ରାଷ୍ଟ୍ରପତି ପଦବୀ ପାଇଁ ଦ୍ରୌପଦୀଙ୍କ ନାମ ଘୋଷଣା ପରେ ନାଚିଲେ ଆଦିବାସୀ

ମହାକାଳପଡ଼ା,୨୩ା୬ (ଡି.ଏନ୍‌.ଏ.): ଓଡ଼ିଶାର ଝିଅ ତଥା ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଏନ୍‌ଡିଏ ସରକାର ଦୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିବା ପରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ପେଟଛେଲା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅନୁସୂଚିତ ଜନଜାତି ସମ୍ପ୍ରଦାୟ ମହିଳା ଓ ପୁରୁଷଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେମାନେ ବିଭିନ୍ନ ଗଣମାଧ୍ୟମରୁ ଏହି ଖବର ଜାଣିବାପ ରେ ପାରମ୍ପରିକ ବାଦ୍ୟ ବଜାଇ ସଙ୍ଗୀତର ତାଳେ ତାଳେ ନାଚି ଥିଲେ । ଆମ ଜନଜାତି ସମ୍ପ୍ରଦାୟର ଜଣେ ମହିଳା ଦେଶର ସର୍ବୋଚ୍ଚ ପଦବୀ ପାଇଁ ମନୋନୀତ ହୋଇଥିବାରୁ ଆମେ ଗର୍ବିତ । ଆମ ସମ୍ପ୍ରଦାୟର ବିକାଶ ପ୍ରତି ପ୍ରାଥମିକତା ସେ ଦେବେ ବୋଲି ଆମର ବିଶ୍ୱାସ ରହିଛି । ସମାଜର ମୂଖ୍ୟସ୍ରୋତରେ ଜନଜାତି ସମ୍ପ୍ରଦାୟର ଲୋକଙ୍କୁ ସେ ପ୍ରାଧାନ୍ୟ ଦେବା ସହ ଆମ ଅଞ୍ଚଳର ବିକାଶ ହେବ ବୋଲି ଜନଜାତି ମୁଖିଆମାନେ କହିଛନ୍ତି । ସେମାନେ ଦ୍ରୌପଦୀଙ୍କ ପାଇଁ ଶୁଭ ମନାସୀ ନିଜ ଇଷ୍ଟ ଦେବତା ବାରଙ୍ଗମୁରୁଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଦ୍ରୌପଦୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆଦିବାସୀ, ଶବର, ସାନ୍ତାଳ, ଭୂମିଜ ଆଦି ସମ୍ପ୍ରଦାୟର ଦୁଃଖ ଶୁଣିବେ ବୋଲି ଗ୍ରାମର ଝଡୁ ଭକ୍ତା,ପଇଡ଼ ଭକ୍ତା, ରୂପାଲି ଭକ୍ତା, ହରି ଆହାଡ଼ି, ରାମ ପାତ୍ର, ସୁଦନ ଭକ୍ତା, ସପନ ଭକ୍ତା, ସହଚରୀ ଆହାଡି, ଲକ୍ଷ୍ମୀଧର ଆହାଡି, ତପୁ ନାହାକ, ସବିତା ଭକ୍ତା ପ୍ରମୁଖ କହିଛନ୍ତି ।