Posted inଫୁରସତ

ପଟଚିତ୍ରରେ ପଟୀୟସୀ

ପଟଚିତ୍ର, ଟସର ଏବଂ ତାଳପତ୍ର ଖୋଦେଇ ଚିତ୍ର ତଥା ଫ୍ରେସ୍କୋ ଚିତ୍ରକଳା କ୍ଷେତ୍ରରେ ନିଜର ଦକ୍ଷତା ଓ ଚମକ ଦେଖେଇ ପାରିଥିବା ଜଣେ ଚିତ୍ରଶିଳ୍ପୀ ହେଲେ ବବିତା ସାହୁ। ତାଙ୍କର ଚିତ୍ରଗୁଡିକୁ ଦେଖିଲେ ଦେଖଣାହାରୀ ତଟସ୍ଥ ହେବାକୁ ବାଧ୍ୟ ହୁଏ। ସମନ୍ବୟ ଏବଂ ସନ୍ତୁଳନ ତାଙ୍କ ଚିତ୍ରଗୁଡିକର ମୌଳିକ ଗୁଣ। ବିଭିନ୍ନ ସାମ୍ପ୍ରତିକ ଭାବବସ୍ତୁକୁ ନେଇ ସେ ପୁଣି ଦେଇପାରନ୍ତି ପରମ୍ପରା ସୂତ୍ରରେ ଆଧୁନିକତାର ସନ୍ଧାନ।

ଏପରି ଜଣେ ଅନୁପମ ଚିତ୍ରଶିଳ୍ପୀ ହେଉଛନ୍ତି ବବିତା ସାହୁ। ଜନ୍ମ ତାଙ୍କର ଫେବୃଆରୀ ୪ ତାରିଖ ୧୯୭୬ ମସିହା ଦାଣ୍ଡସାହି ଗ୍ରାମରେ। ବବିତା ପଟଚିତ୍ର, ଟସର, ତାଳପତ୍ର, ଫ୍ରେସ୍କୋ ଚିତ୍ରକଳା କାର୍ଯ୍ୟ ପାଇଁ ବିଶେଷ ଭାବରେ ତାଲିମପ୍ରାପ୍ତ। ନିଜର କଳା ଜିଜ୍ଞାସାକୁ ଚରିତାର୍ଥ କରିବା ପାଇଁ ସେ ସ୍ବର୍ଗତ ଡକ୍ଟର ଜଗନ୍ନାଥ ମହାପାତ୍ର, ଚନ୍ଦ୍ରଶେଖର ଦାଶ, ନୃସିଂହ ମହାରଣା ପ୍ରମୁଖଙ୍କଠାରୁ ବିଭିନ୍ନ ବିଭାବରେ ତାଲିମ ଗ୍ରହଣ କରିଛନ୍ତି। ପୁଣି ଭାରତ ସରକାରଙ୍କର ବୟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଖ୍ୟାତ କଳା କାରିଗର ରାମଚନ୍ଦ୍ର ମହାରଣାଙ୍କଠାରୁ ତାଲିମପ୍ରାପ୍ତ ହୋଇଛନ୍ତି। ନିଜର କଳାକୃତିଗୁଡିକୁ ନେଇ ସେ ବହୁ ବିଖ୍ୟାତ ଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଅଛନ୍ତି। ତାଙ୍କର ଚିତ୍ରଗୁଡିକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଷ୍ଟେଟ ୟୁଥ କଲଚରାଲ ଫେଷ୍ଟିଭାଲ ୧୯୯୬ ଓ ୧୯୯୭, ୧୯୯୯, ୨୦୦୦, ଅଲ ଓଡ଼ିଶା ଆର୍ଟ ପ୍ରଦର୍ଶନୀ ୧୯୯୭, ଦିଲ୍ଲୀଠାରେ ଆୟୋଜିତ କଳା ମେଳା, ୧୯୯୭, କୋଣାର୍କ ଉତ୍ସବ ୨୦୨୦ରେ ପ୍ରଦର୍ଶିତ ହୋଇ ଦର୍ଶକ ତଥା କଳା ସମାଲୋଚକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ଇନ୍‌ ଟାକ୍‌ ପ୍ରକଳ୍ପ ମାଧ୍ୟମରେ ଐତିହ୍ୟ ଗ୍ରାମ ରଘୁରାଜପୁରର ଏକ ମନ୍ଦିର ଗାତ୍ରରେ ତାଙ୍କର ଫ୍ରେସ୍କୋ ଚିତ୍ରକଳା ଅଙ୍କିତ ହୋଇଛି। ନିଜ କଳା ସାଧନାର ଚଲାପଥରେ ସେ ଅନେକ କର୍ମଶାଳାରେ ଯୋଗଦେଇ ନିଜ ସର୍ଜନା ଜିଜ୍ଞାସା ଓ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ସେ ଅଂଶ ଗ୍ରହଣ କରିଥିବା କର୍ମଶାଳାଗୁଡିକ ହେଲା ଓଡ଼ିଶା ଲଳିତ କଳା ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତାର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ କଳାକେନ୍ଦ୍ରରେ ୧୯୯୯ ମସିହାରେ ଆୟୋଜିତ କର୍ମଶାଳା, ୨୦୦୧ ମସିହାରେ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରଠାରେ ଆୟୋଜିତ ଲୋକ ପରମ୍ପରା ଏବଂ ସାମ୍ପ୍ରତିକ ଚିତ୍ରକଳା ଶିବିର, ପୂର୍ବାଞ୍ଚଳ କଳାକେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ୨୦୦୧ରେ ଆୟୋଜିତ ବିଦ୍ୟାଳୟ ପାଠ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ କଳାର ପ୍ରଦର୍ଶନୀ ଶିବିର, ତାଳପତ୍ର ଅଙ୍କନ ଏବଂ ପଟଚିତ୍ର ପ୍ରସ୍ତୁତି ସମ୍ବନ୍ଧରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ, ପୂର୍ବାଞ୍ଚଳ ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର, କୋଲକାତା ଦ୍ୱାରା ୨୦୦୫ରେ ଆୟୋଜିତ ପଟଚିତ୍ର ଶିବିର ଇତ୍ୟାଦି।

