କ ଉଷ୍ମ ଆଲିଙ୍ଗନରେ ରାଜୁ ପ୍ରଥମ ଥର ପାଇଁ ଅନୁଭବ କରୁଥିଲା କାହାର ଜୀବନ ନେବାଠାରୁ କାହାକୁ ଜୀବନ ଦେବାର ସେଇ ଭିନ୍ନ ଅନୁଭବ। କାନପୁରର ସେଇ ଦୁର୍ଦ୍ଧର୍ଷ ସୁପାରି କିଲରର ଏହି ଚରିତ୍ର ପରିବର୍ତ୍ତନ ସମ୍ପର୍କରେ ଏକ ଚମକତ୍ାର ଆଲେଖ୍ୟ ଲେଖିଥିଲେ ତତ୍‌କାଳୀନ ପୋଲିସ ଡି.ଆଇ.ଜି. ବିଶ୍ୱେଶ୍ୱର ଶର୍ମା, ଯାହାର ଉପସଂହାର ଥିଲା ବେଶ୍‌ ଭାବନା ଉଦ୍ରେକକାରୀ। ଉପସଂହାରରେ ଶର୍ମା ଲେଖିଥିଲେ, ଅଜସ୍ର ଅର୍ଥବଳରେ ଆସୁରିକ ପ୍ରଭାବ ଆଗରେ ମଣିଷ ଭିତରେ ଥିବା ଦିବ୍ୟଜ୍ଞାନ କିଛି ସମୟ ପାଇଁ ପ୍ରଭାବହୀନ ହୋଇପଡେ ସିନା, ସବୁଦିନ ପାଇଁ ମଳିନ ପଡିଯାଏ। ଆଶା କରିବା, ମାତ୍ର ଦଶହଜାର ଟଙ୍କା ବିନିମୟରେ ଶମ୍ଭୁର ଜୀବନ ନେଇଥିତ୍ବା ଶ୍ରୀଜିପ ବିଶ୍ୱାଳ ଭିତରେ ଏହି ଦିବ୍ୟଜ୍ଞାନର ଉନ୍ମେଷ ଘଟିବ ଓ ଭବିଷ୍ୟତରେ ଆଉ କେଉଁ ଶମ୍ଭୁର ମୁଣ୍ଡ ଗଡ଼ିବ ନାହିଁ!!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର,
ମୋ: ୯୭୭୬୭୭୭୧୫୦


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri