ଟ୍ରମ୍ପ୍‌ ପ୍ରଶାସନର ପକ୍ଷପାତ ରାଜନୀତି

ଆମେରିକାର ଡିପାର୍ଟମେଣ୍ଟ ଅଫ୍‌ ଓ୍ବାର ବା ଯୁଦ୍ଧ ବିଭାଗ ଦ୍ୱାରା ‘X’ରେ ଆରମ୍ଭ କରାଯାଇଥିବା ନୂଆ ସ୍ଲୋଗାନ୍‌ ହେଉଛି ”ଆମେରିକୀୟବାଦ (ଆମେରିକାନିଜମ୍‌) ପ୍ରଭାବଶାଳୀ ପରୋପକାରବାଦ (ଇଫେକ୍ଟିଭ୍‌ ଆଲଟ୍ରୁଇଜମ୍‌-ଇଏ) ନୁହେଁ।“ ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସାଲ୍ୟୁଟ୍‌ କରୁଥିବାର ଏକ ଛବି ଉପରେ ଥିବା ପୋଷ୍ଟରେ ଲେଖାଅଛି, ”ଯୁକ୍ତରାଷ୍ଟ୍ର ଆମେରିକା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ସର୍ବାଧିକ ପ୍ରଭାବଶାଳୀ ରାଷ୍ଟ୍ର ହୋଇ ରହିବ!“ ପ୍ରଥମେ ମୁଁ ଭାବିଥିଲି ଏହା ନିଶ୍ଚୟ ଏକ ବ୍ୟଙ୍ଗାତ୍ମକ ପୋଷ୍ଟ ହୋଇଥିବ। ବେଶ୍‌ ଧୁମ୍‌ଧାମରେ ଏକ ସରକାରୀ ଦକ୍ଷତା ବିଭାଗ (ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି) ଗଠନ କରିଥିବା ଏକ ପ୍ରଶାସନ ଏବେ ପ୍ରଭାବଶାଳୀ ହେବାକୁ କେମିତି ବିରୋଧ କରିପାରିବ?
ଅନ୍ୟମାନଙ୍କୁ ପ୍ରଭାବଶାଳୀ ଭାବେ ସାହାଯ୍ୟ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରୁଥିବା ଏକ ଆନ୍ଦୋଳନକୁ ବିରୋଧ କରିବା ବଦଳରେ ପ୍ରତିରକ୍ଷା ବିଭାଗ ପାଖରେ କ’ଣ ଅଧିକ ଗୁରୁତ୍ୱପୂର୍ଣ୍ଣ କାମ ନାହିଁ? ବୋଧହୁଏ ୨୦ ବର୍ଷରୁ କମ୍‌ ସମୟ ହେବ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କିଛି ଛାତ୍ରଙ୍କ ସହ କଥା ହୋଇଥିଲି। ସେମାନେ ପ୍ରଭାବଶାଳୀ ପରୋପକାରବାଦ (ଇଏ) ଆନ୍ଦୋଳନ ଆରମ୍ଭ କରିଥିଲେ। ୧୯୭୨ର ପ୍ରକାଶିତ ମୋର ପ୍ରବନ୍ଧ ‘ଫ୍ୟାମିନ, ଆଫ୍ଲୁଏନ୍ସ ଆଣ୍ଡ ମୋରାଲିଟି’ (ଦୁର୍ଭିକ୍ଷ, ସମୃଦ୍ଧି ଏବଂ ନୈତିକତା) ଦ୍ୱାରା ପ୍ରଭାବିତ ହୋଇ ସେମାନେ ମୁଁ ସମର୍ଥନ କରୁଥିବା ବିଷୟକୁ କାର୍ଯ୍ୟକାରୀ କରିବା ପାଇଁ ଏକାଠି କାମ କରୁଥିଲେ। ଦାନ ମିଳୁଥିବା ପ୍ରତ୍ୟେକ ପାଉଣ୍ଡ କିମ୍ବା ଡଲାରରୁ କିପରି ସର୍ବୋତ୍ତମ ଉପକାର ମିଳିପାରିବ, ସେମାନେ ସେଥିପ୍ରତି ଗୁରୁତ୍ୱ ଦେଉଥିଲେ। ସମସ୍ତେ ଏହାର ଲାଭ ଉଠାଇପାରିବେ ବୋଲି ସେମାନେ ଏହାକୁ ଅନ୍‌ଲାଇନରେ ପ୍ରକାଶ କରିଥିଲେ।
