ମଧ୍ୟରାତ୍ରି ପର୍ଯ୍ୟନ୍ତ ଉଡିଲା ତ୍ରିରଙ୍ଗା

ସାରସକଣା,୧୬।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରାଯାଇଥିଲା। ମାତ୍ର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ତିରଙ୍ଗା ଅବତରଣ କରା ନ ଯିବା ନେଇ ସ୍ଥାନୀୟ ଜନସାଧାରଣ ଅଧିକାରୀମାନଙ୍କ ଦାହିତ୍ୱହୀନତା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ ବ୍ଲକ ଶିକ୍ଷାଧିକାରିଣୀ ରାସମଣି ନାଏକଙ୍କୁ ସୋମବାର ରାତି ୯ଟାରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ଫୋନ ଉଠାଇ ନ ଥିଲେ। ପରେ ସାରସକଣା ଭାରପ୍ରାପ୍ତ ତହସିଲଦାର ସାଇକୃଷ୍ଣ ଜେନାଙ୍କୁ ଯୋଗାଯୋଗ କରିବା ପରେ ପତାକା ଅବତରୋଣ କରାଯାଇଥିଲା ।
ମାତ୍ର ଏ ନେଇ ବ୍ଲକ ଶିକ୍ଷାଧିକାରିଣୀ ନାଏକଙ୍କୁ ମଙ୍ଗଳବାର ପଚାରିବାରୁ ସେ କହିଥିଲେ ଯେ, ସବୁ ସ୍ଥାନରେ ତ ପତାକା ଉଡ଼ୁଛି, ଆଉ ଅଭିଯୋଗ ପରେ ତ ପତାକା ଖୋଲ ଦିଆଯାଇଛି । ଜିଲା ଶିକ୍ଷାଧିକାରୀ ଓ ଉପ ଶିକ୍ଷାଧିକାରୀ ପ୍ରଶାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଯେଉଁ ପତାକା ୧୧ତାରିଖରୁ ଅଫିସ କିମ୍ବା ଗୃହରେ ଲଗାଯାଇଛି ତାହା ୧୭ତାରିଖ ଖୋଲାଯିବ। ମାତ୍ର ଯେଉଁ ପତାକା ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଉତ୍ତୋଳନ କରାଯାଇଛି ତାହା ସୂର୍ଯ୍ୟାସ୍ତ ପୂର୍ବରୁ ଖୋଲିବାର ନିୟମ ରହିଛି । ତେବେ ଜଣେ ଶିକ୍ଷାଧିକାରିଣୀ ହୋଇ ଜାତୀୟ ପତାକାର ଅପମାନ ସ୍ବରୂପ, କିଭଳି ଅବତରଣ କରିବାକୁ ଭୁଲିଗଲେ ତାହାକୁ ନେଇ ଅଞ୍ଚଳର ଚର୍ଚ୍ଚାହେଉଛି।