ବଡ଼ଭଉଣୀ ମମତାରାଣୀ ସାହୁ ତାଳପତ୍ର ଖୋଦେଇ ଚିତ୍ର ଶିଖୁଥିଲାବେଳେ ସାନ ଭଉଣୀ ବବିତା ପାଖରେ ଯାଇ ବସୁଥିଲେ। ଗୁରୁ ଚନ୍ଦ୍ରଶେଖର ଦାସ ଦେଖିଲେ ଶିଖିବା ପିଲାଠାରୁ ବସିବା ପିଲାଟି ଭଲ ଆଙ୍କି ପାରୁଛି। ଉତ୍ସାହ ଦେବାରେ କାର୍ପଣ୍ୟ କରି ନ ଥିଲେ ସେ। ଉତ୍ସାହିତ ହୋଇ ଆଙ୍କି ଚାଲିଲେ ବବିତା ଏବଂ ଆଗ୍ରହରେ ଶିଖଲେ ପଟଚିତ୍ର। ଏକଦା ଘରକୁ କିଣା ହୋଇ ଆସିଥିବା ସଉଦା ଠୁଙ୍ଗାରୁ ବବିତା ଆବିଷ୍କାର କରିଥିଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିଥି ଉପଲକ୍ଷେ ଲଳିତ କଳା ଏକାଡେମୀ ଆୟୋଜିତ କରିବାକୁ ଥିବା ରାଜ୍ୟସ୍ତରୀୟ ଚିତ୍ର ପ୍ରତିଯୋଗିତାର ବିଜ୍ଞପ୍ତିକୁ। ଆଗ୍ରହୀ ବବିତା ପିତା ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଠାରୁ ପ୍ରେରଣା ନେଇ ସାମିଲ ହୋଇଥିଲେ ପ୍ରତିଯୋଗିତାରେ। ପାରମ୍ପରିକ ପଟଚିତ୍ରରେ ଆଧୁନିକତାର ସ୍ପର୍ଶ ଦେଇ ବବିତା ପ୍ରସ୍ତୁତ କରିଥିବା ଚିତ୍ରଟିକୁ ହିଁ ସଫଳତା ମିଳିଥିଲା। ଆଜି ହୁଏତ ବିଶ୍ୱାସ ହେବନାହିଁ ଯେ ବବିତାଙ୍କ ପାଇଁ ପଟଚିତ୍ର ଅଙ୍କନ ଥିଲା ଏକ ବୈପ୍ଳବିକ କାର୍ଯ୍ୟ। ରକ୍ଷଣଶୀଳ ବିଚାରରେ ପଟଚିତ୍ର ପୁରୁଷମାନଙ୍କ କାର୍ଯ୍ୟ। ଏଥିରେ ନାରୀମାନେ କେବଳ ରଙ୍ଗ ପ୍ରସ୍ତୁତିରେ ସହଯୋଗ କରିପାରୁଥିଲେ। ହେଲେ ବବିତା ପୁରସ୍କୃତ ଏବଂ ବିଖ୍ୟାତ ହୋଇ ପଟଚିତ୍ରକୁ ଆଧାର କରି ସ୍ବାବଲମ୍ବୀ ହେବା ପାଇଁ ମହିଳା ଶିଳ୍ପୀଙ୍କ ଲାଗି ଉଦାହରଣ ଓ ପ୍ରେରଣା ସାଜିଥିଲେ। ପୂର୍ବାପେକ୍ଷା ଆଜିକାର ଶିଳ୍ପୀମାନେ ଯଥେଷ୍ଟ ସୁନ୍ଦର ଆଙ୍କୁଛନ୍ତି ବୋଲି ବବିତା ହସି ହସି କୁହନ୍ତି।
