ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ

ବାରିପଦା ଅଫିସ/ଉଦଳା, ୧୬।୨(ଡି.ଏନ.ଏ.) – ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ପ୍ରଚାର କରିଛନ୍ତି। ମଙ୍ଗଳବାର ସାରସକଣା ନିର୍ବାଚନମଣ୍ଡଳୀର ଖେରଣାଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ବୈଠକରେ କେନ୍ଦ୍ରମନ୍ତ୍ରୀ ଟୁଡୁ ଯୋଗଦେଇ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଅଞ୍ଚଳର ବିକାଶ ସହ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ପ୍ରତି ପ୍ରାଧାନ୍ୟ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ପରେ ପୋଖରିଆ ପଞ୍ଚାୟତର ଖଡ଼ିସାହିଠାରେ ଟସର ଚାଷୀଙ୍କ ସହ ସେ ଆଲୋଚନା କରି ଟସର ବ୍ୟବସାୟ ପାଇଁ ବଜାର ସୃଷ୍ଟି କରିବାକୁ କହିଛନ୍ତି। ଶିଲଫଡି ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଲୋକଙ୍କ ସହ ବିଚାର ବିମର୍ଶ କରିଥିଲେ। ଏହାସହ ୫୫ ଓ ୫୬ ନଂ. ଜୋନ୍‌ ଜିଲା ପରିଷଦ ପ୍ରାର୍ଥୀଙ୍କ ପ୍ରଚାର କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ କହିଥିଲେ। ସାରସକଣା ବିଧାୟକ ଡା.ବୁଢାନ ମୁର୍ମୁଙ୍କ ସହ ବରିଷ୍ଠ ନେତୃବୃନ୍ଦ ପ୍ରଚାରରେ ସାମିଲ ଥିଲେ।
ଉଦଳା ବ୍ଲକର ୧ ନଂ. ଜୋନ୍‌ରେ ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଟୁଡୁ ଏଠାରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏହି ଜୋନ୍‌ଟି ପୂର୍ବ ଦୁଇ ପଞ୍ଚାୟତ ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ହାତରେ ଥିଲା। ଏଣୁ ଏହି ଜୋନ୍‌କୁ ହାତେଇବା ପାଇଁ ଭାଜପା କସରତ ଚଳାଇଛି। ଏହି ଜୋନ୍‌ରୁ ନିର୍ବାଚନ ଲଢ଼ୁଥିବା ଭାଜପା ପ୍ରାର୍ଥୀ ଶିରୋମଣି ସିଂହଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଟୁଡୁ ପ୍ରଚାର କରିଛନ୍ତି। ଏହାସହ ସାଧାରଣ ବୈଠକ କରି କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଭୋଟରଙ୍କୁ ବୁଝାଇ ଭୋଟ ନିବେଦନ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସହ ଉଦଳା ବିଧାୟକ ଭାସ୍କର ମଢ଼େଇ ଏବଂ ଦଳୀୟ ନେତାମାନେ ପ୍ରଚାରରେ ସାମିଲ ହୋଇଥିଲେ।