ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟିଲା ଟ୍ରକ୍‌

ବାରିପଦା ଅଫିସ,୨୦।୭: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବଡ଼ଗାଁ ଅଞ୍ଚଳରେ ବୁଧବାର ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡ଼ିଛି। ଫଳରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବୋଲେରୋରେ ଥିବା ୨ ଜଣ ଗୁରୁତର ଅଛନ୍ତି। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ, ବୋଲେରୋଟି ସକାଳୁ ଜାମସେଦପୁର ଅଭିମୁଖେ ଯାଉଥିଲା । ୪୯ ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟି ରାସ୍ତାରେ ବୋଲେରୋଟି ଘାଟି ଉଠୁଥିବା ବେଳେ ନାସିକରୁ ଆସୁଥିବା ପିଆଜ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡିଥିଲା। ଘଟଣାସ୍ଥଳରେ ୬ ଜଣ ଆହତ ହୋଇଛନ୍ତି। ଖବର ପାଇ ବାଙ୍ଗିରିପୋଷି ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ଗାଡ଼ିରୁ ଆହତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

Share