ନିଜର ଅବିଶ୍ରାନ୍ତ ସାଧନା ଓ କଳାକର୍ମ ପାଇଁ ମଧ୍ୟ ବବିତାଙ୍କୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ମାନ, ସ୍ବୀକୃତି ଓ ପୁରସ୍କାର। ୧୯୯୬- ୯୭ ମସିହାରେ ସେ ଲାଭ କରିଛନ୍ତି ମାଷ୍ଟର କ୍ରାଫ୍ଟ ବ୍ୟକ୍ତି ହିସାବରେ ଜାତୀୟ ମେରିଟ୍‌ ସାର୍ଟିଫିକେଟ। ରାଜ୍ୟସ୍ତରୀୟ ଡିଜାଇନ କଳା ପୁରସ୍କାର, ସେ ପୁଣି ୧୯୯୯ ମସିହା ପାଇଁ ପ୍ରଥମ ମହିଳା ହିସାବରେ ଲାଭ କରିଛନ୍ତି ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର। ଜଣେ ଚିତ୍ରଶିଳ୍ପୀ ହିସାବରେ ଏହା ତାଙ୍କର ମାନ ଆହୁରି ଉଚ୍ଚ କରିଛି। ଏଥିସହିତ ବି ସେ ଲାଭ କରିଛନ୍ତି ୧୯୯୯ ମସିହା ପାଇଁ ରାଜ୍ୟସ୍ତରୀୟ ହସ୍ତକଳା ପୁରସ୍କାର।
ପରିବାରର ସହଯୋଗ ତାଙ୍କ ଚିତ୍ରକର ଜୀବନ ପାଇଁ କେମିତି ପଚାରିଲେ ବବିତା କୁହନ୍ତି, ସ୍ବାମୀ ଅଭିଜ୍ଞାନଙ୍କ ସମର୍ଥନ ଓ ଆସ୍ଥା ତାଙ୍କୁ ଯେତିକି ପ୍ରେରଣା ଦିଏ ସେତିକି ଉତ୍ସାହିତ କରେ ଶ୍ୱଶୁର ଶୈଳଜ ରବିଙ୍କର ଗତାନୁଗତିକ ଧାରାକୁ ଭାଙ୍ଗି ନୂଆ ବାଗରେ ଚିତ୍ର କରିବା ପ୍ରତି ସାହସ ପ୍ରଦାନ। ଆଗକୁ ସ୍ବପ୍ନ କ’ଣ ଅଛି ପ୍ରଶ୍ନର ଉତ୍ତରରେ ସେ କୁହନ୍ତି, ଓଡ଼ିଶୀର ପ୍ରାଚୀନ ଭାବ ସହ ସମସାମୟିକ ବିଷୟବସ୍ତୁକୁ ଯୋଡି ପଟଚିତ୍ରକୁ ପ୍ରସ୍ତୁତ କରିବା, ଯାହା ଯେକୌଣସି ବର୍ଗର ଲୋକଙ୍କୁ ଦେଖିଲାବେଳେ ଆଲୋଡିତ କରିପାରୁଥିବ।
-ମାନମୟୀ ରଥ


