ଭାରତର ଚଲାପଥରେ ବ୍ରିଟେନ

ଈପ୍ସିତା ମହାନ୍ତି

ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ଭାରତ ସରକାର ଯୋଗ ଓ ବ୍ୟାୟାମକୁ ପ୍ରୋତ୍ସାହନ ଦେବା ସହ ସ୍ବଚ୍ଛ ଭାରତ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପୁଣି ବିଗତ ଦିନରେ ଆମ ଦେଶ ଭାରତ ନିଜ ନାଗରିକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ହାତକୁ ନେଇଅଛି। ଏହାକୁ ଦେଖି ଦୁନିଆର ଅନେକ ରାଷ୍ଟ୍ର ଓ ସେଠାକାର ମୁଖିଆ ନିଜନିଜ ଦେଶରେ ଏହିଭଳି ଅଭିଯାନ ଚଳାଇବାକୁ ମନସ୍ଥ କଲେଣି। ଅବଶ୍ୟ ଇତିମଧ୍ୟରେ ଏଭଳି ଯୋଜନାର ଶୁଭାରମ୍ଭ ବ୍ରିଟେନରୁ ହୋଇ ଯାଇଛି। ଏଠାକାର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ନିଜ ଦେଶର ଲୋକଙ୍କୁ ଫିଟ୍‌ ରଖିବା ପାଇଁ ଏକ ନୂତନ ଯୋଜନା ପ୍ରବର୍ତ୍ତନ କରିଛନ୍ତି, ଯେଉଁଥି ପାଇଁ ଖର୍ଚ୍ଚ ହେବ ୯୬କୋଟି ଟଙ୍କା। ଏଥିରେ ପ୍ରଥମେ ଲୋକଙ୍କୁ ନିଜର ଓଜନ କମ୍‌ କରିବା ପାଇଁ ପ୍ରେରିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ବର୍ତ୍ତମାନ ସାରା ଦୁନିଆରେ ପ୍ରାୟ ୨ଶହ କୋଟି ଲୋକଙ୍କ ଓଜନ ଆବଶ୍ୟକତାଠାରୁ ଅଧିକ ଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟରୁ ଜଣାପଡିଛି। ପୁଣି ହେଲ୍‌ଥ ସର୍ଭେ ଫର୍‌ ଇଂଲଣ୍ଡର ପରିସଂଖ୍ୟାନ ଅନୁସାରେ ବ୍ରିଟେନର ୧୮ବର୍ଷ ବୟସରୁ ଊଦ୍ଧର୍‌ବ ୩୧ପ୍ରତିଶତ ଲୋକ ମେଦବହୁଳତାର ଶିକାର ହୋଇଥିବା ଜଣାଯାଏ। ଏହି ମେଦବହୁଳତା ବ୍ରିଟେନର ପ୍ରାୟ ସମସ୍ତ ଅଧିବାସୀଙ୍କୁ ଊଣା ଅଧିକେ ପ୍ରଭାବିତ କରିଅଛି। ପ୍ରଧାନମନ୍ତ୍ରୀ ଜନସନ୍‌ ବି ଏଥିରୁ ବାଦ୍‌ ପଡି ନାହାନ୍ତି। କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି ସମୟରେ ମେଦବହୁଳତା କାରଣରୁ ତାଙ୍କରି ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଫଳସ୍ବରୂପ ୩ଦିନ ଧରି ତାଙ୍କୁ ଆଇସିୟୁରେ ରହିବାକୁ ପଡିଥିଲା। ସେତେବେଳେ ମାତ୍ରାଧିକ ଓଜନ ଯୋଗୁ ସେ ଅନ୍‌ଫିଟ୍‌ ଥିବା ହୃଦ୍‌ବୋଧ କରିଥିଲେ। ସଂକ୍ରମଣ ପୂର୍ବରୁ ତାଙ୍କରି ଓଜନ ୧ଶହ ୭କିଲୋ ଥିଲା। ତାହା ହ୍ରାସ ଘଟି ଏବେ ୧ଶହ କିଲୋରେ ପହଞ୍ଚିଛି। ତଥାପି ତାଙ୍କୁ ଆହୁରି ଅଧିକ ଓଜନ ହ୍ରାସ କରିବା ଆବଶ୍ୟକ ରହିଛି ବୋଲି ଜନସନ୍‌ ସାଧାରଣରେ ପ୍ରକାଶ କରିଛନ୍ତି । ତେଣୁ ନିଜ ଶରୀର ପ୍ରତି ଧ୍ୟାନ ଦେଇ ସାରା ବ୍ରିଟେନବାସୀ ନିଜର ମୋଟାପଣକୁ ନିୟନ୍ତ୍ରଣରେ ରଖିବା ଉଚିତ ବୋଲି ଜନସନ୍‌ କହିଛନ୍ତି। ନିଃସଙ୍କୋଚ ଭାବେ ଜନସନ୍‌ ନିଜ ଦୁର୍ବଳତାକୁ ସ୍ବୀକାର କରିବାରେ ଆଦୌ କୁଣ୍ଠାବୋଧ କରି ନାହାନ୍ତି । ଏଥିରୁ ତାଙ୍କରି ମହନୀୟତା ସ୍ପଷ୍ଟ ଭାବେ ବାରି ହୁଏ। ଏଥିପାଇଁ ସେ ପ୍ରଶଂସାର ହକ୍‌ଦାର ମଧ୍ୟ ।
ଅଦ୍ୟପି ଭାରତରେ କିନ୍ତୁ ପାରମ୍ପରିକ ରାଜନୀତି ଦେଖିବାକୁ ମିଳେ । ଏଠାକାର ରାଜନେତା ନିଜ ସ୍ବାସ୍ଥ୍ୟ ଓ ବ୍ୟକ୍ତିଗତ ଦୁର୍ବଳତାକୁ ନେଇ ଖୁବ୍‌ ସମ୍ବେଦନଶୀଳ। ବେଶ୍‌ ରକ୍ଷଣାତ୍ମକ ଦୃଷ୍ଟିରୁ ଭାରତୀୟ ରାଜନେତା ଏସବୁ ତଥ୍ୟକୁ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ କୁଣ୍ଠିତ ହୋଇଥାନ୍ତି। ଏପରିସ୍ଥଳେ ବୋରିସ୍‌ ଜନସନ୍‌ଙ୍କ ଭଳି ନେତାଙ୍କୁ ଯେତେ ପ୍ରଶଂସା କଲେ ବି ତାହା କମ୍‌ ହେବ। କାରଣ ସେ ନିଜ ଅନୁଭୂତିକୁ ଉଦାହରଣ ମାଧ୍ୟମରେ ପ୍ରକାଶ କରି ଲୋକଙ୍କ ମାର୍ଗ ଦର୍ଶକ ସାଜିଛନ୍ତି। ଏହା ନିଶ୍ଚିତ ଭାବେ ବ୍ରିଟେନବାସୀଙ୍କୁ ପ୍ରେରଣା ଯୋଗାଇବ। ଏହି ଅବସରରେ ବ୍ରିଟେନବାସୀଙ୍କୁ ସୁସ୍ଥ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଜନସନ୍‌ ନିଜ ଦେଶରେ କେତେକ ନୂତନ ନିୟମ ଲାଗୁ କରିଛନ୍ତି। ତଦନୁଯାୟୀ ଆବଶ୍ୟକତାଠାରୁ ଅଧିକ ଓଜନ ଥିବା ଲୋକଙ୍କୁ ବ୍ରିଟେନର ଡାକ୍ତର ନିୟମିତ ଭାବେ ସାଇକେଲ ଚାଳନା ଓ ବ୍ୟାୟାମାଭ୍ୟାସ ଜାରି ରଖିବାକୁ କହିବେ । ସାଥେସାଥେ ରୋଗୀଙ୍କୁ ଓଜନ ହ୍ରାସ ପାଇଁ ଉପଯୋଗୀ ହେଉଥିବା ମୋବାଇଲ୍‌ ଫୋନର ଆପ୍ଲିକେସନ୍‌ ବିଷୟରେ ବି ବୁଝାଇବେ। ସେହିଭଳି ବଜାରରେ ମିଳୁଥିବା ଗୋଟିଏ ଜଙ୍କଫୁଡ୍‌ ଜାତୀୟ ଖାଦ୍ୟଦ୍ରବ୍ୟରେ ଆଉ ଗୋଟିଏ ମାଗଣା ଭଳି ଯୋଜନା ଉପରେ ପ୍ରତିବନ୍ଧକ ଲଗାଯିବ। ଶପିଂମଲର ଦେୟପୈଠ ସ୍ଥାନରେ ଗ୍ରାହକଙ୍କୁ ପୂର୍ବ ଭଳି ଆଉ ଚକୋଲେଟ୍‌ ଦିଆଯିବ ନାହିଁ । ଭୋଜନାଳୟର ଖାଦ୍ୟ ତାଲିକାରେ କ୍ୟାଲୋରିର ପରିମାଣ ଲେଖିବାକୁ ବାଧ୍ୟତାମୂଳକ କରାଯିବ। ପ୍ୟାକେଟ୍‌ ଖାଦ୍ୟଦ୍ରବ୍ୟରେ ମଧ୍ୟ କ୍ୟାଲୋରିର ପରିମାଣ ଦର୍ଶାଇବାକୁ କୁହାଯିବ। ପୁଣି ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟଦ୍ରବ୍ୟର ବିଜ୍ଞାପନ ରାତି ୯ଟା ପୂର୍ବରୁ ପ୍ରସାରଣ ହୋଇପାରିବ ନାହିଁ ବୋଲି ଆଇନରେ ବ୍ୟବସ୍ଥା ରହିବ।
ଅତୀତରେ ବ୍ରିଟେନ ଆମଦେଶ ଭାରତକୁ ଦୀର୍ଘ ୨ଶହ ବର୍ଷ ଧରି ଶାସନ କରିଥିଲା। ଏହି ସମୟ ମଧ୍ୟରେ ଆମଦେଶ ୩୧ଥର ଦୁର୍ଭିକ୍ଷର ସମ୍ମୁଖୀନ ହେବା ସହ ଲକ୍ଷଲକ୍ଷ ଲୋକ ଅନାହାରରେ ପ୍ରାଣ ହରାଇଥିଲେ। ଶେଷଥର ପାଇଁ ୧୯୪୩ରେ ଆମଦେଶର ବଙ୍ଗଳାରେ ଭୟଙ୍କର ଦୁର୍ଭିକ୍ଷ ପଡିଥିଲା । ଏଥିରେ ୩୦ଲକ୍ଷରୁ ଊଦ୍ଧର୍‌ବ ଲୋକ ଜୀବନ ହାରିଥିଲେ ।
ହେଲେ ବ୍ରିଟିଶ ଶାସନାଧୀନ ପୂର୍ବରୁ ଭାରତର ୨ହଜାର ବର୍ଷର ଇତିହାସରେ ମାତ୍ର ୧୭ଥର ଦୁର୍ଭିକ୍ଷ ପଡିଥିଲା ।
ବ୍ରିଟିଶ ଶାସନ କାଳ ଅପେକ୍ଷା ଏହି ସମୟରେ ଅପେକ୍ଷାକୃତ କମ୍‌ ସଂଖ୍ୟକ ଭାରତୀୟ ପ୍ରାଣ ହରାଇଥିଲେ। ଅର୍ଥାତ୍‌ ବ୍ରିଟିଶ ଶାସନାଧୀନ ହେବା ପରେ ଭାରତରେ ଦୁର୍ଭିକ୍ଷ ସଂଖ୍ୟା ବଢି ଚାଲିଲା। ଏହି ସମୟରେ ସଂଖ୍ୟାଧିକ ଭାରତୀୟ ଅନାହାର ଓ କୁପୋଷଣର ଶିକାର ଥିଲେ । ବହୁ ଲୋକଙ୍କ ପାଖରେ ଖାଇବା ପାଇଁ କିଛି ବି ନ ଥିଲା। ଆଜି କିନ୍ତୁ ଏବେ ଆମଦେଶରେ ସେଭଳି ପରିସ୍ଥିତି ନାହିଁ । ପୁଣି ଅନାହାର ଓ କୁପୋଷଣଜନିତ ମୃତ୍ୟୁ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି। ଆଜି ସ୍ଥିତି ସମ୍ପୂର୍ଣ୍ଣ ରୂପେ ଓଲଟି ଯାଇଛି । ବ୍ରିଟେନ ଭଳି ଭାରତରେ ମଧ୍ୟ ମେଦବହୁଳତା ସଂଖ୍ୟା ବଢିବଢି ଚାଲିଛି। ଭାରତରେ ଏହାର ସଂଖ୍ୟା ୧୩କୋଟିରୁ ଊଦ୍ଧର୍‌ବ ହେବ ବୋଲି ଏକ ପରିସଂଖ୍ୟାନ କହୁଛି।