ଇଏର ପ୍ରଥମ ସଙ୍ଗଠନ ‘ଗିଭିଂ ହ୍ବାଟ୍‌ ୱି କ୍ୟାନ୍‌’ ନିଜ ସମର୍ଥକଙ୍କୁ ନିଜ ଆୟର ଅତିକମ୍‌ରେ ୧୦% ପ୍ରଭାବଶାଳୀ ଦାତବ୍ୟ ସଂସ୍ଥାଗୁଡ଼ିକୁ ଦାନ କରିବାକୁ ଆହ୍ବାନ ଦେଇଥିଲା। ଗିଭ୍‌ୱଲ୍‌ ଅନୁଯାୟୀ, ଦାତାମାନେ ସେମାନଙ୍କ ଦ୍ୱାରା ସୁପାରିସ କରାଯାଇଥିବା ସଙ୍ଗଠନଗୁଡ଼ିକୁ ୨.୬ ବିଲିୟନ ଡଲାରରୁ ଅଧିକ ଅର୍ଥ ପ୍ରଦାନ କରିଛନ୍ତି। ଆକଳନ କରାଯାଇଛି ଯେ, ଏହି ଦାନ ୩,୪୦,୦୦୦ରୁ ଅଧିକ ଜୀବନ ରକ୍ଷା କରିବ। ମୁଁ ‘ଦି ଲାଇଫ୍‌ ୟୁ କ୍ୟାନ୍‌ ସେଭ୍‌’ ସଙ୍ଗଠନ ପ୍ରତିଷ୍ଠା କରିଥିଲି, ଯାହା ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରୁଥିବା ପ୍ରଭାବଶାଳୀ ଦାତବ୍ୟ ସଂସ୍ଥାଗୁଡ଼ିକ ପାଇଁ ୧୪୦ ମିଲିୟନ ଡଲାରରୁ ଅଧିକ ପାଣ୍ଠି ସଂଗ୍ରହ କରିସାରିଛି। ଏହି ସଙ୍ଗଠନ ପ୍ରତିଷ୍ଠା ପରଠାରୁ ଇଏ ବିଶ୍ୱ ଦାରିଦ୍ର୍ୟ ବ୍ୟତୀତ ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ହାତକୁ ନେଇଛି। ପ୍ରାଣୀ ଅତ୍ୟାଚାର ହ୍ରାସ କରିବାକୁ ଅନେକ ଇଏ ସମର୍ଥକ ବି ଚେଷ୍ଟା କରୁଛନ୍ତି। ସେମାନେ ପ୍ରାୟତଃ ‘ଆନିମଲ୍‌ ଚାରିଟି ଇଭାଲ୍ୟୁଏଟର୍ସ’ ସଂସ୍ଥାର ଗବେଷଣାର ସହାୟତା ନେଇ ପ୍ରଭାବଶାଳୀ ସଂଗଠନଗୁଡ଼ିକୁ ଚିହ୍ନଟ କରି ସେମାନଙ୍କୁ ସହଯୋଗ କରୁଛନ୍ତି। ଅନ୍ୟ କେତେକ ଇଏ ସମର୍ଥକ ବିପର୍ଯ୍ୟୟକାରୀ ବିପଦକୁ ରୋକିବା ଲାଗି ଚିନ୍ତା କରୁଛନ୍ତି। ଉଲ୍ଲେଖନୀୟ ଯେ, ସୁପରଇଣ୍ଟେଲିଜେଣ୍ଟ ଏଆଇ ତାହାର ମାନବ ସ୍ରଷ୍ଟାଙ୍କୁ ବିନାଶ କରିଦେଇପାରେ ବୋଲି କମ୍ପ୍ୟୁଟର ବିଜ୍ଞାନର ଜନକ ଆଲାନ୍‌ ଟ୍ୟୁରିଙ୍ଗ୍‌ ୧୯୫୦ ଦଶକରେ ସତର୍କ କରିଦେଇଥିଲେ। କେତେକ ଇଏ ସମର୍ଥକ ଯୁକ୍ତି ବାଢ଼ିଥିଲେ ଯେ, ଭବିଷ୍ୟତର ମାନବ ପିଢ଼ିକୁ ହରାଇବା ମହାବିପତ୍ତି ହେବ। ତେଣୁ ଏହାକୁ ରୋକିବା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ।
ପ୍ରଭାବଶାଳୀ ପରୋପକାରବାଦର ଏହି ଦିଗକୁ ଟ୍ରମ୍ପ୍‌ ପ୍ରଶାସନ ବିରୋଧ କରୁଛି। ଜୁଲାଇରେ ଓପନ୍‌ ଏଆଇର ପ୍ରକାଶିତ ଆଶଙ୍କାରୁ ଆରମ୍ଭ କରିବା। କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ସେମାନେ ପରୀକ୍ଷଣ କରୁଥିବା ଏଆଇ ଏଜେଣ୍ଟଗୁଡ଼ିକ ସେମାନଙ୍କର ସୁରକ୍ଷିତ ପରିସରରୁ ବାହାରି ଯାଇ ଇଣ୍ଟରନେଟ୍‌ରେ ପ୍ରବେଶ କରିଥିଲେ ଏବଂ ଅନ୍ୟ ଏକ କମ୍ପାନୀର ୱେବ୍‌ସାଇଟ୍‌ ହ୍ୟାକ୍‌ କରିଥିଲେ। ପରେ ସେପ୍ଟେମ୍ବରରେ ଆନ୍ଥ୍ରୋପିକ୍‌ର କର୍ମଚାରୀ ଜାକବ୍‌ କକ୍ସନ୍‌ ଏହି ଆଧାରରେ ଇସ୍ତଫା ଦେଇଥିଲେ। ତାଙ୍କ ଅନୁଯାୟୀ, କମ୍ପାନୀର ଗବେଷକମାନେ ବିଶ୍ୱାସ କରନ୍ତି ଯେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଏଆଇ ଆମ ସମସ୍ତଙ୍କୁ ମାରିଦେଇପାରେ। ଏହାର ତିନି ଦିନ ପରେ ଆନ୍ଥ୍ରୋପିକ୍‌ର ମୁଖ୍ୟ ନିର୍ବାହୀ ଡାରିଓ ଆମୋଡେଇ ତାଙ୍କ ପ୍ରବନ୍ଧରେ ଏଆଇର ସମ୍ଭାବ୍ୟ ଲାଭ ଓ କ୍ଷତି ବିଷୟରେ ଉଲ୍ଲେଖ କରି ଏଆଇ ବିକାଶର ଧାରାକୁ ମନ୍ଥର କରିବାକୁ ଆହ୍ବାନ ଦେଇଥିଲେ। ସାମ ଅଲ୍ଟମ୍ୟାନ୍‌, ଡେମିସ୍‌ ହାସାବିସ୍‌ ଏବଂ ଏଲନ୍‌ ମସ୍କଙ୍କ ସମେତ ଅନ୍ୟ ଏଆଇ ନେତାମାନେ ଆମୋଡେଇଙ୍କ ସହ ସହମତି ପ୍ରକାଶ କରିଥିଲେ। ହେଲେ ଟ୍ରମ୍ପ୍‌ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ବରଂ, ସେ ଏଆଇ ଦ୍ୱାରା ଦୁନିଆ ଧ୍ୱଂସ ହେବାର ଭୟକୁ ଏକ ଭ୍ରାନ୍ତ ଧାରଣା କହିବା ସହ ନିଜକୁ ଏଭଳି ଧାରଣା ଦୂର କରୁଥିବା ବ୍ୟକ୍ତି ବୋଲି ଘୋଷଣା କରିଥିଲେ।
ଏଆଇ ବିକାଶର ଗତି ଧିମା କରିବାର ଯେକୌଣସି ପ୍ରୟାସକୁ ବିରୋଧ କରିବାର ମୂଳ ଉଦ୍ଦେଶ୍ୟ ଯୁଦ୍ଧ ବିଭାଗର ଆଉ ଏକ ପୋଷ୍ଟରୁ ଜଣାପଡ଼ିଥିଲା। ସେହି ପୋଷ୍ଟରେ ପୁନର୍ବାର ଟ୍ରମ୍ପ୍‌ଙ୍କ ଫଟୋ ଥିଲା ଏବଂ ଏହାର ଶିରୋନାମ ଥିଲା, ”କୃତ୍ରିମ ବୁଦ୍ଧିମତ୍ତା ବିକାଶର ନୂଆ ସୀମା ଆମର, କୌଣସି ବିନାଶବାଦୀ ବା ନୈରାଶ୍ୟବାଦୀଙ୍କର ନୁହେଁ।“ ଏହାପରେ ଆନ୍ଥ୍ରୋପିକ୍‌ ଏବଂ ଆମୋଡେଇ ଟ୍ରମ୍ପ୍‌ ପ୍ରଶାସନର ଟାର୍ଗେଟ୍‌ ହୋଇଗଲେ। ବୋଧହୁଏ ଏହାର କାରଣ ଥିଲା ଯେ, ଫେବୃଆରୀରେ ଆନ୍ଥ୍ରୋପିକ୍‌ ନିଜର ବିଶ୍ୱପ୍ରସିଦ୍ଧ ଏଆଇ ମଡେଲ୍‌ ‘କ୍ଲାଉଡ୍‌’ ଉପରୁ ସେହି ପ୍ରତିବନ୍ଧକଗୁଡ଼ିକୁ ହଟାଇବା ପାଇଁ ମନା କରିଦେଇଥିଲା। ଏଆଇ ଗତିକୁ ଧିମା କରିବା ପାଇଁ ଦିଆଯାଇଥିବା ଆମୋଡେଇଙ୍କ ଆହ୍ବାନ ପଛରେ ପ୍ରଭାବଶାଳୀ ପରୋପକାରବାଦର ପ୍ରଭାବ ରହିଛି ବୋଲି ପ୍ରଥମ ସାର୍ବଜନୀନ ସୂଚନା ସେପ୍ଟେମ୍ବର ୧୫ରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ଇଞ୍ଜିନିୟରିଂ ବିଭାଗର ଉପସଚିବ ଏମିଲ୍‌ ମାଇକେଲ ଦେଇଥିବା ଜଣାପଡ଼େ।
ପରବର୍ତ୍ତୀ ସମୟରେ ଟ୍ରମ୍ପ୍‌ଙ୍କର ଜଣେ ରାଜନୈତିକ ପରାମର୍ଶଦାତାଙ୍କ ଦ୍ୱାରା ପ୍ରସ୍ତୁତ ଏକ ସ୍ମାରକପତ୍ର ନ୍ୟୁଜ୍‌ ୱେବ୍‌ସାଇଟ୍‌ ‘ଆକ୍ସିଓସ୍‌’ର ହସ୍ତଗତ ହୋଇଥିଲା। ସାଧାରଣତଃ ରାଜନୈତିକ ବିରୋଧୀଙ୍କ ବିରୋଧରେ ଯେଭଳି ତଥ୍ୟ ସଂଗ୍ରହ କରାଯାଏ, ସେହି ଢଙ୍ଗରେ ଏହି ସ୍ମାରକପତ୍ରରେ ମୋର କେତେକ ବିବାଦୀୟ ନୈତିକ ମତାମତକୁ ଉଦ୍ଧୃତ କରାଯାଇଛି। ଇଏର ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କୁ ଏହିପରି ଅପ୍ରାସଙ୍ଗିକ ଓ ଅପମାନଜନକ ଆକ୍ରମଣ କରାଯାଇଛି। ଇଏ ବିରୋଧରେ ଟ୍ରମ୍ପ୍‌ ପ୍ରଶାସନର ଆକ୍ରମଣରୁ ଜଣାପଡ଼ୁଛି ଯେ, ଇଏ ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ ବିଷୟରେ ସେମାନେ ସଚେତନ ନୁହନ୍ତି। ଏହି ଆନ୍ଦୋଳନର ଲକ୍ଷ୍ୟ ହେଉଛି ଜୀବନ ରକ୍ଷା କରିବା, ଯନ୍ତ୍ରଣା କମାଇବା ଏବଂ ଆଗାମୀ ବିପର୍ଯ୍ୟୟକୁ ରୋକିବା।
୨୦୨୪ରେ ଇଏ ସମର୍ଥକ ବୋଲି ନିଜକୁ ପରିଚୟ ଦେଇଥିବା ପ୍ରାୟ ୧,୮୫୦ ଜଣଙ୍କୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ, ୬୧% ଲୋକ ଏହି ଆନ୍ଦୋଳନର ସମ୍ବଳକୁ ମଣିଷ ଓ ପଶୁମାନେ ଭୋଗୁଥିବା ଯନ୍ତ୍ରଣା ହ୍ରାସ ପାଇଁ ବ୍ୟବହାର କରିବା ସପକ୍ଷରେ ଥିଲେ। ମାତ୍ର ୩୫% ଲୋକ ଦୀର୍ଘକାଳୀନ ସମସ୍ୟାଗୁଡ଼ିକୁ ପ୍ରାଥମିକତା ଦେଇଥିଲେ। ସେତେବେଳେ ଏଆଇ ସୁରକ୍ଷା ମଧ୍ୟ ଏହି ଦୀର୍ଘକାଳୀନ ସମସ୍ୟା ଭାବେ ବିବେଚିତ ହେଉଥିଲା। କିନ୍ତୁ ଏହା ପରଠାରୁ ଇଏ ଆନ୍ଦୋଳନ ଭିତରେ ଓ ବାହାରେ ଏଆଇକୁ ନେଇ ଚିନ୍ତା ବଢ଼ିଛି।
ମୁଁ କେବେ ମଧ୍ୟ ଜଣେ ଏଆଇକୁ ନେଇ ଭୟଭୀତ ନ ଥିଲି ଏବଂ ଏବେ ମଧ୍ୟ ନୁହେଁ। କେତେକ ଇଏ ସମର୍ଥକ ଏଆଇ ଯୋଗୁ ମାନବଜାତିର ବିନାଶ ଉପରେ ଅତ୍ୟଧିକ ଗୁରୁତ୍ୱ ଦେଉଥିବା ବିଷୟରେ ମୁଁ ଅନେକଥର ଅସନ୍ତୋଷ ପ୍ରକାଶ କରିଛି। କିନ୍ତୁ ମାନବଜାତିର ସମ୍ପୂର୍ଣ୍ଣ ବିଲୁପ୍ତି ନ ଘଟିଲେ ମଧ୍ୟ ଏଆଇର ସମ୍ଭାବ୍ୟ ବିପଦକୁ କମାଇବା ପାଇଁ ଏହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ବିଲ୍‌ ଗେଟ୍ସ ନିକଟରେ କହିଥିଲେ ଯେ, ଏଆଇ ଯୋଗୁ ଏକଶହ କୋଟି ଲୋକଙ୍କ ମୃତ୍ୟୁ ହୋଇପାରେ।
ଏହି କାରଣରୁ ଏଆଇ ସମ୍ବନ୍ଧୀୟ ବିପଦ ଆଉ କେବଳ ଦୀର୍ଘକାଳୀନ ସମସ୍ୟା ହୋଇ ରହିନାହିଁ। ଟ୍ରମ୍ପ୍‌ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଯେଭଳି ପକ୍ଷପାତ ରାଜନୀତି କରୁଥିଲେ, ଏବେ ଏଆଇ ସୁରକ୍ଷା ପ୍ରସଙ୍ଗରେ ଠିକ୍‌ ସେମିତି କରୁଛନ୍ତି। ଏହା ଅତ୍ୟନ୍ତ ଉଦ୍‌ବେଗଜନକ। କାରଣ ଏହି ଦୁଇ କ୍ଷେତ୍ରରୁ ଉତ୍ପନ୍ନ ବିପଦ ହ୍ରାସ ପାଇଁ ଆବଶ୍ୟକ ବିଶ୍ୱସ୍ତରୀୟ ସହଯୋଗକୁ ଟ୍ରମ୍ପ୍‌ଙ୍କ ଏପରି ଆଭିମୁଖ୍ୟ ଅସମ୍ଭବ କରିଦେଉଛି। ଏହାଦ୍ୱାରା ଆମ ପ୍ରତି ଥିବା ବିପଦକୁ ହ୍ରାସ କରିବା କଷ୍ଟକର ହୋଇପଡ଼ୁଛି।

ପିଟର ସିଙ୍ଗର
ଅବସରପ୍ରାପ୍ତ ପ୍ରାଧ୍ୟାପକ, ବାୟୋଏଥିକ୍ସ,
ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟ

 

Dharitri – Odisha’s No.1 Odia Daily