Enter your email to get our daily news in your inbox.

All Right Reserved By Dharitri.Com

ପଛ କଲେ ଚାକିରି, ପଡ଼ିଲେ ପକ୍ଷୀ ପ୍ରେମରେ…

କେବେ ସଉକରେ ପାଳୁଥିଲେ ଚଢ଼େଇ। ଏବେ ତାହା ଦେଉଛି ଲକ୍ଷାଧିକ ଟଙ୍କାର ରୋଜଗାର। ମୋଟା ଅଙ୍କର ଚାକିରିକୁ ପଛ କରି ପକ୍ଷୀପ୍ରେମରେ ପଡ଼ିଥିବା ଏହି ଯୁବ...

ପରାକ୍ରମ ଦେଖାଇଛି ‘ବିହାର ରେଜିମେଣ୍ଟ’

ସର୍ଜିକାଲ ଷ୍ଟ୍ରାଇକ୍‌ ହେଉ କି ସୀମାପାର ଲଢ଼େଇ, ସବୁଥିରେ ଆଗୁଆ ‘ବିହାର ରେଜିମେଣ୍ଟ’। ଏହି ରେଜିମେଣ୍ଟର ଯବାନଙ୍କ ପରାକାଷ୍ଠା, ଶୌର୍ଯ୍ୟ, କୀର୍ତ୍ତି, ବୀରତ୍ୱର ଗାଥା ଇତିହାସର...

୨୦୧୬ରେ ଆକାଶରୁ ଅଦୃଶ୍ୟ ହୋଇଥିଲା ଏହି ଯାତ୍ରୀବାହୀ ବିମାନ, ଆଜିପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ

ବିଶ୍ୱରେ ଅନେକଥର ଏପରି କିଛି ଘଟଣା ଘଟିଛି, ଯାହାକୁ ବିଶ୍ୱାସ କରିବା କେବେ ସହଜ ନୁହେଁ। ୨୦୧୬ ମସିହାରେ ଠିକ୍‌ ଏମିତି ଏକ ଘଟଣା ଘଟିଥିଲା।...

ଓଟକୁ ଦେଖି କୁକୁର ଛୁଆ କରୁଥିଲା ଏମିତି, ହେଲେ ପାଖକୁ ଯିବାରୁ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି କାଠ

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ସାରା ପୃଥିବୀକୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି। ତେଣୁ ଅନେକ ଦେଶ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।...

୫୦ ବର୍ଷରେ ଦ୍ୱାଦଶ ପାସ୍‌ କଲେ ଏହି ମହିଳା: ଶୁଭେଚ୍ଛା ଜଣାଇଲେ ଶିକ୍ଷାମନ୍ତ୍ରୀ

ପାଠ ପଢ଼ିବା ପାଇଁ କୌଣସି ବୟସ ନ ଥାଏ। ମେଘାଳୟର ଜଣେ ୫୦ ବର୍ଷୀୟା ମହିଳା ଦ୍ୱାଦଶ ପାସ୍‌କରି ଏହା ପ୍ରମାଣ କରି ଦେଖାଇଛନ୍ତି। ସେ...

ଉପକାରୀ ଅଦା

ମହିଳାମାନେ ସାଧାରଣତଃ ଘରୋଇ ଉପଚାରକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଯଦି ଆପଣ ବି ଏପରି କରୁଥାନ୍ତି ତେବେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଭରିରହିଥିବା ଅଦାକୁ...

ବୃତ୍ତି ବିସମ୍ବାଦ

ଥରେ ଓଡ଼ିଶାରୁ ଦିଲ୍ଲୀ ଯିବା ବାଟରେ ପାଖ ସିଟ୍‌ରେ ବସିଥା’ନ୍ତି ପଞ୍ଜାବୀ ଭଦ୍ରଲୋକ। କଥାଛଳରେ ଜାଣିବାକୁ ପାଇଲି ସେ ଭୁବନେଶ୍ୱରରେ ମୋଟର ପାଟର୍‌ସ ବ୍ୟବସାୟ କରନ୍ତି।...

Advertisement
Archives

Model This Week