ଅବାଧରେ ଚାଲିଛି ଗଛକଟା

କେନ୍ଦୁଝର, ୧୩।୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଗୁମୁରା ପଞ୍ଚାୟତ ଟୋଲଙ୍କବାହାଳ ଗ୍ରାମ ଜଙ୍ଗଲରେ ଅବାଧ ଗଛ କାଟି ଜଙ୍ଗଲ ପଦା କରିବାରେ ଲାଗିଛନ୍ତି। ମୂଲ୍ୟବାନ ଶାଳ ଜଙ୍ଗଲକୁ ସ୍ଥାନୀୟ ଲୋକ କାଟି ନେଉଥିଲେ ହେଁ ବନ ବିଭାଗ ଧରପଗଡ କରୁ ନ ଥିବାରୁ ଉକ୍ତ ଜଙ୍ଗଲ ପଦା ହେବାକୁ ଲାଗିଛି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି। ଜଙ୍ଗଲ କଟା ଯୋଗୁ ପରିବେଶ କ୍ଷତିଗ୍ରସ୍ତ ହେବା ସହ ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏନେଇ ବନ ବିଭାଗ ମୁଖ୍ୟ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଧରପଗଡ କରିବା ଏବଂ ଜଙ୍ଗଲ କଟା ଉପରେ କଟକଣା ଲଗାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।