ୟୁଜିସି ଏନ୍‌ଇଟି ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, ୧୧ା୧୦(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିଶନ ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ୟୁଜିସି ଏନ୍‌ଇଟି) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ତେବେ ଆସନ୍ତା ୨୦ ତାରିଖରୁ ଏହା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। ଏନ୍‌ଟିଏ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଆସନ୍ତା ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏହି ସମୟରେ ଅନ୍ୟ ପରୀକ୍ଷା ଥିବାରୁ ୟୁଜିସି ଏନ୍‌ଇଟି ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ବହୁ ଛାତ୍ରୀଛାତ୍ର ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏନ୍‌ଟିଏ ଉକ୍ତ ପରୀକ୍ଷାକୁ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ନେଇଛି। ଆସନ୍ତା ଦିନେ କି ଦୁଇଦିନ ମଧ୍ୟରେ ପରୀକ୍ଷା ତାରିଖ ଘୋଷଣା କରାଯିବ। ପରିବର୍ତ୍ତିତ ପରୀକ୍ଷା ତାରିଖ ugcnet.nta.nic.in ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେବ ବୋଲି ଏନ୍‌ଟିଏ କହିଛି। ଅଧିକ ତଥ୍ୟ ଜାଣିବା ପାଇଁ ଛାତ୍ରୀଛାତ୍ରମାନେ ପର୍ଯ୍ୟାୟକ୍ରମେ ଏନ୍‌ଟିଏ ଓ୍ବେବ୍‌ସାଇଟ www.nta.ac.in ଓ https.//ugcnet.nta.nic.inକୁ ଦେଖିବା ପାଇଁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ୟୁଜିସି ଏନ୍‌ଇଟି ଡିସେମ୍ବର-୨୦୨୦ ଓ ଜୁନ୍‌ ୨୦୨୧ ସେସନର ପରୀକ୍ଷା ପ୍ରଥମେ ଚଳିତ ମାସ ୬ରୁ ୮ ତାରିଖ ଏବଂ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାର ଥିଲା। କିନ୍ତୁ ୬ ଓ ୭ ତାରିଖରେ ଅନ୍ୟ ପରୀକ୍ଷା ଥିବାରୁ ଛାତ୍ରୀଛାତ୍ରମାନେ ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ। ତେଣୁ ଏନ୍‌ଟିଏ ସେହି ପରୀକ୍ଷାକୁ ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ କରିବ ବୋଲି ଗତ ୧ ତାରିଖରେ ଘୋଷଣା କରିଥିଲା।