ଗତ ୨୦୧୯ ଅଗଷ୍ଟ ମାସରେ ଭାରତୀୟଙ୍କୁ ନିଜ ସ୍ବାସ୍ଥ୍ୟ ଓ ଫିଟନେସ୍‌ ପ୍ରତି ସଚେତନ କରାଇବା ସକାଶେ ଫିଟ୍‌ ଇଣ୍ଡିଆ ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ଦେଶର ବଡବଡ ନେତାଙ୍କଠାରୁ ଆରମ୍ଭ କରି ଖେଳାଳି ଓ କଳାକାରଙ୍କ ପରି ପ୍ରସିଦ୍ଧ ବ୍ୟକ୍ତି ସାମିଲ ହୋଇଥିଲେ। ଆଜି ଭାରତଠାରୁ ଶିକ୍ଷାପାଇ ବ୍ରିଟେନ ନିଜ ଦେଶରେ ଏହିଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏଠାକାର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ନିଜ ଦେଶବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବା ପାଇଁ କହି ଚାଲିଛନ୍ତି। ଏହାକୁ ଆମେ ଫିଟ୍‌ ବ୍ରିଟେନର ଫିଟ୍‌ ଇଣ୍ଡିଆ ଅଭିଯାନ ବୋଲି କହିପାରିବା। ବର୍ତ୍ତମାନ ବ୍ରିଟେନବାସୀ ନାରା ଦେଲେଣି ମୋଟାପଣ ବ୍ରିଟେନ ଛାଡ଼। ମୋଟାପଣ ବା ମେଦବହୁଳତା ସହ ଜଡିତ ବିପଦ ପ୍ରତି ଲୋକଙ୍କ ସଚେତନତା ଏବେ ବୃଦ୍ଧି ପାଇଛି। କାରଣ ମେଦବହୁଳତାର ଶିକାର ବ୍ୟକ୍ତିଙ୍କ ପାଇଁ କୋଭିଡ୍‌-୧୯ ଘାତକ ସାବ୍ୟସ୍ତ ହେଉଅଛି॥
କିଛିଦିନ ତଳେ କୋଭିଡ୍‌-୧୯ର ଶିକାର ହୋଇଥିବା ୮ଶହ ୧୨ଜଣ ରୋଗୀଙ୍କ ଉପରେ ଏକ ଅଧ୍ୟୟନ ହୋଇଥିଲା । ଏହି ଅଧ୍ୟୟନ ଅନୁସାରେ ଏମାନଙ୍କ ମଧ୍ୟରୁ ୭୦ପ୍ରତିଶତ ମେଦବହୁଳତାରେ ପୀଡିତ ଥିଲେ । ପୁଣି କୋଭିଡ୍‌-୧୯ରେ ପ୍ରାଣ ହାରିଥିବା ୮୨ପ୍ରତିଶତ ଲୋକଙ୍କୁ ମେଦବହୁଳତା ଗ୍ରାସ କରିଥିଲା। ଏବେ ୫ପ୍ରତିଶତ ଭାରତୀୟ ମେଦବହୁଳତାରେ ପୀଡିତ କିନ୍ତୁ ଆଗାମୀ ଏକ ଦଶନ୍ଧିରେ ଏହି ସଂଖ୍ୟା ୪୦ ପ୍ରତିଶତକୁ ଛୁଇଁଯିବ ବୋଲି ଅନ୍ୟ ଏକ ସର୍ବେକ୍ଷଣରୁ ଜଣାଯାଇଛି। ମେଦବହୁଳତା ଯଦିଓ ଏକ ରୋଗ କିନ୍ତୁ ଏହା ହୃଦ୍‌ଘାତ, ମସ୍ତିଷ୍କାଘାତ, ରକ୍ତଚାପ, ମଧୁମେହ ଓ କର୍କଟରୋଗ ଭଳି ମାରାତ୍ମକ ରୋଗକୁ ଆମନ୍ତ୍ରଣ କରିଥାଏ। ଏହି କାରଣରୁ ମେଦବହୁଳତାକୁ ଏକ ମହାମାରୀ ରୂପେ ବିବେଚନା କରି ତା’ସହ ଆମେ ଲଢେଇ କରିବା ଆବଶ୍ୟକ । ସମୟ ଥିଲା ଲୋକେ ଖାଦ୍ୟାଭାବରୁ ଜୀବନ ହାରୁଥିଲେ। ଏବେ କିନ୍ତୁ ଲୋକଙ୍କୁ ଅତ୍ୟଧିକ ଖାଇବା ଯୋଗୁ ଜୀବନ ହରେଇବାକୁ ପଡୁଛି। ସନ୍ତୁଳିତ ଆହାର ଉତ୍ତମ ସ୍ବାସ୍ଥ୍ୟର ପୁଞ୍ଜି। ଆଉ ଉତ୍ତମ ସ୍ବାସ୍ଥ୍ୟଧାରୀ ହିଁ ଆଜିର ଦୁନିଆର ଯେ କୌଣସି ଦୌଡରେ ବିଜୟୀ ହେବ।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri