ଟ୍ରକ୍‌ରେ ଲାଗିଗଲା ନିଆଁ, ଡ୍ରାଇଭର ଜୀବନ୍ତ ଦଗ୍ଧ

ରେଢ଼ାଖୋଲ,୮।୨(ଡି.ଏନ.ଏ ): ରାଞ୍ଚି -ବିଜୟୱାଡା ଜାତୀୟ ରାଜପଥର ରେଢ଼ାଖୋଲ ଥାନା ତେରବେଡା ଗ୍ରାମ ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡରେ ଓଲଟି ପଡିବା ପରେ ନିଆଁ ଲାଗିଯାଇଛି। ଫଳରେ ଗାଡି ଭିତରେ ଥିବା ଟ୍ରକ୍‌ ଡ୍ରାଇଭର ଚାପି ହୋଇ ରହିଯିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେ ହେଲେ ଅନୁଗୋଳ ଜିଲା କିଶୋର ନଗର ଥାନା ଘୁଷର ଗ୍ରାମର ଅଲେଖ ବାଦୀ ବୋଲି ଜଣାପଡିଛି।
ସୂଚନାନୁସାରେ, ଟ୍ରକ୍‌ଟି ମଙ୍ଗଳବାର ରାତିରେ ରାଉରକେଲାରୁ ନାକଟି ଦେଉଳ ଦେଇ ରେଢ଼ାଖୋଲ ଅଭିମୁଖେ ଆସୁଥିବା ବେଳେ ତେରବେଡା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିଥିଲା। ପରେ ଗାଡିରେ ନିଆଁ ଲାଗିଯାଇଥିଲା। ଚାଳକ ଗାଡ଼ି ଭିତରୁ ବାହାରିବା ପାଇଁ ଚେଷ୍ଟା କରି ଥିଲେ ମଧ୍ୟ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପଟେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ କରୁଛି।