ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର,୨୬ା୧(ବ୍ୟୁରୋ): ଓଡ଼ିଶାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଅତିଥି ସତ୍କାର କରିବାର ଦାୟିତ୍ୱ ନେବା ପାଇଁ ବୁଧବାର ନୂଆଦିଲ୍ଲୀସ୍ଥିତ ସଫଦରଜଙ୍ଗ ରେଳ ଷ୍ଟେଶନଠାରେ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ର ଲୋକାର୍ପଣ କରାଯାଇଛି। ଜାତୀୟ ପର୍ଯ୍ୟଟନ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ରେ ପ୍ରାୟ ୫୨୮ ଜଣ ତୀର୍ଥଯାତ୍ରୀ ବାରାଣସୀ, ବୈଦ୍ୟନାଥ, ପୁରୀ, ଭୁବନେଶ୍ୱର ଓ ଗୟା ଦେଇ ଯାତ୍ରା କରିବେ। ସେମାନେ ଶ୍ରୀମନ୍ଦିର, ଲିଙ୍ଗରାଜ, କୋଣାର୍କ, ବିଶ୍ୱନାଥ, ବୈଦ୍ୟନାଥ ମନ୍ଦିର ସମେତ ବିଷ୍ଣୁ ଭଗବାନ୍‌ଙ୍କ ପ୍ରତ୍ୟକ୍ଷ ଦର୍ଶନ କରିବାର ଲାଭ ପାଇବେ। ତେଣୁ ଓଡ଼ିଶାର ଲୋକମାନେ ଏହି ଟ୍ରେନ୍‌ରେ ରାଜ୍ୟକୁ ଭ୍ରମଣ ପାଇଁ ଆସୁଥିବା ତୀର୍ଥଯାତ୍ରୀଙ୍କର ଅତିଥି ସତ୍କାର କରିବାର ଦାୟିତ୍ୱ ନିଅନ୍ତୁ। ମହାପ୍ରଭୁଙ୍କ ଆଶୀର୍ବାଦରେ ଏହି ଟ୍ରେନ୍‌ର ଶୁଭାରମ୍ଭ ହୋଇଛି। ମହାପ୍ରଭୁଙ୍କ ଇଚ୍ଛା ବିନା କୌଣସି କାମ ସମ୍ପନ୍ନ ହୁଏନାହିଁ। ତାଙ୍କର ଅନୁମତି ବିନା ଭକ୍ତମାନେ ତାଙ୍କୁ ପ୍ରତ୍ୟକ୍ଷ ଦର୍ଶନ ପାଇପାରନ୍ତି ନାହିଁ ବୋଲି ଆମର ବିଶ୍ୱାସ ରହିଛି। ତୀର୍ଥଯାତ୍ରୀମାନେ ପର୍ଯ୍ୟଟନ ଓ ଐତିହ୍ୟ ସ୍ଥଳୀ ଭ୍ରମଣ କରିବା ସମୟରେ ସାଙ୍ଗରେ ମହାପ୍ରଭୁଙ୍କ ମହାପ୍ରସାଦ ଆଣିବା ସହ ରଘୁରାଜପୁରର ପଟ୍ଟଚିତ୍ର ଓ ସ୍ଥାନୀୟ ସାମଗ୍ରୀକୁ କିଣିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ପୁରୀ ଯାଉଥିବା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍‌କୁ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ରେ ନାମିତ କରିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ପର୍ଯ୍ୟଟନ ବୃଦ୍ଧି ଦିଗରେ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍‌ର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦେଶର ସାଧାରଣ ନାଗରିକମାନେ କମ୍‌ ଟଙ୍କାରେ ଉଚ୍ଚକୋଟୀର ସୁବିଧା ପାଇବେ। ପ୍ରଧାନମନ୍ତ୍ରୀଙ୍କ ଦେଖୋ ଅପ୍‌ନା ଦେଶ୍‌ର କଳ୍ପନା ଦିଗରେ ଆଜିର ପଦକ୍ଷେପ ଦ୍ୱାରା ସମଗ୍ର ଭାରତବର୍ଷରେ କେବଳ ପର୍ଯ୍ୟଟନର ବିକାଶ ହେବ ନାହିଁ ବରଂ ରୋଜଗାର ମଧ୍ୟ ବଢ଼ିବ। ଓଡ଼ିଶାର ସାମାଜିକ ଜୀବନରେ ମଧ୍ୟ ସୁପ୍ରଭାବ ପଡ଼ିବ। ଏହାସହ ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ସାମଗ୍ରୀର ପ୍ରଚାରପ୍ରସାର ହେବା ସହ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।