ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ଆନନ୍ଦପୁର/ହାଟଡିହୀ, ୭ା୧(ସ୍ବ.ପ୍ର./ଡି.ଏନ.ଏ.) କେନ୍ଦୁଝର ଜିଲା ଆନନ୍ଦପୁର ଓ ହାଟଡିହୀ ବ୍ଲକରେ ଗୁରୁବାର କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇ ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆନନ୍ଦପୁର ବ୍ଲକ ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଏବଂ ବେଲବାହାଳିର କୁଶେଇ ସେତୁ ନିର୍ମାଣ କାର୍ଯ୍ୟକୁ କେନ୍ଦ୍ର ମନ୍ତ୍ରୀ ଟୁଡୁ ସମୀକ୍ଷା କରିଛନ୍ତି। ଗୁରୁବାର ସକାଳେ କେନ୍ଦ୍ର ମନ୍ତ୍ରୀ ଜାତୀୟ ରାଜପଥର ବେଲବାହାଳି କୁଶେଇ ସେତୁ ନିକଟରେ ପହଞ୍ଚି ନିର୍ମାଣ କାର୍ଯ୍ୟକୁ ତଦାରଖ କରିଥିଲେ। ସେତୁର ଗୋଟିଏ ପାର୍ଶ୍ୱ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଅପରପାର୍ଶ୍ୱର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇରହିଥିଲା। ଏହାକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଅସମ୍ପୂର୍ଣ୍ଣ ରାସ୍ତାର ମରାମତି କରି ଜୁନ୍‌ ୨୨ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ପୃଥ୍ବୀରାଜ କୁଅଁର, ବରିଷ୍ଠ ଭାଜପା ନେତା ମହେଶ୍ୱର ସାହୁ, ଡ. ଶମ୍ଭୁନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ହାଟଡିହୀ ବ୍ଲକ ଅଧୀନ କାନପୁର ପିଉସା ପୁତୁରା ସାଳନ୍ଦୀ ସେତୁକୁ କେନ୍ଦ୍ର ମନ୍ତ୍ରୀ ଟୁଡୁ ଉଦ୍‌ଘାଟନ କରିବାସହ ହାଟଡିହୀ ଠାରେ ଭାଜପା କାର୍ଯ୍ୟାଳୟକୁ ମଧ୍ୟ ଉଦ୍‌ଘାଟନ କରିଥିଲେ। ଆୟୋଜିତ ସଭାରେ ନିଜ ପେନସନ ଟଙ୍କାରେ ପୋଲ ନିର୍ମାଣ କରିଥିବା ଗଙ୍ଗାଧର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଟୁଡୁଙ୍କ ସହ ବିଜୟ ରାଉତ, ଆଲୋକ ସେଠି, ବିବେକାନନ୍ଦ ରାଉତଙ୍କ ସମେତ ବହୁ କର୍ମୀ ଏବଂ ନେତା ଉପସ୍ଥିତ ଥିଲେ l